fbpx

ବଢ଼ୁଛି ସୁମିତଙ୍କ ଛୁଟି ଅବଧି, ଆଗକୁ କ’ଣ ହେବ ତପସ୍ୱିନୀଙ୍କ ଭାଗ୍ୟ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀର୍ଘଦିନ ଧରି ସୋସିଆଲ ମିଡ଼ିଆର ଶିରୋନାମା ପାଲଟିଥିବା ସୁମିତ ସାହୁ ଓ ତପସ୍ୱିନୀ ଦାଶଙ୍କ ଦାମ୍ପତ୍ୟ କଳହ ଏବେ ବି ଜାରି ରହିଛି । କେବେ ଏହି ବିବାଦରେ ଯବନିକା ପଡ଼ିବ, ତାହା କହିବା ମୁସ୍କିଲ୍ । ଗୋଟିଏ ପଟେ ତପସ୍ୱିନୀ ଶ୍ୱଶୁର ଘର ଗେଟ୍ ଭିତରେ ଧାରଣାରତ ରହିଥିବା ବେଳେ ଅନ୍ୟପଟେ ସୁମିତ ଦିନକୁ ଦିନ ଛୁଟି ବଢ଼ାଇ ଚାଲିଛନ୍ତି । ପୂର୍ବରୁ ସୁମିତ ୫ ଦିନ, ୮ ଦିନ ଛୁଟି ମାଗିଥିବା ବେଳେ ଏବେ ପୁଣି ୧୫ ଦିନ ଛୁଟି ମାଗିଛନ୍ତି । ତେବେ ଆସନ୍ତା ଜାନୁଆରୀ ମାସ ୬ ତାରିଖ ପର୍ଯ୍ୟନ୍ତ ସୁମିତ ଯଦି ଛୁଟିରେ ରୁହନ୍ତି, ଏପରି ସ୍ଥଳେ ତପସ୍ୱିନୀ ଆଗକୁ କ’ଣ କରିବେ, କେଉଁଠି ରହିବେ ତାହା ମଧ୍ୟ ଚିନ୍ତାର ବିଷୟ ।

ଗତ ନଭେମ୍ବର ମାସ ୨୨ ତାରିଖରେ ତପସ୍ୱିନୀ ନିଜ ଶ୍ୱଶୁର ଘର ଆଗରେ ଧାରଣାରେ ବସିଥିଲେ । ଗତ ୨୦ ତାରିଖରେ କିଛି ମହିଳା ତପସ୍ୱିନୀଙ୍କୁ ନ୍ୟାୟ ଦେବାକୁ ଯାଇ ତପସ୍ୱିନୀଙ୍କ ଶ୍ୱଶୁର ଘର ଗେଟ୍ ଭାଙ୍ଗି ଭିତରକୁ ଧସେଇ ପଶିବା ପରେ ଶ୍ୱଶୁର ପ୍ରମୋଦ ସାହୁ ଏନେଇ ଥାନାରେ ଅଭିଯୋଗ କରିଥିଲେ । ତେବେ ଗତ ବୁଧବାର ଦିନ ରାଜଭବନରୁ ଏହି ଘଟଣାର ତଦନ୍ତ ରିପୋର୍ଟ ଦେବାକୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଆସିଥିଲା । ତେଣୁ ଏ ଦିଗରେ ଜିଲ୍ଲାପାଳ କ’ଣ ତଦନ୍ତ ରିପୋର୍ଟ ଦେବେ ତା’ ଉପରେ ମଧ୍ୟ ସମସ୍ତଙ୍କର ଫୋକସ୍ ରହିବ । ଏସଡିଜେଏମ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁମିତ ଜିଲ୍ଲା କୋର୍ଟରେ ପିଟିସନ ଦାୟର କରିଥିବା ବେଳେ ତାହାର ଶୁଣାଣି ଆସନ୍ତା ୨୭ରେ ହେବ । ତପସ୍ୱିନୀଙ୍କୁ ଏକ ଭଡ଼ାଘରେ ରଖି ତାଙ୍କର ପ୍ରତିପୋଷଣ କରିବାକୁ କୋର୍ଟ ପୂର୍ବରୁ ସୁମିତଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଡିଭୋର୍ସ କେସ୍ କୋର୍ଟରେ ବିଚାରାଧୀନ ଥିବାବେଳେ ପତ୍ନୀ ନିଜ ଖର୍ଚ୍ଚରେ ବାହାରେ ବା ନିଜ ବାପଘର ରହିବା ଦରକାର ବୋଲି କିଛି ଆଇନଜୀବୀ ମତ ଦେଇଛନ୍ତି । ଗୋଟିଏ ପଟେ କୋର୍ଟରେ କେସ୍ ବିଚାରାଧୀନ ଥିବାବେଳେ ତପସ୍ୱିନୀ ନିଜ ଶ୍ୱଶୁର ଘର ଆଗରେ ଧାରଣା ଦେବାକୁ ଅନେକ ନାପସନ୍ଦ କରିଛନ୍ତି । ଏହାଛଡ଼ା ରାଜ୍ୟ ତଥା ରାଜ୍ୟ ବାହାରର କିଛି ଲୋକ ମଧ୍ୟ ତପସ୍ୱିନୀଙ୍କୁ ସମର୍ଥନ ଜଣାଇ ଭିଡିଓ ବାର୍ତ୍ତା ପ୍ରଦାନ କରୁଥିବା ଜଣାପଡ଼ିଛି ।

Get real time updates directly on you device, subscribe now.