CHARIDHAM

ପରାଜୟ ପରେ କାରଣ ତର୍ଜମା କରି ଏହି ନେତାଙ୍କ ବିରୁଦ୍ଧରେ ଆକ୍ସନ ନେଲା କଂଗ୍ରେସ

ନୂଆଦିଲ୍ଲୀ: ନିକଟରେ ୫ଟି ରାଜ୍ୟରେ ବିଧାନସଭା ହୋଇଥିବା ବେଳେ ସେଥିମଧ୍ୟରୁ ବିଜେପି ୩ଟି, କଂଗ୍ରେସ ଗୋଟିଏ ଓ ଆଞ୍ଚଳିକ ଦଳର ଗୋଟିଏ ରାଜ୍ୟରେ ସରକାର ଗଠନ କରିଛି। କିନ୍ତୁ ବଡ଼ କଥା ଏହା ଯେ ଦୁଇଟି ରାଜ୍ୟରେ କଂଗ୍ରେସ କ୍ଷମତାରେ ଥିବା ସତ୍ତ୍ୱେ ମଧ୍ୟ ପରାଜୟ ସାମ୍ନା କରିଛି । ଛତିଶଗଡ଼ ଓ ରାଜସ୍ଥାନରେ ସରକାର ଥିବା କଂଗ୍ରେସ ଏଥର ହାରିଥିବା ବେଳେ ମଧ୍ୟପ୍ରଦେଶରେ ମଧ୍ୟ ହାରିଛି । ମୁଖ୍ୟ ବିରୋଧୀ ବିଜେପି ଠାରୁ ଦଳ ବହୁ ଭୋଟରେ ହାରିଥିବା ଦେଖିବାକୁ ମିଳିଥିଲା । ତେବେ ବର୍ତମାନ ହାରିବା ପଛର କାରଣ ତର୍ଜମା କରୁଛି କଂଗ୍ରେସ । ଯାହାକୁ ନେଇ ଦଳ ଅନେକ କିଛି ପରିବର୍ତ୍ତନ କରୁଥିବା କୁହାଯାଉଛି।

ବିଶେଷକରି ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ପରାଜୟ ପରେ କଂଗ୍ରେସ ସଂଗଠନରେ ବଡ଼ ଧରଣର ପରିବର୍ତ୍ତନ କରିଛି। ଦଳ କମଲନାଥଙ୍କୁ ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ବଦଳାଇ ଜିତୁ ପାଟୱାରୀଙ୍କୁ ନୂଆ ସଭାପତି ଭାବେ ନିଯୁକ୍ତ କରିଛି। ଉମଙ୍ଗ ସିଂହାରଙ୍କୁ ବିରୋଧୀ ଦଳ ନେତା ଓ ହେମନ୍ତ କଟାରେଙ୍କୁ ବିରୋଧୀ ଦଳ ଉପନେତା ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ଗୋବିନ୍ଦ ସିଂହ ବିରୋଧୀ ଦଳ ନେତା ଥିଲେ।

କଂଗ୍ରେସ ପକ୍ଷରୁ ଜାରି ହୋଇଥିବା ଏକ ପ୍ରେସ ବିଜ୍ଞପ୍ତିରେ, ଦଳର ଅଧ୍ୟକ୍ଷ ମଲ୍ଲୀକାର୍ଜୁନ ଖର୍ଗେ ଏହି ନିଷ୍ପତ୍ତି ନେଇଥିବା ସୂଚନା ଦିଆଯାଇଛି। ଏହା ସହିତ ଦଳ ପ୍ରତି କମଲନାଥଙ୍କ ଯୋଗଦାନକୁ ପ୍ରଶଂସା କରାଯାଇଛି। ଏହା ବ୍ୟତୀତ ଛତିଶଗଡରେ ଦଳ ରାଜ୍ୟ ସଭାପତି ଦୀପକ ବୈଜଙ୍କ କାର୍ୟ୍ୟକାଳ ଜାରି ରଖିଛି। ଏବଂ ଛତିଶଗଡରେ ଚନ୍ଦ୍ରଦାସ ମହନ୍ତଙ୍କୁ ଦଳ ବିରୋଧୀ ଦଳର ନେତା କରିଛି।