fbpx

ପାରାଦୀପରେ ଚାଲିଛି ‘ଅଗ୍ନିବୀର’ ନିଯୁକ୍ତି ରାଲି: ଜାଣନ୍ତୁ କେତେ ଦିନ ପାଇଁ ?

ପାରାଦୀପ, (ଓଡ଼ିଶା ଭାସ୍କର): ପାରାଦୀପ ଗୋପବନ୍ଧୁ ଷ୍ଟାଡିୟମରେ ଆଜି ଠାରୁ ଆରମ୍ଭ ହୋଇଛି ‘ଅଗ୍ନିବୀର’ ନିଯୁକ୍ତି ରାଲି । ଆସନ୍ତା୧୪ ତାରିଖ ପର୍ଯ୍ୟନ୍ତ ୮ ଦିନ ଧରି ଏହା ଚାଲିବ । ରାଜ୍ୟର ୧୦ଟି ଜିଲ୍ଲାର ୨୦ ହଜାର ୯୪୧ ଜଣ ଯୁବକ ଏଥିପାଇଁ ନାମ ପଞ୍ଜିକରଣ କରିଛନ୍ତି । କେବଳ ଜଗତସିଂହପୁର ଜିଲ୍ଲାର ୧ ହଜାର ଯୁବକ ନାମ ପଞ୍ଜିକରଣ କରିଥିବା ଜଣାପଡିଛି ।

ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଯାଜପୁର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ନୟାଗଡ଼, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାର ଯୁବକଙ୍କ ପାଇଁ ଏଥର ନିଯୁକ୍ତି ସୁଯୋଗ ରହିଛି । ଜେନେରାଲ ଡ୍ୟୁଟି, କ୍ଲର୍କ, ଷ୍ଟୋର କିପର, ଟେକ୍ନିକାଲ୍, ହାଉସକିପର ଏବଂ ଟ୍ରେଡ୍ସମ୍ୟାନ ଆଦି ଅଗ୍ନିପଥ ଯୋଜନାରେ ୬ ପ୍ରକାର ପଦବୀ ପାଇଁ ଆଶାୟୀ ଯୁବକମାନେ ଆବେଦନ କରିଛନ୍ତି ।

ପ୍ରଶାସନ ପକ୍ଷରୁ ପାରାଦୀପ କଲେଜ, ଶିଶୁ ବିଦ୍ୟାମନ୍ଦିର, ଡିଏଭି ସ୍କୁଲ, ଏନଏସି ହାଇସ୍କୁଲ, ଏନଏସି ଗାର୍ଲ୍ସ ହାଇସ୍କୁଲ, ସଞ୍ଜୟ ଗାନ୍ଧୀ ହାଇସ୍କୁଲ ଆଦି ସ୍ଥାନରେ ପ୍ରାର୍ଥୀମାନଙ୍କ ରହିବା ପାଇଁ ବ୍ୟବସ୍ଥା କରିଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ତେବେ ଦୁଇ ରାତି ହେଲାଣି ଅନେକ ପ୍ରାର୍ଥୀ ଫୁଟପାଥରେ ଶୋଇଥିବା ଦେଖିବାକୁ ମଳିଛି । ଦଶହରା ଭସାଣି ଯୋଗୁଁ ବଡପଡିଆ ମାର୍କେଟ ବନ୍ଦ ଥିବାରୁ ପ୍ରଥମ ରାତିରେ ଖାଇବା ପାଇଁ ପ୍ରାର୍ଥୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ସେପଟେ ପ୍ରଶାସନ ଦ୍ୱାରା ବ୍ୟବସ୍ଥିତ ରହଣି ସ୍ଥଳ ମଧ୍ୟରୁ ଅଧିକାଂଶ ସ୍ଥାନ ଗୋପବନ୍ଧୁ ଷ୍ଟାଡିୟମ ଠାରୁ ଦୂରରେ ଥିବାରୁ ପିଲାମାନେ ସେଠାରେ ରହିବାକୁ ଚାହୁଁନଥିବା ଜଣାପଡିଛି । ତାଛଡା କେଉଁଠାରେ ରହଣୀ ପାଇଁ ବ୍ୟବସ୍ଥା ହୋଇଛି ତାହା ପିଲାମାନେ ଜାଣିପାରୁ ନଥିବା କହିଛନ୍ତି । ସେଥିପ୍ରତି ପ୍ରଶାସନ ଆଦୌ ଧ୍ୟାନ ଦେଇନଥିବା ସ୍ପଷ୍ଟ ହୋଇଛି । ଯେଉଁଥିପାଇଁ ଦୂରଦୂରାନ୍ତରୁ ବିଭିନ୍ନ ଜିଲ୍ଲାରୁ ଆସିଥିବା ପିଲାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Get real time updates directly on you device, subscribe now.