fbpx

୯୪ ଥର ନିର୍ବାଚନ ହାରି ରେକର୍ଡ କରିଛନ୍ତି ଏହି ବ୍ୟକ୍ତି, ସେଞ୍ଚୁରୀ କରିବା ପାଇଁ ରଖିଛନ୍ତି ଲକ୍ଷ୍ୟ

ନୂଆଦିଲ୍ଲୀ: କୁହାଯାଏ, ଅନେକ ଥର ଜିଦ୍ କରିବା ଦ୍ୱାରା ମଧ୍ୟ ରେକର୍ଡ ବନିଯାଏ । ସେହିଭଳି କିଛି ଦେଖିବାକୁ ମିଳିଛି ଆଗ୍ରାରେ । ଏଠାରେ ଜଣେ ବ୍ୟକ୍ତି ନିର୍ବାଚନ ଲଢ଼ିବାରେ ରେକର୍ଡ କରିଛନ୍ତି । ହେଲେ କେଉଁ ଥର ବି ସେ ଜିତି ନାହାନ୍ତି । ଏବେସୁଦ୍ଧା ଏହି ବ୍ୟକ୍ତି ୯୪ ଥର ନିର୍ବାଚନ ଲଢ଼ିସାରିଲେଣି । ଆଉ ୧୦୦ ଥର ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବା ନେଇ ଲକ୍ଷ୍ୟ ରଖିଛନ୍ତି । ଚଳିତ ଥର ମଧ୍ୟ ସେ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ଦୁଇଟି ଜାଗାରୁ ଠିଆ ହୋଇଛନ୍ତି ।

ତେବେ ନିର୍ବାଚନରେ ହାର୍-ଜିତ୍ ଜନତାଙ୍କ ହାତରେ ରହିଥାଏ । ଆଗ୍ରାର ଖେରଗଢ଼ ତହସିଲ ନଗଲା ରାମନଜରରେ ରହୁଥିବା ହନୁରାମ ଅମ୍ବେଡକରୀ ଏପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବାରେ ରେକର୍ଡ କରିସାରିଛନ୍ତି । ସେ ୧୯୮୫ରୁ ୨୦୨୨ ପର୍ଯ୍ୟନ୍ତ ପ୍ରତିଟି ଛୋଟ ବଡ଼ ନିର୍ବାଚନରେ ଭାଗ ନେଇଛନ୍ତି । ଏବେସୁଦ୍ଧା ୯୪ ଥର ନିର୍ବାଚନ ଲଢ଼ି ରେକର୍ଡ କରିସାରିଛନ୍ତି ଓ ସେଞ୍ଚୁରୀ କରିବା ଲକ୍ଷ୍ୟରେ ଚେଷ୍ଟା ଜାରି ରଖିଛନ୍ତି । ହସନୁରାମ କୁହନ୍ତି ଯେ, “ମୁଁ ଏଥିପାଇଁ ବଞ୍ଚିଛି ଯାହାଦ୍ୱାରା ମୁଁ ୧୦୦ ଥର ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିପାରିବି । ମୋ ନଜର ସବୁବେଳେ ଆଗାମୀ ନିର୍ବାଚନ ଉପରେ ରହିବ” ।

ସେ କହିଛନ୍ତି ଯେ, କିଛି ବର୍ଷ ତଳେ କୌଣସି ଏକ ବିଧାୟକ ତାଙ୍କ ନିର୍ବାଚନ ଲଢ଼ିବାକୁ ନେଇ ପରିହାସ କରିଥିଲେ । ଆଉ ସେହି କଥା ତାଙ୍କ ହୃଦୟରେ ରହିଯାଇଛି । ସେହି ଦିନଠାରୁ ସ୍ଥିର କରିଥିଲେ ଯେ, ନିର୍ବାଚନ ଲଢ଼ିବେ । ତାପରଠାରୁ କୌଣସି ଏମିତି ନିର୍ବାଚନ ନାହିଁ ଯାହାକି ସେ ଲଢ଼ିନାହାନ୍ତି । ସେ ରାଷ୍ଟ୍ରପତି ଠାରୁ ଆରମ୍ଭ କରି ବ୍ଲକ୍ ପର୍ଯ୍ୟନ୍ତ, ସବୁ ନିର୍ବାଚନ ଲଢ଼ିଆସୁଛନ୍ତି । ସେ ସ୍ଥିର କରିଛନ୍ତି ଯେ, ଯେ ପର୍ଯ୍ୟନ୍ତ ସେ ବଞ୍ଚିଛନ୍ତି ସେଯାଏଁ ସେ ନିର୍ବାଚନ ଲଢ଼ିବେ ।

Get real time updates directly on you device, subscribe now.