fbpx

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମେତ ଏହି ତିନି ଖେଳାଳି ଦଳରେ ରଖିଲା ଅହମ୍ମଦାବାଦ ଫ୍ରାଞ୍ଚାଇଜି

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)୨୦୨୨ ସିଜିନ୍ ପାଇଁ ଖେଳାଳିଙ୍କ ମେଗା ନିଲାମ ପୂର୍ବରୁ ଅହମ୍ମଦାବାଦ ଫ୍ରାଞ୍ଚାଇଜି ନିଜର ତିନି ଖେଳାଳି ଚୟନ କରି ନେଇଛି। ଫ୍ରାଞ୍ଚାଇଜି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ରଶିଦ ଖାନ ଏବଂ ଶୁଭମାନ ଗିଲ୍ଙ୍କୁ ଦଳରେ ସାମିଲ୍ କରିଛି। ଇଏସପିଏନ କ୍ରିକଇନଫୋ ସୂତ୍ରରୁ ଏହା ଜଣା ପଡିଛି।

ଅହମ୍ମଦାବାଦ ହାର୍ଦ୍ଦିକ ଏବଂ ରଶିଦଙ୍କୁ ୧୫-୧୫ କୋଟି ଟଙ୍କାରେ ଚୁକ୍ତି କରିଥିବା ବେଳେ ଶୁଭମାନ ଗିଲ୍ଙ୍କ ପାଇଁ ୭ କୋଟି ଟଙ୍କା ଖର୍ଚ୍ଚ କରିଛି। ଏଥିସହ ଅହମ୍ମଦାବାଦ ଫ୍ରାଞ୍ଚାଇଜି ନିଜର କୋଚିଂ ଷ୍ଟାଫକୁ ଚୂଡାନ୍ତ ରୂପ ଦେଇଛି। ଭାରତର ପୂର୍ବତନ ଦ୍ରୁତ ବୋଲର ଆଶିଷ ନେହେରା ଏବଂ ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟସମାନ ତଥା ଭାରତୀୟ ଦଳର ପୂର୍ବତନ କୋଚ୍ ଗ୍ୟାରି କର୍ଷ୍ଟନଙ୍କୁ କୋଚିଂ ଷ୍ଟାଫରେ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ଦେଇଛି। ଇଂଲଣ୍ଡର ପୂର୍ବତନ ବ୍ୟାଟସମ୍ୟାନ ବିକ୍ରମ ସୋଲାଙ୍କି ଦଳର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି।

ହାର୍ଦ୍ଦିକଙ୍କୁ ଫ୍ରାଞ୍ଚାଇଜି ଦଳର ଅଧିନାୟକ ଭାବେ ନିଯୁକ୍ତ କରିପାରେ। ଏହା ପୂର୍ବରୁ ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସ, ରଶିଦ ଖାନ ସନରାଇଜର୍ସ ହାଇଦ୍ରାବାଦ ଏବଂ ଶୁଭମାନ ଗିଲ୍ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଖେଳୁଥିଲେ।
ଫ୍ରାଞ୍ଚାଇଜି ହାର୍ଦ୍ଦିକ ଓ ରଶିଦଙ୍କୁ ସମାନ ୧୫-୧୫ କୋଟି ଟଙ୍କା ଦେବାକୁ ନିଷ୍ପତ୍ତି ନେଇଥିବା ବେଳେ ଗିଲ୍ଙ୍କୁ ୭ କୋଟି ମିଳିବ। କିନ୍ତୁ ନିୟମ ଅନୁସାରେ ଫ୍ରାଞ୍ଚାଇଜି ତିନି ଖେଳାଳିଙ୍କୁ ଚୟନ କଲେ ଯଥାକ୍ରମେ ୧୫ କୋଟି, ୧୧ କୋଟି ଏବଂ ୭ କୋଟି ଟଙ୍କା ଖର୍ଚ୍ଚ କରି ପାରିବେ। ନିୟମ ଅନୁଯାୟୀ, ନୂତନ ଦୁଇ ଫ୍ରାଞ୍ଚାଇଜି ସର୍ବାଧିକ ୩ ଖେଳାଳିଙ୍କୁ ଦଳରେ ରଖି ପାରିବେ। ଏଥିରୁ ୨ ଭାରତୀୟ ଏବଂ ଜଣେ ବିଦେଶୀ ଖେଳାଳି ରହି ପାରିବେ। ଉଲ୍ଲେଖନୀୟ ୨୦୨୨ ଆଇପିଏଲ ପାଇଁ ଫେବୃଆରୀ ୧୧ ଏବଂ ୧୨ରେ ବେଙ୍ଗାଲୁରୁରେ ଖେଳାଳିଙ୍କ ନିଲାମ ହେବାକୁ ଯାଉଛି।

Get real time updates directly on you device, subscribe now.