fbpx

ଅହମ୍ମଦାବାଦ ବ୍ଲାଷ୍ଟ: ଦୋଷୀଙ୍କୁ ସମାଜରେ ରହିବାର ଅନୁମତି ଦେବା, ମଣିଷଖିଆ ଚିତାବାଘକୁ ଖୋଲା ଛାଡିବା ପରି ସମାନ- କୋର୍ଟ

ଅହମ୍ମଦାବାଦ: ଗୁଜରାଟର ଅହମ୍ମଦାବାଦରେ ୨୦୦୮ ଜୁଲାଇ ୨୬ରେ ହୋଇଥିବା ସିରିଏଲ ବ୍ଲାଷ୍ଟରେ ନିଜର ନିଷ୍ପତ୍ତିରେ ସ୍ଵତନ୍ତ୍ର ଅଦାଲତ କଡା ଟିପ୍ପଣୀ କରିଛନ୍ତି। ସ୍ଵତନ୍ତ୍ର ଅଦାଲତ କହିଛନ୍ତି, ୩୮ ଦୋଷୀ ମୃତ୍ୟୁ ସଜା ପାଇବାକୁ ହକଦାର। ଏମିତି ଲୋକଙ୍କୁ ସମାଜରେ ରହିବାର ଅନୁମତି ଦେବା, ମଣିଷ ଖିଆ ଚିତାବାଘକୁ ଖୋଲା ଛାଡି ଦେବା ପରି ସମାନ। ଯେଉଁ ଲୋକେ ଅକାରଣରେ ନିର୍ଦ୍ଦୋଷ ଲୋକଙ୍କ ହତ୍ୟା କରନ୍ତି, ସେମାନଙ୍କୁ ସମାଜରେ ବଞ୍ଚି ରହିବାର କୌଣସି ହକ୍ ନାହିଁ ବୋଲି ଅଦାଲତ ନିଜ ରାୟରେ କହିଛନ୍ତି।

୨୦୦୮ରେ ଅହମ୍ମଦାବାଦ ସିରିଏଲ ବ୍ଲାଷ୍ଟ ମାମଲାରେ ସ୍ଵତନ୍ତ୍ର ଅଦାଲତ ଶୁକ୍ରବାର ଆାତଙ୍କବାଦୀ ସଂଗଠନ ଇଣ୍ଡିଆାନ ମୁଜାହିଦ୍ଦୀନର ୩୮ ସଦସ୍ୟଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇଛି। ଏହି ମାମଲାରେ ଅଦାଲତ ଆଇଏମର ୧୧ ଅନ୍ୟ ଦୋଷୀଙ୍କୁ ଆାଜୀବନ କାରାଦଣ୍ଡ ଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ପୀଡିତ ପକ୍ଷ ଏହି ମାମଲାରେ ସମସ୍ତ ୪୯ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡ ଦେବାକୁ ଦାବି କରିଥିଲେ।

ଏହି ବୋମା ବିସ୍ଫୋରଣ ଘଟଣାରେ ୫୬ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୨୦୦ରୁ ଅଧିକ ଲୋକେ ଆହତ ହୋଇଥିଲେ। ପ୍ରଥମ ଥର ଦେଶରେ କୌଣସି ଅଦାଲତ ଏତେ ସଂଖ୍ୟକ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି। ୩୮ ଦୋଷୀଙ୍କ ମୃତ୍ୟୁ ଦଣ୍ଡ ବିଷୟରେ ଅଦାଲତ କହିଛନ୍ତି, ଦେଶବାସୀଙ୍କ ଶାନ୍ତି ଏବଂ ସୁରକ୍ଷା ପାଇଁ ଏମିତି ଆତଙ୍କୀ ଘଟଣା ଘଟାଉଥିବା ଲୋକଙ୍କ ପାଇଁ ମୃତ୍ୟୁ ସଜା ଏକ ମାତ୍ର ବିକଳ୍ପ।

ସ୍ଵତନ୍ତ୍ର ବିଚାରପତି ଏଆର ପଟେଲ୍ ନିଜ ଆଦେଶରେ କହିଛନ୍ତି, ଦୋଷୀମାନେ ଶାନ୍ତିପୂର୍ଣ୍ଣ ସମାଜରେ ଅଶାନ୍ତିର ବାତାବରଣ ସୃଷ୍ଟି କରିଛନ୍ତି। ଏଠାରେ ରହି ଦେଶ ବିରୋଧୀ ଗତିବିଧି ଘଟାଇଛନ୍ତି। କେନ୍ଦ୍ର ଏବଂ ଗୁଜରାଟରେ ସାମ୍ବିଧାନିକ ଭାବେ ନିର୍ବାଚିତ ସରକାରଙ୍କ ପ୍ରତି ଏମାନଙ୍କ ମନରେ କୌଣସି ସମ୍ମାନ ନାହିଁ। ଏମାନଙ୍କ ମଧ୍ୟରୁ କିଛି ସରକାର କି ନ୍ୟାୟାଳୟ ପ୍ରତି ନୁହେଁ ବରଂ କେବଳ ଆଲ୍ହାରେ ଭରସା କରନ୍ତି।

Get real time updates directly on you device, subscribe now.