fbpx

AIIMSକୁ ମିଳିଲା ବିରାଟ ସଫଳତା: ପ୍ରଥମ କିଡନୀ ପ୍ରତିରୋପଣରେ ରଚିଲା ମାଇଲଖୁଣ୍ଟ

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ଏହାର ପ୍ରଥମ ଦଶନ୍ଧିର ସଫଳ ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ ଯୋଡ଼ିଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭରସାର କେନ୍ଦ୍ରବିନ୍ଦୁ ପାଲଟିଥିବା ଏମ୍ସରେ ସଫଳତାର ସହିତ ପ୍ରଥମ କିଡନୀ ପ୍ରତି‌ରୋପଣ ହୋଇଛି । ଏମ୍ସରେ ହୋଇଥିବା ଏହି ଅପରେସନ ଅସୁସ୍ଥ ପୁଅଙ୍କୁ ପିତା ନିଜ କିଡନୀ ଦାନ କରିଥିଲେ। ତେବେ ପ୍ରତିରୋପଣ ପରେ ଉଭୟ ପିତା ପୁତ୍ର ସୁସ୍ଥ ଥିବା ସୂଚନା ଦେଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ। ଉଭୟ ସୁସ୍ଥ ଥିବାରୁ ଏହି ପ୍ରତିରୋପଣରେ ସାମିଲ ଡାକ୍ତରୀ ଦଳ ସନ୍ତୋଷ ପ୍ରକାଶ କରିଛନ୍ତି।

ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଡ. ଆଶୁତୋଷ ବିଶ୍ବାସ ପ୍ରଥମ ସଫଳ କିଡନୀ ପ୍ରତିରୋପଣରେ ସନ୍ତୋଷ ବ୍ୟକ୍ତ କରିବା ସହିତ ଏଥିରେ ସଂପୃକ୍ତ ଡାକ୍ତରୀ ଦଳ ଏବଂ ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏନେଇ ଡ. ବିଶ୍ବାସ କହିଛନ୍ତି ଯେ, ଡାଇବେଟିସ୍, ଉଚ୍ଚ ରକ୍ତଚାପ ଏବଂ ଅନ୍ୟାନ୍ୟ କିଡନୀ ରୋଗର ବୃଦ୍ଧି ସହିତ ସମାଜରେ କ୍ରୋନିକ୍ କିଡନୀ ରୋଗ (CKD) ସଂଖ୍ୟା ବୃଦ୍ଧି ପାଉଛି। ଏଣୁ ପୂର୍ବ ଭାରତରେ ବୃକକ୍‌ ପ୍ରତିରୋପଣ ସେବାର ଆବଶ୍ୟକତା ବୃଦ୍ଧି ପାଉଛି। ଘରୋଇ ଡାକ୍ତରଖାନା ଗୁଡ଼ିକରେ ପ୍ରତିରୋପଣ ପ୍ରକ୍ରିୟା ବ୍ୟୟବହୁଳ ହୋଇଥାଏ। ମାତ୍ର ଏମ୍ସରେ ଏହି ସେବା ଆରମ୍ଭ ହେବାରୁ ସମାଜର ସମସ୍ତ ବର୍ଗର ଲୋକ ସୁଲଭ ମୂଲ୍ୟରେ ପ୍ରତିରୋପଣ ସେବାର ଲାଭ ନେବା ସହିତ ସୁସ୍ଥ ରହି ପାରିବେ ବୋଲି ଡ. ବିଶ୍ବାସ ପ୍ରକାଶ କରିଛନ୍ତି। ଏଥି ସହିତ ଏମ୍ସ ଭୁବନେଶ୍ୱର ନିକଟ ଭବିଷ୍ୟତରେ ଯକୃତ ଏବଂ ଅସ୍ଥି ମଜ୍ଜା ପ୍ରତିରୋପଣ ଆରମ୍ଭ କରିବା ନେଇ ପ୍ରକ୍ରିୟା ଆରମ୍ଭ କରିଥିବା ଡ. ବିଶ୍ବାସ ସୂଚନା ଦେଇଛନ୍ତି।

କିଡ୍‌ନୀ ପ୍ରତିରୋପଣ ଆରମ୍ଭ କରିଥିବାରୁ ଏମ୍ସ ଭୁବନେଶ୍ୱର ପ୍ରେସିଡେଣ୍ଟ୍‌ ପ୍ରଫେସର ଡ. ସୁବ୍ରତ ଆଚାର୍ୟ୍ୟ ମଧ୍ୟ ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ମେଡିକାଲ୍‌ ଅଧୀକ୍ଷକ ଡ. ଏସ୍ ଏନ୍‌ ମହାନ୍ତି ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇବା ସହିତ ଭବିଷ୍ୟତ ନିମନ୍ତେ ଶୁଭେଚ୍ଛା ଜଣାଇଛନ୍ତି। କିଡ୍‌ନୀ ପ୍ରତିରୋପଣ କରିଥିବା ଡାକ୍ତରୀ ଦଳରେ ନେଫ୍ରୋଲୋଜି (ବୃକକ୍‌) ବିଭାଗର ଡ. ସନ୍ଦୀପ ପଣ୍ଡା ନେତୃତ୍ବ ନେଇଥିଲେ। ସେହିପରି ସର୍ଜିକାଲ ଟିମର ମୁଖ୍ୟ ୟୁରୋଲୋଜି ବିଭାଗ ମୁଖ୍ୟ ଡ. ପ୍ରଶାନ୍ତ ନାୟକଙ୍କ ନେତୃତ୍ୱରେ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଡ. ମନୋଜ ଦାସ, ଡ. ସ୍ବର୍ଣ୍ଣେନ୍ଦୁ ମଣ୍ଡଳ, ଡ. ସମ୍ବିତ ତ୍ରିପାଠୀ ପ୍ରମୁଖ ଡାକ୍ତରୀ ଦଳର ଅଂଶ ଥିଲେ।

ଏଭଳି ମହତ୍ୱପୂର୍ଣ୍ଣ କାର୍ୟ୍ୟକୁ ସଫଳ କରିବାରେ ସହଯୋଗ କରିଥିବାରୁ ଏମ୍ସ ଭୁବନେଶ୍ୱରର ପ୍ରାଶାସନିକ ଦଳର ଉଦ୍ୟମକୁ ନିର୍ଦ୍ଦେଶକ ଡ. ବିଶ୍ବାସ ପ୍ରଶଂସା କରିଛନ୍ତି। କିଡ୍‌ନୀ ପ୍ରତିରୋପଣ ନିମନ୍ତେ ଏମ୍ସରେ ସଂଖ୍ୟାଧିକ ରୋଗୀ ପଞ୍ଜିକରଣ କରୁଛନ୍ତି।

Get real time updates directly on you device, subscribe now.