ଭାଇକୁ ଶେଷ ବିଦାୟ ଦେବା ପାଇଁ, ହସ୍ପିଟାଲ ବେଡ଼ରୁ କାନ୍ଦି କାନ୍ଦି ଆସିଲେ ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ବିଶ୍ୱାସ
ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଭାଇକୁ କାନ୍ଦି କାନ୍ଦି ଦେଲେ ଶେଷ ବିଦାୟ।
ଅହମ୍ମଦାବାଦ: ଜୁନ୍ ୧୨ ତାରିଖରେ ଅହମ୍ମଦାବାଦରେ ଘଟିଥିବା ଭୟଙ୍କର ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରୁ ବଞ୍ଚିଯାଇଥିବା ଏକମାତ୍ର ବ୍ୟକ୍ତି ବିଶ୍ୱାସ କୁମାର ରମେଶଙ୍କୁ ଅହମ୍ମଦାବାଦ ସିଭିଲ୍ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।
ହସ୍ପିଟାଲରୁ ଡିସଚାର୍ଜ ହେବା ପରେ, ବିଶ୍ୱାସ ତାଙ୍କ ଭାଇ ଅଜୟଙ୍କ ଶବକୁ କାନ୍ଧରେ ବୋହି କାନ୍ଦି କାନ୍ଦି ବିଦାୟ ଦେଇଛନ୍ତି, ଯିଏକି ଏହି ଭୟଙ୍କର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ଶେଷକୃତ୍ୟ ସମୟରେ ବିଶ୍ୱାସ କାନ୍ଦି କାନ୍ଦି ଭାଙ୍ଗି ପଡ଼ିଥିଲେ।
ବିମାନ ଦୁର୍ଘଟଣା: ଜୁନ୍ ୧୨ ତାରିଖରେ, ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଲଣ୍ଡନର ଗାଟୱିକ୍ ବିମାନବନ୍ଦରକୁ ଉଡ଼ାଣ ଭରିବା ଆରମ୍ଭ କରିଥିଲା ବିମାନ।
ଏୟାର ଇଣ୍ଡିଆର ଏକ ବୋଇଂ ୭୮୭-୮ ଡ୍ରିମଲାଇନର ବିମାନ ଉଡ଼ାଣ ଆରମ୍ଭ ହେବାର କିଛି ସେକେଣ୍ଡ ପରେ ବି.ଜେ. ମେଡିକାଲ କଲେଜ ଏବଂ ସିଭିଲ୍ ହସ୍ପିଟାଲ୍ ନିକଟରେ ଥିବା ଏକ ହଷ୍ଟେଲରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ୨୪୨ ଜଣ ଥିଲେ, ଯେଉଁଥିରୁ ବିଶ୍ୱାସଙ୍କ ଭାଇ ଅଜୟଙ୍କ ସମେତ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିଲା।
ସିଟ୍ ନମ୍ବର ୧୧ଏ: ବିମାନରେ ଉପସ୍ଥିତ ଥିବା ବିଶ୍ୱାସ ଏହି ଦୁର୍ଘଟଣାରୁ ବଞ୍ଚି ଯାଇଛନ୍ତି। ବିଶ୍ୱାସ ସିଟ୍ ନମ୍ବର ୧୧ଏରେ ବସିଥିଲେ। ସେ କହିଥିଲେ ଯେ ଉଡ଼ାଣ ଭରିବାର ୩୦ ସେକେଣ୍ଡ ପରେ ଏକ ଜୋରଦାର ବିସ୍ଫୋରଣ ହୋଇଥିଲା ଏବଂ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
#WATCH | Diu | Lone survivor of AI-171 flight crash, Vishwas Ramesh Kumar, mourns the death of his brother Ajay Ramesh, who was travelling on the same flight
Vishwas Ramesh Kumar is a native of Diu and is settled in the UK. pic.twitter.com/fSAsCNwGz5
— ANI (@ANI) June 18, 2025
‘ମୁଁ ମୋ ଚାରିପାଖରେ ମୃତଦେହ ଦେଖିଲି’: ବିଶ୍ୱାସ କହିଥିଲେ ଯେ ସେ ଜରୁରୀକାଳୀନ ପ୍ରସ୍ଥାନ ଦ୍ୱାର ପାଖରେ ବସିଥିଲେ, ଯାହା ତାଙ୍କୁ ବିମାନରୁ ବାହାରକୁ ଆସିବାକୁ ବାଟ ଦେଖାଇଥିଲା।
ସେ କହିଥିଲେ, “ମୁଁ ମୋ ଆଖି ଖୋଲିବା ବେଳକୁ ଚାରିପାଖରେ ମୃତଦେହ ଦେଖିଲି। ମୁଁ ଭୟଭୀତ ହୋଇଯାଇଥିଲି, କିନ୍ତୁ କୌଣସି ପ୍ରକାରେ ମୁଁ ମୋର ସିଟ୍ ବେଲ୍ଟ ଖୋଲି ବାହାରକୁ ଆସିଲି।”
ଡିଏନଏ ମ୍ୟାଚ୍: ଆପଣଙ୍କୁ ଜଣାଇ ଦିଆଯାଉଛି ଯେ ବିଶ୍ୱାସ କୁମାର ଦିଉର ମୂଳ ବାସିନ୍ଦା ଏବଂ ୟୁକେରେ ବାସ କରନ୍ତି। ତାଙ୍କ ଭାଇଙ୍କ ସହ ସେ ଲଣ୍ଡନ ଯାଉଥିଲେ। ହେଲେ ଏହି ବିମାନ ଦୁର୍ଘଟଣାରେ ବିଶ୍ୱାସ ସିନା ବଞ୍ଚିଗଲେ ହେଲେ ତାଙ୍କ ଭାଇଙ୍କ ମୃତ୍ୟୁ ହେଲା।
ପରେ ମୃତକଙ୍କ ଅବସ୍ଥା ଏତେ ଭୟଙ୍କର ଥିଲା ଯେ, ଚିହ୍ନଟ କରିବା ସମ୍ଭବ ହେଉନଥିଲା। ତେଣୁ ମୃତକଙ୍କ ପରିବାର ଲୋକଙ୍କ DNA ଚିହ୍ନଟ ପରେ ପରିବାରକୁ ମୃତଦେହ ହସ୍ତାନ୍ତର କରାଯାଉଛି।
ସେହିପରି ବିଶ୍ୱାସଙ୍କ ଭାଇଙ୍କ ଡିଏନଏ ମ୍ୟାଚ୍ ହେବା ପରେ, ଅଜୟଙ୍କ ମୃତଦେହ ବିଶ୍ୱାସଙ୍କୁ ହସ୍ତାନ୍ତର କରାଯାଇଥିଲା। ଯାହା ପରେ ଆଜି ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଏହି ସମୟରେ ବିଶ୍ୱାସ ତାଙ୍କ ଭାଇଙ୍କ ଶବକୁ କାନ୍ଧ ଦେଇ କାନ୍ଦି ପକାଇଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱାସଙ୍କୁ ଭେଟିଥିଲେ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦର ସିଭିଲ୍ ହସ୍ପିଟାଲରେ ବିଶ୍ୱାସଙ୍କୁ ଭେଟିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ମଧ୍ୟ ପଚାରିଥିଲେ। ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ବିଶ୍ୱାସ କହିଥିଲେ ଯେ ଏସବୁ ମୋ ଆଖି ସାମ୍ନାରେ ଘଟିଥିଲା ଏବଂ ମୁଁ ବିଶ୍ୱାସ କରିପାରୁ ନଥିଲି ଯେ ମୁଁ ବଞ୍ଚିଗଲି।