ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି: ପଶ୍ଚିମ ଏସିଆ ଦେଇ ଉଡ଼ାଣ କରିବ ନାହିଁ କୌଣସି ବିମାନ, ବିଜ୍ଞପ୍ତି ଜାରି କରି କହିଲା…

ନୂଆଦିଲ୍ଲୀ,୨୨ା୬: ଆମେରିକା ଏବେ ଇରାନ-ଇସ୍ରାଏଲ ଯୁଦ୍ଧରେ ଧସେଇ ପଶିଛି । ଯାହା ଯୋଗୁ ପରିସ୍ଥିତି ଆହୁରି ଉତ୍ତେଜନାପୂର୍ଣ୍ଣ ହୋଇଛି। ଏହି ସମୟରେ ଟାଟା ଗ୍ରୁପ୍ ବିମାନ କମ୍ପାନୀ ଏୟାର ଇଣ୍ଡିଆ ରବିବାର ଏକ ବିଜ୍ଞପ୍ତି ଜାରି କରି କହିଛି ଯେ, ପଶ୍ଚିମ ଏସିଆ ଦେଇ ଯାଉଥିବା ଏହାର ବିମାନର ରୁଟ୍ ପରିବର୍ତ୍ତନ କରୁଛି। ଉତ୍ତର ଆମେରିକା ଏବଂ ୟୁରୋପକୁ ଯାଉଥିବା ବିମାନ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

ବିମାନ କମ୍ପାନୀ ଇରାନ, ଇରାକ ଏବଂ ଇସ୍ରାଏଲର ଆକାଶ ସୀମାକୁ ଏଡାଇବାକୁ ନିଷ୍ପତ୍ତି ନେଇସାରିଛି। ବର୍ତ୍ତମାନ ଏହା ପାରସ୍ୟ ଉପସାଗରର କିଛି ଅଞ୍ଚଳ ଉପରେ ମଧ୍ୟ ଏହାର ବିମାନ ଉଡ଼ାଣ ନକରିବାକୁ ଯୋଜନା କରୁଛି। ଏହି ପରିବର୍ତ୍ତନ ସଂଯୁକ୍ତ ଆରବ ଏମିରେଟ୍ସ, କତାର, ଓମାନ ଏବଂ କୁୱେତ ଭଳି ସ୍ଥାନଗୁଡ଼ିକୁ ଉଡ଼ାଣର ସମୟ ବୃଦ୍ଧି କରିପାରେ। ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି ଯେ, ଏହି ପରିବର୍ତ୍ତନ ଯୋଗୁ ଏହି ରୁଟ୍ ଗୁଡିକରେ ଉଡ଼ାଣର ସମୟ ସହିତ ୟୁରୋପ ଏବଂ ଉତ୍ତର ଆମେରିକାକୁ ଯାଉଥିବା କିଛି ବିମାନର ସମୟ ମଧ୍ୟ ବୃଦ୍ଧି ପାଇପାରେ।

ଏୟାର ଇଣ୍ଡିଆ ଏକ ବିବୃତ୍ତିରେ କହିଛି, ଉପସାଗର କ୍ଷେତ୍ରରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଏୟାର ଇଣ୍ଡିଆ ଗ୍ରୁପ୍ ନିଶ୍ଚିତ କରୁଛି ଯେ ଆମର ବିମାନଗୁଡ଼ିକ ବର୍ତ୍ତମାନ ଇରାନ, ଇରାକ ଏବଂ ଇସ୍ରାଏଲର ଆକାଶ ସୀମା ଦେଇ ଯାଉନାହିଁ। ବିବୃତ୍ତିରେ କୁହାଯାଇଛି, ଆମେ ଆଗାମୀ ଦିନରେ ପାରସ୍ୟ ଉପସାଗର ଉପରେ କିଛି ଆକାଶପଥ ବ୍ୟବହାର କରିବା ଏଡ଼ାଇବୁ ଏବଂ ଏହା ବଦଳରେ ସଂଯୁକ୍ତ ଆରବ ଏମିରେଟ୍ସ (UAE), କତାର, ଓମାନ ଏବଂ କୁୱେତ ସମେତ ଅନ୍ୟାନ୍ୟ ସ୍ଥାନକୁ ବିମାନ ଯାତ୍ରା ପାଇଁ ବିକଳ୍ପ ମାର୍ଗ ବାଛିବୁ।