fbpx

ଭାରତକୁ ଫେରୁଥିବା ୟୁକ୍ରେନ୍ ବିମାନ ଭଡ଼ା ହେଲା ମହଙ୍ଗା, ସମସ୍ୟାରେ ଡାକ୍ତରୀ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ୟୁକ୍ରେନ ଓ ଋଷିଆ ମଧ୍ୟରେ ଜାରି ରହିଥିବା ବିବାଦରେ ଫସିଯାଇଛନ୍ତି ଡାକ୍ତରୀ ଛାତ୍ରଛାତ୍ରୀ । ଅନେକ ଛାତ୍ରଛାତ୍ରୀଙ୍କୁ ୟୁକ୍ରେନରୁ ଭାରତକୁ ଫେରାଇ ଅଣାଯାଇଥିବା ବେଳେ ଆହୁରି ଅନେକ ରହିଯାଇଛନ୍ତି । ସେମାନେ ଫେରିବାକୁ ଚାହୁଁଛନ୍ତି କିନ୍ତୁ ଫେରିପାରୁନାହାନ୍ତି । କାରଣ ଭାରତକୁ ଫେରୁଥିବା ୟୁକ୍ରେନ ବିମାନର ଭଡ଼ା ଏବେ ଆକାଶଛୁଆଁ ହୋଇଯାଇଛି । ୟୁକ୍ରେନରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ବିମାନ ଭଡ଼ା ଏବେ ମହଙ୍ଗା ହୋଇଯାଇଛି ।

ଯେଉଁ ମାନଙ୍କୁ ଏବେ ଟିକେଟ୍ ମିଳୁଛି ତାହା ଅଧିକ ଦରରେ ମିଳୁଛି । ଯେଉଁଥିପାଇଁ ଛାତ୍ରଛାତ୍ରୀ ମାନେ ଖର୍ଚ୍ଚାନ୍ତ ହେଉଛନ୍ତି । ଅନ୍ୟପଟେ ୟୁକ୍ରେନ ଉପରେ ଋଷିଆ ଆକ୍ରମଣ ଆରମ୍ଭ କରିସାରିଲାଣି । ଆଜି ଡୋନେସ୍କରେ ୫ଟି ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି । ଯାହାପରେ ଯୁଦ୍ଧ ଆଶଙ୍କା ବଢ଼ିଯାଇଛି । ଖାଲି ସେତିକି ନୁହେଁ ୟୁକ୍ରେନ ଉପରେ ମିଲିଟାରୀ ଅପରେସନ୍ ନିର୍ଦ୍ଦେଶ ଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ୍ । ଏନେଇ ଆନ୍ତର୍ଜାତୀୟ ଗଣମାଧ୍ୟମରେ ସୂଚନା ଦିଆଯାଇଛି ।

ସୂଚନା ଯେ, ବୋଧଗୟାର ପାଖାପାଖି ୨୪ରୁ ଅଧିକ ଛାତ୍ରଛାତ୍ରୀ ୟୁକ୍ରେନରେ ଫସିଛନ୍ତି । ସେମାନଙ୍କ ଅଭିଭାବକ ମାନେ ଏବେ ଟିକେଟ୍ ବୁକିଂରେ ଲାଗିପଡ଼ିଛନ୍ତି । ସରକାରଙ୍କ ଜରୁରୀକାଳୀନ ପରିସ୍ଥିତି ଘୋଷଣା ପରେ ପିଲାମାନେ କିପରି ଦେଶକୁ ଫେରିବେ ସେହି ଚେଷ୍ଟା କରୁଛନ୍ତି । ଚାଟର୍ଡ ଫ୍ଲାଇଟ୍ ର ଭଡ଼ା ୫୦ ହଜାର ଯାଏଁ ପହଞ୍ଚିଛି । ପୂର୍ବରୁ ୩୦ରୁ ୩୫ ହଜାର ମଧ୍ୟରେ ଥିବା ବେଳେ ଏବେ ଏହା ୫୦ରୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.