ଅହମଦାବାଦ ବିମାନ ଦୁର୍ଘଟଣା ପରେ AISATS ଅଫିସରେ ପାର୍ଟି: ଏୟାର ଇଣ୍ଡିଆ ସହ ଜଡ଼ିତ କମ୍ପାନୀ ୪ ଜଣ ସିନିୟର ଅଧିକାରୀଙ୍କୁ ଚାକିରିରୁ କଲା ବିଦା
ନୂଆଦିଲ୍ଲୀ: ଅହମଦାବାଦରେ ଏୟାର ଇଣ୍ଡିଆର ଫ୍ଲାଇଟ AI-171 ଦୁର୍ଘଟଣାଗ୍ରସ୍ତ ହେବାର ମାତ୍ର କିଛି ଦିନ ପରେ ଏୟାର ଇଣ୍ଡିଆ ସାଟସ (AISATS) ର ଗୁରୁଗ୍ରାମ ଅଫିସରେ ଏକ ଡିଜେ ପାର୍ଟିରେ ସିନିୟର ଅଧିକାରୀମାନେ ନାଚୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କମ୍ପାନୀ ୪ ଜଣ ସିନିୟର କର୍ମଚାରୀଙ୍କୁ ବରଖାସ୍ତ କରିଛି। ଏହି ଘଟଣା ଜୁନ ୨୦, ୨୦୨୫ରେ ଘଟିଥିଲା, ଯାହା ଜୁନ ୧୨ରେ ହୋଇଥିବା ବିମାନ ଦୁର୍ଘଟଣାରେ ୨୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ପରେ ସାରା ଦେଶରେ ଶୋକର ଛାୟା ମଧ୍ୟରେ ଅତ୍ୟନ୍ତ ଅସମ୍ବେଦନଶୀଳ ବୋଲି ବିବେଚିତ ହୋଇଛି।
କ’ଣ ଥିଲା ଘଟଣା?
ଜୁନ ୧୨, ୨୦୨୫ରେ ଅହମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଲଣ୍ଡନ ଗାଟୱିକ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମଲାଇନର ଟେକଅଫ ପରେ କିଛି ସେକେଣ୍ଡରେ ବିଜେ ମେଡିକାଲ କଲେଜର ଛାତ୍ରାବାସ ଉପରେ କ୍ରାସ ହୋଇଥିଲା। ଏହି ଦୱର୍ଘଟଣାରେ ବିମାନରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଭୂମିରେ ଅନ୍ତତ ୩୮ ଜଣଙ୍କର ମୃତ୍ୟୁ ହୋଇଥିଲା। କେବଳ ଜଣେ ବ୍ରିଟିଶ ଯାତ୍ରୀ, ବିଶ୍ୱାସକୁମାର ରମେଶ, ଆସନ ୧୧ଏ ରେ ଥାଇ ଅଳ୍ପେ ବର୍ତ୍ତିଥିଲେ।
ପାର୍ଟି ଭିଡିଓ ଓ ବିବାଦ
ଏହି ଦୁର୍ଘଟଣାର ମାତ୍ର ୮ ଦିନ ପରେ, ଜୁନ ୨୦ରେ, AISATSର ଗୁରୁଗ୍ରାମ ଅଫିସରେ ଏକ ଡିଜେ ପାର୍ଟିରେ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆବ୍ରାହାମ ଜାକାରିଆ ଏବଂ ଅନ୍ୟ ସିନିୟର ଅଧିକାରୀମାନେ ନାଚୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। AISATS, ଯାହା ଟାଟା ଗ୍ରୁପର ଏୟାର ଇଣ୍ଡିଆ ଲିମିଟେଡ ଏବଂ ସିଙ୍ଗାପୁରର SATS ଲିମିଟେଡ ମଧ୍ୟରେ ୫୦:୫୦ ଯୁଗ୍ମ ଉଦ୍ୟୋଗ, ଦେଶର ବିଭିନ୍ନ ବିମାନବନ୍ଦରରେ ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ଓ କାର୍ଗୋ ସେବା ଯୋଗାଇଥାଏ। ଏହି ଭିଡିଓକୁ ଅସମ୍ବେଦନଶୀଳ ବୋଲି ବିବେଚନା କରାଯାଇଥିଲା, କାରଣ ଏହା ସେହି ସମୟରେ ସାମ୍ନାକୁ ଆସିଥିଲା ଯେତେବେଳେ ଅନେକ ପରିବାର ସେମାନଙ୍କ ପ୍ରିୟଜନଙ୍କ ମୃତଦେହ ପାଇବା ପାଇଁ ଅପେକ୍ଷା କରୁଥିଲେ ଏବଂ ଅନେକ ଶବ ଡିଏନଏ ପରୀକ୍ଷା ମାଧ୍ୟମରେ ଚିହ୍ନଟ ହେଉଥିଲା।
AISATSର ପ୍ରତିକ୍ରିୟା ଓ କାର୍ଯ୍ୟାନୁଷ୍ଠାନ
ଭାଇରାଲ ଭିଡିଓକୁ ନେଇ ଉଠିଥିବା ବିବାଦ ପରେ AISATS ଏକ ବିବୃତି ଜାରି କରି କହିଥିଲା, “ଆମେ ସୋସିଆଲ ମିଡିଆରେ ପ୍ରଚାରିତ ଏକ ଭିଡିଓ ବିଷୟରେ ଅବଗତ ଅଛୁ, ଯାହା ଦୁର୍ଭାଗ୍ୟବଶତଃ ସଂପୂର୍ଣ୍ଣ ଭାବେ ସନ୍ଦର୍ଭ ବର୍ହିଭୂତ। ତଥାପି, ଏହା ଯେଉଁ ମାନସିକ ଅସୁବିଧା ସୃଷ୍ଟି କରିଛି, ତା’ ପାଇଁ ଆମେ ଆନ୍ତରିକ ଭାବେ ଦୁଃଖିତ।” କମ୍ପାନୀ ଏହା ମଧ୍ୟ କହିଛି ଯେ ସେମାନେ AI-171 ଦୁର୍ଘଟଣାରେ ପ୍ରଭାବିତ ପରିବାରଙ୍କ ସହ ସହାନୁଭୂତି ରଖୁଛନ୍ତି ଏବଂ ଏହି ଘଟଣା ସେମାନଙ୍କ ମୂଲ୍ୟବୋଧର ପ୍ରତିଫଳନ ନୁହେଁ। ଫଳସ୍ୱରୂପ, କମ୍ପାନୀ ୪ ଜଣ ସିନିୟର ଅଧିକାରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଛି ଏବଂ ଅନ୍ୟ ଅନେକଙ୍କୁ ଚେତାବନୀ ଜାରି କରିଛି।