ନୂଆଦିଲ୍ଲୀ : ସାଧାରଣତଃ କ୍ରିକେଟ୍ ଖେଳାଳି, ଅଭିନେତାଙ୍କ ପରି ସେଲିବ୍ରିଟୀ ଏତେ ତେଣେ ଆବର୍ଜନା ନପକାଇବାର ସନ୍ଦେଶ ଦେଉଥିବା ଦେଖିବାକୁ ମିଳିଥାଏ। ମାତ୍ର ଯଦି ସେହି ସେଲିବ୍ରିଟୀ ଅପରିଷ୍କାର କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ସେଥିରୁ ଆଉ ଲଜ୍ଜାଜନକ ଘଟଣା କଣ ହୋଇପାରେ। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କ୍ରିକେଟର ଅଜୟ ଜାଡେଜା ଗାଁକୁ ଅପରିଷ୍କାର କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କ ଉପରେ ୫ ହଜାର ଟଙ୍କାର ଜରିମାନା ମଧ୍ୟ ଲଗାଯାଇଛି।
ପୂର୍ବତନ କ୍ରିକେଟ୍ ଖେଳାଳି ଅଜୟ ଜାଡେଜା ନର୍ଥ ଗୋଆର ନାଚିନୋଲା ଗାଁକୁ ଅପରିଷ୍କାର କରିବାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସୂଚନା ଅନୁଯାୟୀ, ଅଜୟ ଜାଡେଜାଙ୍କ ବଙ୍ଗଳା ଅଲଡୋନାରେ ରହିଛି। ପଡୋଶୀ ସରପଞ୍ଚଙ୍କ ଅନୁଯାୟୀ, ଏହି ପୂର୍ବତନ ଖେଳାଳି ନିଜର ଅଳିଆ ଆବର୍ଜନା ନାଚିନୋଲା ଗାଁରେ ପକାଇଛନ୍ତି। ନାଚିନୋଲା ଗାଁର ସରପଞ୍ଚ କହିଛନ୍ତି, ଅଜୟ ଜାଡେଜା ବିନା କିଛି ପ୍ରଶ୍ନ କରି ୫ ହଜାର ଟଙ୍କାର ଜରିମାନା ଦେଇଛନ୍ତି।
ସରପଞ୍ଚ ତ୍ରୁପ୍ତି ବାମ୍ବୋଡକର କହିଛନ୍ତି, ଗାଁରେ ଅପରିଷ୍କାରକୁ ନେଇ ଅସ୍ତବ୍ୟସ୍ତ ହୋଇ ପଡିଲୁଣି। ବାହାରର ଅଳିଆ ଆବର୍ଜନା ମଧ୍ୟ ଗାଁରେ ଫିଙ୍ଗା ଯାଉଛି। ଆମେ କିଛି ଯୁବକଙ୍କୁ ଗାଁର ଅଳିଆ ଆବର୍ଜନା ସଫା କରିବା ପାଇଁ ପଠାଇଥିଲୁ। ଏଥିସହ ଅଳିଆ ଫିଙ୍ଗୁଥିବା ଲୋକଙ୍କ ବିଷୟରେ ସନ୍ଧାନ କରିବାକୁ କହିଥିଲୁ। ଏହି ସମୟରେ ଆବର୍ଜନାରେ ଭର୍ତ୍ତି ଏକ ବ୍ୟାଗରୁ ଅଜୟ ଜାଡେଜାଙ୍କ ନାମରେ ବିଲ୍ ବାହାରିଥିଲା। ଏହା ପରେ ଯାଇ ଜାଡେଜାଙ୍କ ଘରର ଆବର୍ଜନା ଗାଁରେ ଫିଙ୍ଗା ଯାଇଥିବା ମାମଲା ସାମ୍ନାକୁ ଆସିଥିଲା। ପୁନର୍ବାର ଏମିତି କାମ ନକରିବାକୁ ଆମେ ଜାଡେଜାଙ୍କୁ କହିଥିବା ସରପଞ୍ଚ କହିଛନ୍ତି। ସରପଞ୍ଚ କହିଛନ୍ତି, ଆମେ ଗର୍ବିତ ଯେ, ଆମ ଗାଁରେ ଏତେ ବଡ କ୍ରିକେଟର ରହୁଛନ୍ତି। କିନ୍ତୁ ସେମାନଙ୍କୁ ଆବର୍ଜନା ଏତେ ତେଣେ ନପକାଇବା ନିୟମ ମାନିବା ଉଚିତ୍।
୫୦ ବର୍ଷୀୟ ଅଜୟ ଜାଡେଜା ଭାରତ ପାଇଁ ୧୫ଟି ଟେଷ୍ଟ ଓ ୧୯୬ଟି ଦିନିକିଆ ଖେଳିଛନ୍ତି। ଦିନିକିଆରେ ୬ ଶତକ ସହ ୫୩୫୯ ରନ କରିଛନ୍ତି। ଟେଷ୍ଟରେ ୨୬.୧୮ ହାରରେ ମାତ୍ର ୫୭୬ ରନ କରିଛନ୍ତି। ଜାଡେଜା ସଂପ୍ରତି କ୍ରିକେଟ୍ ଏକ୍ସପର୍ଟ ଭାବେ ଟିଭିରେ ନଜର ଆସୁଛନ୍ତି ଏବଂ ଭାଷ୍ୟକାର ଭୂମିକା ମଧ୍ୟ ତୁଲାଉଛନ୍ତି।