fbpx

ପୂର୍ବତନ କୁସ୍ତି କୋଚ୍‌କୁ କୋର୍ଟ ଶୁଣାଇଲେ ଫାଶୀ ଦଣ୍ଡ, ୪ ବର୍ଷର ଶିଶୁ ସହିତ ୬ଜଣଙ୍କୁ କରିଥିଲା ହତ୍ୟା

ନୂଆଦିଲ୍ଲୀ: ହରିୟାଣା ରୋହତକର ଏକ କୋର୍ଟ ଫେବୃୟାରୀ ୨୦୨୧ରେ ଏକ ୪ ବର୍ଷର ଶିଶୁ ସହିତ ୬ଜଣଙ୍କୁ ହତ୍ୟା ଅପରାଧରେ ଆଜି କୁସ୍ତିର ପୂର୍ବତନ କୋଚ୍‌ଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି । ଅତିରିକ୍ତ ଜିଲ୍ଲା ଓ ସେସନ ଜଜ୍ ଗଗନ ଗୀତ୍ କୌର ସୁଖବିନ୍ଦରଙ୍କୁ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ର ଧାରା ୩୦୨(ହତ୍ୟା) ଓ ୩୦୭(ହତ୍ୟା ପାଇଁ ପ୍ରାୟାସ) ସହିତ ବିଭିନ୍ନ ଧାରା ଓ ଅଧିନିୟମ ଜରିଆରେ ଦୋଷୀ ସାବ୍ୟସ୍ତ କରି ୧.୨୬ ଲକ୍ଷ ଟଙ୍କାର ଜୋରିମାନା ବି ଲଗାଇଛନ୍ତି ।

ପୋଲିସର କହିବା ଅନୁସାରେ ସୋନିପତ ଜିଲ୍ଲା ବଡୌଦା ଗ୍ରାମର ସୁଖବିନ୍ଦର ଫେବୃୟାରୀ ୧୨, ୨୦୨୧ରେ ମନୋଜ ମଲ୍ଲିକ, ପତ୍ନୀ ସାକ୍ଷୀ ମଲ୍ଲିକ, ପୁଅ ସରତାଜ, କୁସ୍ତୀ କୋଚ୍ ସତୀଶ କୁମାର ତଥା ପ୍ରଦୀପ ମଲ୍ଲିକ ଓ କୁସ୍ତିଯୋଦ୍ଧା ପୂଜାଙ୍କୁ ଗୁଳି କରି ହତ୍ୟା କରିଥିଲା । ପୋଲିସ କହିଛି ସୁଖବିନ୍ଦର ବିରୁଦ୍ଧରେ ବହୁ ଅଭିଯୋଗ ଥିବାରୁ ତାକୁ ବିଭିନ୍ନ ସେବାରୁ ବଞ୍ଚିତ କରାଯାଇଥିଲା ଯେଉଁ କାରଣରୁ ସେ କ୍ରୋଧରେ ଏପରି ହତ୍ୟାକାଣ୍ଡ ଭିଆଇଥିଲା । ଏକ

ରିପୋର୍ଟରୁ ଜଣାଯାଇଛି କି ସୁଖବିନ୍ଦର ଏହି ହତ୍ୟାକାଣ୍ଡର ଯୋଜନା ସେତେବେଳେ ପ୍ରସ୍ତୁତ କରିଥିଲା ଯେତେବେଳେ ପୀଡିତଙ୍କ ମଧ୍ୟରୁ କୁସ୍ତିଯୋଦ୍ଧା ପୂଜା ତା ବିରୁଦ୍ଧରେ ଅଭିଯୋଗ କରିଥିଲା । ଅଭିଯୋଗ ପରେ ତାକୁ ମେହେର ସିଂ ଆଖଡାର କୁସ୍ତି କୋଚ୍ ଚାକିରୀରୁ ବିଦା କରି ଦିଆଯାଇଥିଲା । କୋଚ୍ ମନୋଜ ମଲ୍ଲିକ ୨୦୨୧ରେ ତାକୁ କହିଥିଲେ କି ଏବେ ସେ ଆଉ ଆଖଡା ଆସିପାରିବ ନାହିଁ । ଏହାପରେ ସେ ହତ୍ୟାର ଯୋଜନା ପ୍ରସ୍ତୁତ କରିଥିଲା । ସୁଖବିନ୍ଦର ପ୍ରଥମେ କୋଚ୍ ପ୍ରଦୀପଙ୍କୁ ହତ୍ୟା କରିଥିଲା । ଏହାପରେ ସେ ମନୋଜ ଓ ସତୀଶ ଓ ସାକ୍ଷୀ, ପୂଜା ଓ ସାକ୍ଷୀଙ୍କ ପୁଅକୁ ମଧ୍ୟ ଗୁଳିକରି ହତ୍ୟା କରିଥିଲା ।

ପୋଲିସ କହିଛି ସୁଖବିନ୍ଦର ଆଖଡାର ଗୋଟିଏ ଘରେ ୩ ଜଣ କୋଚ୍‌ଙ୍କ ହତ୍ୟା କରିଥିଲା ଓ ଅନ୍ୟ ଏକ ରୁମ୍‌ରେ ୨ ଜଣ ମହିଳାଙ୍କ ସହିତ ଜଣେ ଶିଶୁଙ୍କୁ ହତ୍ୟା କରିଥିଲା । ଘଟଣାର ଗୋଟିଏ ଦିନ ପରେ ଅର୍ଥାତ୍ ଫେବୃୟାରୀ ୧୩ରେ ସୁଖବିନ୍ଦର ସିଂହକୁ ଦିଲ୍ଲୀରୁ ଗିରଫ କରାଯାଇଥିଲା । ଏହି ମାମଲାରେ କୋର୍ଟ କହିଛନ୍ତି ମାମଲା ଏକ ଅତି ବିରଳ ଶ୍ରେଣୀରେ ଆସୁଛି । ଏପରି ସ୍ଥିତିରେ କୋର୍ଟ ପାଖରେ ଆଜୀବନ କାରାଦଣ୍ଡ ପରିବର୍ତ୍ତେ ମୃତ୍ୟୁଦଣ୍ଡ ବ୍ୟତିରେକ ଅନ୍ୟ କୌଣସି ବିକଳ୍ପ ନାହିଁ ।

Get real time updates directly on you device, subscribe now.