fbpx

ବିଧାନସଭାର ମୌସୁମୀ ଅଧିବେଶନ: ଜୁନ୍‌ ୨୯ରେ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ଆସନ୍ତା ଜୁନ୍‌ ୨୯ ତାରିଖରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାନସଭା କନଫରେନ୍ସ ହଲରେ ଦିନ ୧୧ଟାରେ ବୈଠକ ବସିବ । ଏ ନେଇ ବାଚସ୍ପତି ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି । ବଜେଟ ଅଧିବେଶନର ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସଂପାଦିତ କରିବା ପାଇଁ ସବୁ ଦଳର ନେତୃମଣ୍ଡଳୀଙ୍କଠାରୁ ସହଯୋଗ କାମନା କରାଯିବ ବୋଲି ବାଚସ୍ପତି ଶ୍ରୀ ଆରୁଖ ପ୍ରକାଶ କରିଛନ୍ତି । ବର୍ତ୍ତମାନ ଦେଶର ବିଭିନ୍ନ ରାଜ୍ୟରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ସଂକ୍ରମଣ ଦେଖାଦେଲାଣି । ସର୍ବଦଳୀୟ ବୈଠକରେ ଏ ବିଷୟରେ ମଧ୍ୟ ଆଲୋଚନା କରାଯିବ ବୋଲି ବାଚସ୍ପତି ଶ୍ରୀ ଆରୁଖ ପ୍ରକାଶ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ଜୁଲାଇ ୨ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ୪ ତାରିଖ ଯାଏଁ ଜାରି ରହିବ । ଚଳିତ ମୌସୁମୀ ଅଧିବେଶନରେ ସମୁଦାୟ ୨୪ଟି କାର୍ଯ୍ୟ ଦିବସ ରହିଛି । ଅଧିବେଶନର ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବେ । ଜୁଲାଇ ୩୦ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍‌ ଆଗତ କରିବେ ସରକାର ।

Get real time updates directly on you device, subscribe now.