fbpx

ଏଣିକି ଡ୍ୟୁଟି ଟାଇମରେ ଅଫିସ ଭିତରେ କର୍ମଚାରୀମାନେ ଦୈନିକ ୩୦ ମିନିଟ୍ ଶୋଇପାରିବେ, ଭାରତୀୟ କମ୍ପାନୀର ନୂଆ ନିଷ୍ପତ୍ତି

ନୂଆଦିଲ୍ଲୀ: ସାଧାରଣ ଭାବେ ଅଫିସମାନଙ୍କରେ ସମସ୍ତ କର୍ମଚାରୀମାନଙ୍କୁ ବିଭିନ୍ନ କଟକଣା ମାନି ଚଳିବାକୁ ପଡ଼ିଥାଏ । ବିଶେଷ କରି ପ୍ରାଇଭେଟ ସଂସ୍ଥାଗୁଡ଼ିକରେ ଏହାକୁ ନେଇ ବେଶି ଟେନସନରେ ରହିଥାନ୍ତି ଷ୍ଟାଫମାନେ । ତେବେ ନିକଟରେ ଏକ କମ୍ପାନୀର ତା’ର କର୍ମଚାରୀଙ୍କ ପାଇଁ ଏକ ନୂଆ ପ୍ରକାରର ଘୋଷଣା କରିଛି । ଡ୍ୟୁଟି ସମୟରେ କର୍ମଚାରୀମାନେ ଅଫିସରେ ଶୋଇପାରିବେ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ସମୟରେ କର୍ମଚାରୀଙ୍କର ପଇସା କଟିବ ନାହିଁ ବୋଲି ମଧ୍ୟ କୁହାଯାଇଛି ।

ଏପରି ଅଫର ଲଞ୍ଚ କରିଥିବା କମ୍ପାନୀର ନାମ ହେଉଛି ୱେକଫିଟ ସଲ୍ୟୁସନ । ବେଙ୍ଗାଲୁରୁସ୍ଥିତ ଏହି ଭାରତୀୟ ଷ୍ଟାର୍ଟ ଅପ୍ କମ୍ପାନୀ ତା’ର ଷ୍ଟାଫମାନଙ୍କୁ ଅଫିସ ଟାଇମରେ ଦୈନିକ ୩୦ ମିନିଟର ବିଶ୍ରାମ ଦେବାକୁ ଘୋଷଣା କରିଛି । ଏହି ପଦକ୍ଷେପ ଦ୍ୱାରା କର୍ମଚାରୀ ଅଧିକ ଫିଟ୍ ରହିବା ସହ ଉତ୍ସାହର ସହ କାମ କରିବେ । କର୍ମଚାରୀମାନେ ଦୈନିକ ଦ୍ୱିପ୍ରହର ୨ଟାରୁ ୨.୩୦ ପର୍ଯ୍ୟନ୍ତ ଅଧଘଣ୍ଟା ବିଶ୍ରାମ ନେଇପାରିବେ । ଶୋଇବା ପାଇଁ କମ୍ପାନୀ ପକ୍ଷରୁ ଏକ ଅସ୍ଥାୟୀ ବିଶ୍ରାମ ସ୍ଥଳୀର ବ୍ୟବସ୍ଥା କରାଯାଇଛି ।

ଏହି ନୂଆ ଘୋଷଣା ବିଷୟରେ କମ୍ପାନୀର ସମସ୍ତ କର୍ମଚାରୀଙ୍କୁ ଇ-ମେଲ ପଠାଇ ଅବଗତ କରାଯାଇଛି । ଦୈନିକ ଦ୍ୱିପ୍ରହରରେ ଅଧ ଘଣ୍ଟାଏ ସର୍ଟ ନାପ୍ ନେବା ଦ୍ୱାରା ଜଣେ ବ୍ୟକ୍ତିର ପରଫର୍ମାନ୍ସ ୩୩ ପ୍ରତିଶତ ବୃଦ୍ଧି ପାଇଥାଏ ବୋଲି ନାସା ହାଭାର୍ଡ ୟୁନିଭରସିଟି ଦ୍ୱାରା କରାଯାଇଥିବା ଏକ ଷ୍ଟଡିରୁ ଜଣାପଡ଼ିଥିଲା । ତେଣୁ ୱେକଫିଟ ସଲ୍ୟୁସନ ଏପରି ପଦକ୍ଷେପ ନେଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.