ପୁଷ୍ପା-୨ ଦଳଚକଟା ବିବାଦ: ସାମ୍ନାକୁ ଆସିଲା ଅଲ୍ଲୁ ଅର୍ଜୁନଙ୍କ ପ୍ରତିକ୍ରିୟା, କହିଲେ- ଚରିତ୍ର ସଂହାର କରାଯାଉଛି

ନୂଆଦିଲ୍ଲୀ: ହାଇଦ୍ରାବାଦ ସଂଧ୍ୟା ଥିଏଟରରେ ଦଳାଚକଟା ମାମଲାକୁ ନେଇ ସବୁ ମହଲରେ ଚର୍ଚ୍ଚା ଜୋର ସୋରରେ ଲାଗି ରହିଛି। ଆଜି ତାମିଲନାଡ଼ୁ ବିଧାନସଭାରେ ମଧ୍ୟ ଏହି ମାମଲା ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି। ତେବେ ଏହାରି ମଧ୍ୟରେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଅନେକ ମିଛ କଥା ପ୍ରଚାର ହେଉଛି ବୋଲି ଅଲ୍ଲୁ ଅର୍ଜୁନ କହିଛନ୍ତି।

ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ନିଜର ପ୍ରତିକ୍ରିୟା ରଖି କହିଛନ୍ତି, ‘ମୋ ବିରୋଧରେ ମିଥ୍ୟା ଅଭିଯୋଗ ଅଣାଯାଉଛି। କୌଣସି ବିଭାଗକୁ କିମ୍ବା ରାଜନେତାଙ୍କୁ ମୁଁ ଦୋଷାରପ କରୁନି। ଗୁଜବ କରି ମୋ ଚରିତ୍ର ସଂହାର କରାଯାଉଛି। ଯାହା ଘଟିଥିଲା ସେଥିପାଇଁ ମୁଁ ଅତ୍ୟନ୍ତ ଦୁଃଖିତ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ହେଲେ ଏହା ସଂପୂର୍ଣ୍ଣ ରୂପେ ଦୁର୍ଘଟଣା। ପୀଡ଼ିତାଙ୍କ ପରିବାର ସହ ମୋ ସମବେଦନା ରହିଛି।’

ଆଜି ତାମିଲନାଡ଼ୁ ବିଧାନସଭାରେ AIMIMର ବିଧାୟକ ଅକବରୁଦ୍ଧୀନ ଓୱାଇସି ଅଲ୍ଲୁ ଅର୍ଜୁନଙ୍କୁ ଟାର୍ଗେଟ କରିଛନ୍ତି। ସେ ଅଭିଯୋଗ ଆଣିଛନ୍ତି ଯେ, ଯେତେବେଳେ ଅଲ୍ଲୁ ଅର୍ଜୁନଙ୍କୁ ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ଘଟିଥିବା କଥା କୁହାଗଲା ସେତେବେଳେ ସେ କହିଥିଲେ; ବର୍ତ୍ତମାନ ଫିଲ୍ମ ଆହୁରି ହିଟ୍ ହେବ।

AIMIMର ବିଧାୟକ ଅକବରୁଦ୍ଧୀନ ଓୱାଇସି କହିଛନ୍ତି ଯେ, ହିରୋ ଦାୟିତ୍ୱହୀନ ଥିଲା ଏବଂ ମୃତ୍ୟୁର ସୂଚନା ଦେବା ପରେ ମଧ୍ୟ ଥିଏଟର ବାହାରକୁ ସେ ଯାଉନଥିଲେ। ଏହି ଘଟଣା ପରେ ବି ଅଲ୍ଲୁ ଅର୍ଜୁନ ଫିଲ୍ମ ଦେଖିଥିଲେ ଏବଂ ଯିବା ସମୟରେ ନିଜ କାରରୁ ଦର୍ଶକଙ୍କୁ ହାତ ହଲାଇଥିଲେ। ଅଲ୍ଲୁ ଅର୍ଜୁନ ଏହି ମାମଲା ପରେ ବି ମୃତକଙ୍କ ପରିବାର କିଭଳି ପରିସ୍ଥିତିରେ ଅଛନ୍ତି ତାହା ବୁଝିବାକୁ ଇଚ୍ଛୁକ ନଥିଲେ। ଏହି ମାମଲାରେ ତେଲେଙ୍ଗାନା ପୋଲିସ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଥିଲେ, ହେଲେ କିଛି ଘଣ୍ଟା ପରେ ତାଙ୍କୁ ହାଇକୋର୍ଟରୁ ଜାମିନ ମିଳିଯାଇଥିଲା।