ଗତ ୯ ବର୍ଷ ମଧ୍ୟରେ ଜାତୀୟ ରାଜପଥର ଦେଢ଼ ଗୁଣା ବୃଦ୍ଧି ପାଇଛି, ଯୋଡି ହୋଇଛି ୫୦ ହଜାର କିଲୋମିଟର

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଦେଶର ଭିତ୍ତିଭୁମି ନିର୍ମାଣ ଉପରେ ଜୋର ଦେଉଛନ୍ତି । ବିଶେଷ କରି ଜାତୀୟ ରାଜପଥ ନିର୍ମାଣ କ୍ଷେତ୍ରରେ ଦେଶରେ ଖୁବ୍ ପରିବର୍ତ୍ତନ ଆସିଛି ଏବଂ ରେକର୍ଡ ଗତିରେ ଏହାର ନିର୍ମାଣ ମଧ୍ୟ କରାଯାଉଛି । ଦେଶରେ ଗତ ୯ ବର୍ଷରେ ପ୍ରାୟ ୫୦ ହଜାର କିଲୋମିଟର ଜାତୀୟ ରାଜପଥ ନିର୍ମାଣ କରାଯାଇଛି ।

ତଥ୍ୟ ଅନୁଯାୟୀ ୨୦୧୪-୧୫ ପର୍ଯ୍ୟନ୍ତ ଦେଶରେ ଜାତୀୟ ରାଜପଥର ମୋଟ ୯୭,୮୩୦ କିଲୋମିଟର ଥିଲା, ଯାହା ମାର୍ଚ୍ଚ ୨୦୨୩ ରେ ୧,୪୫,୧୫୫ କିଲୋମିଟରକୁ ବୃଦ୍ଧି ପାଇଛି । ୨୦୧୪-୧୫ ବର୍ଷରେ, ଯେତେବେଳେ ଦୈନିକ ୧୨.୧ କିଲୋମିଟର ରାସ୍ତା ନିର୍ମାଣ କରାଯାଉଥିଲା, ୨୦୨୧-୨୨ ମସିହାରେ ଦେଶରେ ସଡକ ନିର୍ମାଣର ଗତି ଦିନକୁ ୨୮.୬ କିଲୋମିଟରକୁ ବୃଦ୍ଧି ପାଇଛି ।

ଏକ ଦେଶର ଅର୍ଥନୀତିରେ ସଡ଼କ କିମ୍ବା ରାଜମାର୍ଗ ଏକ ଗୁରୁତ୍ୱପୁର୍ଣ୍ଣ ଭୁମିକା ନିର୍ବାହ କରିଥାଏ । ଆର୍ଥିକ ବିକାଶ ସହିତ ସାମାଜିକ ବିକାଶ ଏବଂ ପ୍ରତିରକ୍ଷା କ୍ଷେତ୍ର ତଥା ଜୀବନର ମୌଳିକ ଜିନିଷଗୁଡ଼ିକର ପ୍ରବେଶ ପାଇଁ ମଧ୍ୟ ଆଧାର ଅଟେ । ଏକ ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ପ୍ରାୟ ୮୫ ପ୍ରତିଶତ ଯାତ୍ରୀ ଯାତାୟାତ ଏବଂ ୭୦ ପ୍ରତିଶତ ସାମଗ୍ରୀ ସଡ଼କ ଦ୍ୱାରା ପରିବହନ କରାଯାଇଥାଏ । ଏହା ରାଜପଥଗୁଡ଼ିକର ମହତ୍ତ୍ୱ ଦର୍ଶାଏ ।

ଭାରତରେ ପ୍ରାୟ ୬୩.୭୩ ଲକ୍ଷ କିଲୋମିଟର ଲମ୍ବା ସଡ଼କ ପଥ ଅଛି, ଯାହା ବିଶ୍ୱରେ ଦ୍ୱିତୀୟ । ଦେଶରେ ଜାତୀୟ ରାଜପଥ ପ୍ରଣାଳି ପରିବର୍ତ୍ତନ କରିବା ପାଇଁ ଗତବର୍ଷ ସରକା ବିଭିନ୍ନ ଯୋଜନା ଗ୍ରହଣ କରିଛନ୍ତି । ଭାରତମାଳା ପରିଯୋଜନା ମାଧ୍ୟମରେ ଦେଶରେ ସବୁଠାରୁ ବଡ଼ ୧,୩୮୬ କିଲୋମିଟର ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ୱେ ନିର୍ମାଣ କରାଯାଉଛି।