ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ପ୍ରତିକୂଳ ପାଗ ପାଇଁ ଆଜି ତୃତୀୟ ଦିନ ଲାଗି ବାର୍ଷିକ ଅମରନାଥ ଯାତ୍ରା ବାତିଲ କରାଯାଇଛି । ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ବନ୍ଦ ରହିଥିବାରୁ ଯାତ୍ରା ଆଜି ସ୍ଥଗିତ ରଖାଯାଇଛି । ଫଳରେ ରାମବନଠାରେ ୬ ହଜାରରୁ ଅଧିକ ଅମରନାଥ ଯାତ୍ରୀ ଅଟକି ରହିଛନ୍ତି । ଯାତ୍ରୀମାନଙ୍କର ଯେଭଳି କୌଣସି ଅସୁବିଧା ନ ହୁଏ ସେଥିପାଇଁ ଦୃଷ୍ଟି ଦିଆଯାଉଛି ବୋଲି ରାମବନର ପ୍ରଶାସନିକ ଅଧିକାରୀ ଜଣାଇଛନ୍ତି ।
ସୂଚନାଯୋଗ୍ୟ, କର୍ଣ୍ଣାଟକର ୮୦ ଜଣ ଯାତ୍ରୀ ଏବେ ଅମରନାଥ ଗୁମ୍ଫା ଠାରୁ ୬ କିଲୋମିଟର ଦୂରରେ ଖରାପ ପାଗ ଯୋଗୁ ଅଟକି ରହିଛନ୍ତି। ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ଏ ପର୍ଯ୍ୟନ୍ତ ୬୭ ହଜାର ୫୬୬ ଜଣ ଯାତ୍ରୀ ଅମରନାଥ ଗୁମ୍ଫା ପରିଦର୍ଶନ କରିସାରିଛନ୍ତି । ଜୁଲାଇ ୫ରେ ୧୮ ହଜାର ୩୫୪ ଜଣ ଯାତ୍ରୀ ଦର୍ଶନ ପାଇଁ ଯାଇଛନ୍ତି। ସେମାନଙ୍କ ମଧ୍ୟରେ ୧୨ ହଜାର ୪୮୩ ଜଣ ପୁରୁଷ, ୫ ହଜାର ୧୪୬ ଜଣ ମହିଳା, ୪୫୭ ଜଣ ପିଲା, ୨୬୬ ଜଣ ସାଧୁ ଓ ୨ ଜଣ ସାଧ୍ବୀ ଅଛନ୍ତି।