fbpx

ବିଜେଡି-ବିଜେପି ମେଣ୍ଟକୁ ନେଇ ଅମିତ ଶାହାଙ୍କ ବଡ଼ ବୟାନ: ‘କିଛି ବି ହେଇପାରେ…

ଓଡ଼ିଶା ଭାସ୍କର: ପୁଣି ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଆରମ୍ଭ ହେବା ଭିତରେ ଏକ ବଡ଼ ବୟାନ ଦେଇଛନ୍ତି ବିଜେପି ଚାଣକ୍ୟ ବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ମେଣ୍ଟ ପ୍ରସଙ୍ଗକୁ ନେଇ ଏକ ପ୍ରଶ୍ନରେ ଶାହା କହିଛନ୍ତି, ‘କିଛି ବି ହେଇପାରେ । ଆଗ ଏ ନେଇ ନିଷ୍ପତ୍ତି ହେଇଯାଉ ।’ ତେବେ ଶାହାଙ୍କ ଏପରି ବିବୃତ୍ତି ପରେ ବିଜେଡି ସହ ବିଜେପିର ମେଣ୍ଟ ଚର୍ଚ୍ଚା ପୁଣି ରାଜ୍ୟ ରାଜନୀତିକୁ ସରଗରମ କରିଛି । ଏକ ଗଣମାଧ୍ୟମର କାର୍ଯ୍ୟକ୍ରମରେ ସାମିଲ ହୋଇ ଅମିତ ଶାହା ଏଭଳି ବଡ଼ ବୟାନ ଦେଇଛନ୍ତି । ‘କିଛି ବି ହୋଇପାରେ । ଏ ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଷ୍ପତ୍ତି ନେବେ ।’

ଏହା ସହ ସେ କହିଛନ୍ତି ମେଣ୍ଟ ହେଲେ ବିଜେଡି ସହ ଲଢିବୁ । ନ ହେଲେ ରାଜ୍ୟରେ ସରକାର ଗଢିବା ଲାଗି ବିଜେପି ଏକାକୀ ଲଢିବ । ଏପରିକି ରାଜ୍ୟରେ ବିଜେପିର ଆସନକୁ ନେଇ ଶାହା କହିଛନ୍ତି, ‘ନିଶ୍ଚିତ ଭାବେ ଲୋକସଭା ଓ ବିଧାନସଭାରେ ଆମ ସଂଖ୍ୟା ବଢ଼ିବ । ଓଡ଼ିଶାରେ ଆମ ଶକ୍ତିରେ ବଡ଼ ଅଭିବୃଦ୍ଧି ହେବଲ । ଏହା ବାଦ୍ ଦିନକ ପୂର୍ବରୁ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଦେଇଥିବା ମନ୍ତବ୍ୟକୁ ନେଇ ଶାହା କହିଛନ୍ତି, ‘ସବୁ ମେଣ୍ଟ ଆବଶ୍ୟକତା ପାଇଁ ହୁଏନି । ଅନେକ ସମୟରେ ଅନେକ ଦଳ ଆମକୁ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ ଦେଇଛନ୍ତି । ରାଷ୍ଟ୍ରର ହିତ ପାଇଁ ଆମକୁ ଅନେକ ଦଳ ସମର୍ଥନ ଦେଇଛନ୍ତି । ଏହାରି ଗଣତନ୍ତ୍ରର ସୁନ୍ଦରତା ।’

ସୂଚନା ଥାଉକି, ଗତକାଲି ଭିକେ ପାଣ୍ଡିଆନ୍‌ ମଧ୍ୟ ଏକ ଜାତୀୟ ଗଣମାଧ୍ୟମର ସାକ୍ଷାତକାରରେ ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିନଥିଲେ । ବରଂ ସେ କହିଥିଲେ କେନ୍ଦ୍ରରେ ଯେମିତି ବିଜେପି ସରକାର ଗଢ଼ିବା ପାଇଁ କାହାରି ସହ ମେଣ୍ଟ କରିବାର ଆବଶ୍ୟକତା ନାହିଁ । ଠିକ୍ ସେମିତି ଓଡ଼ିଶାରେ ବିଜେଡି ସରକାର ଗଢ଼ିବା ପାଇଁ କାହା ସହ ମେଣ୍ଟ କରିବା ଆବଶ୍ୟକ ନାହିଁ । କେବଳ ଓଡ଼ିଶାର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ମୋଦି-ନବୀନ ଏକାଠି ହୋଇପାରନ୍ତି ।

ଏଠାରେ କହି ରଖୁ ଯେ, ଓଡ଼ିଶାର ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ଓଡ଼ିଶାରେ ଚତୁର୍ଥ, ପଞ୍ଚମ, ଷଷ୍ଠ ଓ ସପ୍ତମ ପର୍ଯ୍ୟାୟରେ ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ । ମେ’ ୧୩ରୁ ଜୁନ୍ ୧ ତାରିଖ ମଧ୍ୟରେ ୪ଟି ପର୍ଯ୍ୟାୟରେ ରାଜ୍ୟରେ ଭୋଟ୍ ଗ୍ରହଣ ହେବ ଓ ଜୁନ୍ ୪ତାରିଖରେ ଭୋଟ ଗଣତି ହେବ। କିନ୍ତୁ ବର୍ତ୍ତମାନ ସୁଦ୍ଧା ମେଣ୍ଟ ଚର୍ଚ୍ଚାରେ ଉଭୟ ବିଜେଡି ଓ ବିଜେପି ସମ୍ପୂର୍ଣ୍ଣ ପୂର୍ଣ୍ଣଛେଦ ନପକାଇ ମେଣ୍ଟ ନେଇ ଆଲୋଚନା ଜାରି ରଖିଥିବା କୁହାଯାଉଛି।

 

Get real time updates directly on you device, subscribe now.