fbpx

ଜମ୍ମୁ କଶ୍ମୀରରେ ବିନାଶ ପାଇଁ ଗାନ୍ଧି-ନେହେରୁଙ୍କ ପରିବାର ଦାୟୀ: କଂଗ୍ରେସ ଉପରେ ଗର୍ଜନ କଲେ ଶାହ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ କୌଣସି ବିକାଶମୂଳକ କାର୍ଯ୍ୟ ନ ହେବା ପଛରେ ପିଡିପି ସଭାପତି ମୁଫତି ମେହବୁବା, ନ୍ୟାସନାଲ କନଫରେନ୍ସ ସଭାପତି ଫାରୁକ ଅବଦୁଲ୍ଲା ଓ ଗାନ୍ଧି-ନେହରୁଙ୍କ କଂଗ୍ରେସ ଦଳ ଦାୟୀ । ସ୍ୱାଧୀନତା ପରେ ଏହି ୩ ଦଳ ଅଧିକାଂଶ ସମୟରେ ଏହି ରାଜ୍ୟକୁ ଶାସନ କରୁଥିଲେ । ଏହିସବୁ ଦଳର ନେତାମାନେ ଜନତାଙ୍କ କଲ୍ୟାଣ ପାଇଁ କୌଣସି କାର୍ଯ୍ୟ କରିନାହାନ୍ତି । ମୋଦୀ ସରକାର ଜମ୍ମୁ କଶ୍ମୀରର ଗରିବଙ୍କୁ ଏକ ଲକ୍ଷ ଘର ପ୍ରଦାନ କରିଛନ୍ତି । ଜମ୍ମୁ କଶ୍ମୀରର ବାରାମୂଲାରେ ଏକ ରାଲି ଅବସରରେ ଏପରି ବୟାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

ଶାହ କହିଛନ୍ତି, ଜମ୍ମୁ କଶ୍ମୀରକୁ ଦେଶର ସବୁଠାରୁ ଶାନ୍ତିପ୍ରିୟ ସ୍ଥାନର ରୂପ ଦିଆଯିବ । ଜମ୍ମୁ କଶ୍ମୀର ସମସ୍ୟା ନେଇ ପାକିସ୍ତାନ ସହ କଥାବାର୍ତ୍ତା କରିବାକୁ କିଛି ଲୋକ ଚାହାନ୍ତି । ମାତ୍ର ପାକିସ୍ତାନ ସହିତ କୌଣସି ପ୍ରକାରର ଆଲୋଚନା କରାଯିବ ନାହିଁ । ଖୁବଶୀଘ୍ର ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ଆୟୋଗଙ୍କ ଦ୍ୱାରା ସଂଶୋଧିତ ମତଦାତାଙ୍କ ସୂଚୀ ପ୍ରକାଶିତ ହେବା ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ । ପୂର୍ବରୁ ଜମ୍ମୁ କଶ୍ମୀରର ଶାସନ କେବଳ ୩ ପରିବାରର ୮୭ ବିଧାୟକ ଓ ୬ ସାଂସଦଙ୍କ ହାତରେ ରହିଥିଲା । ମାତ୍ର ଏବେ ଜନତାଙ୍କ ଦ୍ୱାରା ନିର୍ବାଚିତ ନେତା ଶାସନ ଗାଦି ସମ୍ଭାଳିବେ ।

ଗତ ୧୯୯୦ରୁ ବର୍ତ୍ତମାନ ସୁଦ୍ଧା ଆତଙ୍କବାଦୀମାନେ ୪୨ ହଜାର ନିରୀହ ଜନତାଙ୍କ ଜୀବନ ନେଇଛନ୍ତି । ମାତ୍ର କୌଣସି ନେତା ନିଜର ପୁତ୍ରଙ୍କୁ ହରାଇ ନାହାନ୍ତି । ଜମ୍ମୁ କଶ୍ମୀରର ସୁରକ୍ଷାରେ ଏବେ ବହୁତ ସୁଧାର ଆସିଛି । ତେଣୁ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଏଠାକୁ ୨୨ ଲକ୍ଷ ପର୍ଯ୍ୟଟକ ଆସିସାରିଲେଣି । ଭ୍ରଷ୍ଟାଚାର କାରଣରୁ ଜମ୍ମୁ କଶ୍ମୀର ଦଶନ୍ଧି ଦଶନ୍ଧି ଧରି ଅବନତି ଆଡ଼କୁ ଗତି କରିଥିଲା । ମାତ୍ର ମୋଦୀ ସରକାରଙ୍କ ସ୍ୱଚ୍ଛ ଶାସନରେ କାଶ୍ମୀର ପୁଣି ଥରେ ବିକାଶର ବାନା ଉଡ଼ାଇବ ।

Get real time updates directly on you device, subscribe now.