fbpx

କରୋନା ସଙ୍କଟ ବେଳେ ସାହାଯ୍ୟ କଲେ ଅମିତାଭ: ପୋଲାଣ୍ଡରୁ କିଣିଲେ ୫୦ ଅକ୍ସିଜେନ୍ କନସେନଟ୍ରେଟର୍ ଓ ବିଏମସିକୁ ଦେଲେ ୧୦ ଭେଣ୍ଟିଲେଟର୍

ମୁମ୍ବାଇ, ୧୪/୦୫(ଓଡିଶା ଭାସ୍କର) : ଦେଶ ଏବେ କରୋନା ମହାମାରୀ ସମୟ ଦେଇ ଗତି କରୁଥିବା ବେଳେ ବହୁ ବଲିଉଡ୍ ଅଭିନେତା ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ଅକ୍ସିଜେନ୍ ଅଭାବରେ ବିଭିନ୍ନ ହସ୍ପିଟାଲରେ ଲୋକେ ପ୍ରାଣ ହରାଉଛନ୍ତି । ତେଣୁ ବିଗ୍ ବି ଅମିତାଭ ବଚ୍ଚନ ହସ୍ପିଟାଲକୁ ଅକ୍ସିଜେନ୍ ଯୋଗାଇବା ପାଇଁ ପୋଲାଣ୍ଡରୁ ୫୦ଟି ଅକ୍ସିଜେନ୍ କନସେନଟ୍ରେଟର୍ କିଣିଛନ୍ତି । ଏଥିସହିତ ବିଏମସିକୁ ୧୦ଟି ଭେଣ୍ଟିଲେଟର୍ ଯୋଗାଇଛନ୍ତି । ଏନେଇ ନିଜେ ଅମିତାଭ ବଚ୍ଚନ ସୁଚନା ଦେଇଛନ୍ତି ।

ଅମିତାଭ ନିଜ ବ୍ଲଗ୍ ରେ ଏ ସମ୍ପର୍କରେ ସୁଚନା ଦେଇ କହିଛନ୍ତି ଯେ, ମୋତେ କିଛି ଜାଗାରୁ ସାହାଯ୍ୟ କରିବା ନେଇ ସୁଚନା ମିଳୁଥିଲା । ଆଉ ସେଥିମଧ୍ୟରେ ଅକ୍ସିଜେନ୍ କନସେନଟ୍ରେଟର୍ ର ଦାବି ଅଧିକ ରହିଥିଲା । ତେଣୁ ମୁଁ ସେହି ଅଭାବକୁ ପୁରଣ କରିବାକୁ ମୋର କିଛି ସାଙ୍ଗ ମାନଙ୍କ ପରାମର୍ଶ ନେଇ ୫୦ ଅକ୍ସିଜେନ୍ କନସେନଟ୍ରେଟରର ଅର୍ଡର ଦେଇଥିଲି । ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମେ ୧୫ ପର୍ଯ୍ୟନ୍ତ ସେସବୁ ଆସିଯିବ । ଏଥିସହିତ ଅକ୍ସିଜେନ୍ କନସେନଟ୍ରେଟର୍ ଆଣିବାରେ ସାହାଯ୍ୟ କରିଥିବା ଲୋକମାନଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

ଏହା ବ୍ୟତୀତ କିଛି ରାଜ୍ୟରେ ଭେଣ୍ଟିଲେଟର୍ ର ଅଭାବ ଦେଖାଦେଇଥିବାରୁ ଅମିତାଭ ତାହାର ମଧ୍ୟ ବ୍ୟବସ୍ଥା କରିଛନ୍ତି । ଅମିତାଭ ୨୦ଟି ଭେଣ୍ଟିଲେଟର୍ ଅର୍ଡର କରିଥିବା ବେଳେ ସେଥିମଧ୍ୟରୁ ୧୦ ଟି ଭେଣ୍ଟିଲେଟର୍ ପହଞ୍ଚି ଯାଇଛି । ସେସବୁକୁ ସେ ବିଏମସିକୁ ଦେଇଛନ୍ତି । ବାକି ଗୁଡିକ ମେ ୨୫ ତାରିଖ ସୁଦ୍ଧା ଆସିଯିବ ବୋଲି ସେ ନିଜ ବ୍ଲଗରେ ସୁଚନା ଦେଇଛନ୍ତି ।

Get real time updates directly on you device, subscribe now.