ବାଳ ବିବାହ ରୋକିବା ଦିଗରେ ସରକାରଙ୍କ ପଦକ୍ଷେପ, ଏହି ସବୁ ରାଜ୍ୟକୁ ଦିଆଯାଉଛି ଗୁରୁତ୍ୱ

ନୂଆଦିଲ୍ଲୀ- ପ୍ରତି ୫ ଜଣରେ ଜଣେ ନାବାଳିକାର ହେଉଛି ବିବାହ । ବାଳ ବିବାହ ଓ ବେଆଇନ ବିବାହକୁ ରୋକିବାକୁ ଯେତେ ଆଇନ, କଟକଣା ଲଗାଇଲେ ମଧ୍ୟ ଏହିପରି ବିବାହ ହେବା ଉପରେ ଲାଗୁନି ରୋକ । ଗତ ବର୍ଷ ସରକାରଙ୍କ ତରଫରୁ ପ୍ରାୟ ୨ ଲକ୍ଷ ବାଳ ବିବାହ ରୋକା ଯାଇଥିଲା । କିନ୍ତୁ ଏବେ ମଧ୍ୟ ଦେଶରେ ପ୍ରତି ୫ ଜଣରେ ଜଣେ ନାବାଳିକା ୧୮ ବର୍ଷ ପୂର୍ବରୁ ବିବାହ କରୁଛନ୍ତି ବୋଲି ବୁଧବାର ମହିଳା ଓ ବାଳ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଏହି ସୂଚନା ଦେଇଛନ୍ତି ।

ମନ୍ତ୍ରୀ ବାଳ ବିବାହ ମୁକ୍ତ ଭାରତ ଅଭିଯାନ ଆରମ୍ଭ କରିବା ଆବସରରେ କହିଛନ୍ତି କି, ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ୨୦୨୯ ସୁଦ୍ଧା ବାଳ ବିବାହ ହାର ପାଞ୍ଚ ପ୍ରତିଶତରୁ କମ କରିବାକୁ ଲକ୍ଷ୍ୟ ରଖାଯାଇଛି । ବାଳ ବିବାହ ମୁକ୍ତ ଅଭିଯାନ ପଶ୍ଚିମ ବଙ୍ଗ, ରାଜସ୍ଥାନ, ତ୍ରିପୁରା, ଆସାମ ଓ ଆନ୍ଧ୍ରପ୍ରଦେଶ ରେ ବିଶେଷ ରୂପେ କେନ୍ଦ୍ରିତ ହୋଇଥିବା ବେଳେ ୩୦୦ ଜିଲ୍ଲାକୁ ଧ୍ୟାନ ଦିଆଯିବ । ମନ୍ତ୍ରୀ କହିଛନ୍ତି, ବାଳ ବିବାହ ମାନବାଧିକାର ଉଲ୍ଲଙ୍ଘନ ସବୁଠାରୁ ଗମ୍ଭୀର ଓ ଆଇନ ଅନୁଯାୟୀ ଅପରାଧ । ଏଥିପାଇଁ ଆଇନଗତ ପଦକ୍ଷେପ ନିଆଯାଉଥିବା ବେଳେ ଲୋକଙ୍କ ଭିତରେ ବାଳ ବିବାହ ବା ବେଆଇନ ବିବାହ ରୋକିବା ଦିଗରେ ଲୋକଙ୍କ ଭିତରେ ସଚେତନତା ଆଣିବାର ଆବଶ୍ୟକତା ରହିଛି ।

ରିପୋର୍ଟ ମୁତାବକ, ବାଳ ବିବାହ ଦରରେ ସବୁଠାରୁ ମହତ୍ୱପୂର୍ଣ୍ଣ ବୈଶ୍ୱିକ ହ୍ରାସ ଦକ୍ଷିଣ ଏସିଆ ଦେଶଗୁଡିକରେ ଦେଖିବାକୁ ମିଳୁଛି । ଏଥିରେ ଭାରତ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି ।