fbpx

ବିଶ୍ୱକପ୍ ପରାଜୟ ପରେ ଦୁଃଖ ବୁଝିଲା Amul: ଭାରତୀୟ ଦଳକୁ ଦେଲା ସାହସ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ-୨୦୨୩ର ଫାଇନାଲ ମ୍ୟାଚରେ ପରାସ୍ତ ହୋଇ ରନର୍ସ ଅପ୍ ହୋଇଛି ଟିମ ଇଣ୍ଡିଆ । ଅଷ୍ଟ୍ରେଲିଆ ବିପକ୍ଷରେ ଦୁର୍ବଳ ପ୍ରଦର୍ଶନ ଯୋଗୁଁ ବିଶ୍ୱ ବିଜେତା ହେବାର ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଛି ରୋହିତ ସେନା । ଏହାପରେ ସାରା ଦେଶର କ୍ରିକେଟ ଫ୍ୟାନ୍ସ ଭାଙ୍ଗି ପଡ଼ିଛନ୍ତି । ଫାଇନାଲରେ ପରାଜୟ ପରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ଜଶପ୍ରୀତ ବୁମରାହ ଏବଂ ମହମ୍ମଦ ଶାମୀଙ୍କ ଭଳି ଖେଳାଳି ମଧ୍ୟ ନିଜ ଲୁହକୁ ରୋକି ପାରି ନଥିଲେ । କିନ୍ତୁ ଏହି ସମୟରେ ଭାରତୀୟ ଦଳକୁ ସାହସ ଯୋଗାଇଛି ଅମୁଲ କମ୍ପାନୀ । ସ୍ପେଶାଲ ଅନ୍ଦାଜରେ ଟିମ ଇଣ୍ଡିଆକୁ ଆଶ୍ୱାସନା ଦେଇଛି ଅମୁଲ ।

ବିଶ୍ୱକପ ଫାଇନାଲକୁ ୯ ଦିନ ବିତି ଯାଇଥିଲେ ମଧ୍ୟ ଏବେ ସୁଦ୍ଧା ରୋହିତ-ବିରାଟଙ୍କ ସହ ଅନ୍ୟ ଖେଳାଳି ସେହି ଦୁଃଖକୁ ଭୁଲାଇ ପାରିନାହାନ୍ତି । ତେଣୁ ଏହି ଦୁଃଖ ଏବଂ ଯନ୍ତ୍ରଣାରେ ଟିକିଏ ଔଷଧ ଲଗାଇଛି ଲୋକପ୍ରିୟ ଡାଏରୀ ବ୍ରାଣ୍ଡ ଅମୁଲ । ବିଶ୍ୱକପ ପରାଜୟକୁ ଭୁଲାଇବା ପାଇଁ ଭାରତୀୟ ଦଳ ପ୍ରତି ସାହସ ଭରିଦେଇଛି । ଅମୁଲ କମ୍ପାନୀ ତରଫରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ କରାଯାଇଛି । ଏହି ପୋଷ୍ଟରେ ଟିମ ଇଣ୍ଡିଆ ଜର୍ସିରେ ଜଣେ ଖେଳାଳିଙ୍କୁ ସ୍ଥାନିତ କରାଯାଇଛି । ଖେଳାଳିଜଣକ ଖୁବ ନିରାଶ ଏବଂ ଦୁଃଖିତ ହୋଇ ବସି ରହିଥିବା ବେଳେ ତାଙ୍କ ପାଖରେ ବସିଛନ୍ତି ଅମୁଲ ଗାର୍ଲ । ତେବେ ଏହି ଚିତ୍ରରେ ଥିବା ଖେଳାଳି ରୋହିତ ଶର୍ମା ବୋଲି ଦର୍ଶାଯାଇଛି । ତେବେ ଅମୁଲ ଗାର୍ଲ ରୋହିତଙ୍କ ହାତ ଉପରେ ହାତ ରଖି ତାଙ୍କୁ ପ୍ରୋତ୍ସାହନ ଦେଉଥିବା ଏହି ଚିତ୍ରରେ ଦର୍ଶାଇଛି ଅମୁଲ ।

ଏହି ପୋଷ୍ଟରେ କମ୍ପାନୀ ଲେଖିଛି ଯେ, “ଡୋଣ୍ଟ ବି ବ୍ଲୁ, ମେନ୍ ଇନ୍ ବ୍ଲୁଜ୍.” । ଏହି ଚିତ୍ର ତଳେ “ଅମୁଲ, ଟେଷ୍ଟ ଇନ୍ ୟେଲୋ” ବୋଲି ମଧ୍ୟ ଲେଖାଯାଇଛି । ତେବେ କମ୍ପାନୀର ଏହି ମେସେଜ୍(ୟେଲୋ) ବ୍ରାଣ୍ଡ ରଙ୍ଗ ସହିତ ଅଷ୍ଟ୍ରେଲିଆର ଜର୍ସି ରଙ୍ଗକୁ ମଧ୍ୟ ଦର୍ଶାଇଛି ।

Get real time updates directly on you device, subscribe now.