fbpx

୫ ବର୍ଷରେ ମିଳିବ ଆଉ ୨ କୋଟି ପକ୍କା ଘର: ବଜେଟ-୨୦୨୪ରେ ହେଲା ବଡ଼ ଘୋଷଣା

ନୂଆଦିଲ୍ଲୀ: ବଜେଟ-୨୦୨୪ରେ ଦେଶବାସୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆସନ୍ତା ୫ ବର୍ଷ ମଧ୍ୟରେ ଦେଶରେ ଆଉ ୨ କୋଟି ପକ୍କା ଘର ପ୍ରଦାନ କରାଯିବ ବୋଲି ସେ ଘୋଷଣା କରିଛନ୍ତି । ଏହାସହିତ ୧ କୋଟି ଘରକୁ ୩ ଶହ ୟୁନିଟ ବିଜୁଳି ମଧ୍ୟ ପ୍ରଦାନ କରିବା ନେଇ ନିଷ୍ପତ୍ତି ନିଆଯାଇଛି । ରୁଫ ଟପ୍ ସୋଲାର ସିଷ୍ଟମ ଜରିଆରେ ଏହି ବିଜୁଳି ଯୋଗାଣ କରାଯିବ ।

ସେହିପରି ୯ ବର୍ଷରୁ ୧୪ ବର୍ଷ ବୟସର ବାଳିକାମାନଙ୍କୁ ସର୍ଭାଇକାଲ କ୍ୟାନ୍ସର ଟିକା ଦିଆଯିବ । ମଧ୍ୟବିତ୍ତ ବର୍ଗର ଲୋକମାନଙ୍କ ପାଇଁ ଖୁବଶୀଘ୍ର ନୂଆ ଘର ନିର୍ମାଣ ଯୋଜନା ଆରମ୍ଭ ହେବ । ନୂଆ ଯୋଜନାରେ ଘର ନିର୍ମାଣବା କ୍ରୟ ନେଇ ସୁବିଧା ରହିବ ବୋଲି ବଜେଟରେ କୁହାଯାଇଛି । ଆଶା ଏବଂ ଅଙ୍ଗନୱାଡ଼ି କର୍ମୀଙ୍କୁ ଆଗାମୀ ଦିନରେ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରାଯିବ । ୩ କୋଟି ଲକ୍ଷପତି ଦିଦି ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏ ନେଇ ବଜେଟ ଅଧିବେଶନରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହାବ୍ୟତୀତ ୮୩ ଲକ୍ଷ ଏସଏଚଜିରେ ଏବେ ୯ କୋଟି ମହିଳା ସାମିଲ ରହିଛନ୍ତି । ତେବେ ବର୍ତ୍ତମାନ ପ୍ରାୟ ୧ କୋଟି ମହିଳା ଲକ୍ଷପତି ଦିଦି ହୋଇସାରିଲେଣି ।

ଗବେଷଣା ପାଇଁ ‘ଜୟ ଅନୁସନ୍ଧାନ’ ଯୋଜନାରେ ୧ ଲକ୍ଷ କୋଟି ଟଙ୍କାର ଋଣ ଦିଆଯିବ ବୋଲି ବଜେଟରେ ଦର୍ଶାଇଛନ୍ତି ନିର୍ମଳା ସୀତାରମଣ । ୫୦ ବର୍ଷିଆ ଦୀର୍ଘମିଆଦି ଯୋଜନାରେ ଗବେଷଣା ପାଇଁ ଏହି ଋଣ ପ୍ରଦାନ କରାଯିବ । ୪୦ ହଜାର ସାଧାରଣ ବଗି ବନ୍ଦେ ଭାରତ ବଗିକୁ ରୂପାନ୍ତର କରାଯିବ ବୋଲି ଅଧିବେଶନରେ ଘୋଷଣା ହୋଇଛି । ଏହାସହିତ ପୁରୁଣା ଏୟାରପୋର୍ଟର ସମ୍ପ୍ରସାରଣ, ନୂଆ ଏୟାରପୋର୍ଟର ବିକାଶ ଉପରେ ଆଜିର ବଜେଟ ଅଧିବେଶନରେ ଗୁରୁତ୍ୱ ଦିଆଯାଇଛି । କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷଦ୍ୱୀପରେ ଅଧିକ ପର୍ଯ୍ୟଟକ ଆକର୍ଷଣ ବ୍ୟବସ୍ଥା କରାଯିବା ସହ ଭିତ୍ତିଭୂମୀର ବିକାଶ ମଧ୍ୟ କରାଯିବ । ୫୦ ବର୍ଷିଆ ସୁଧରହିତ ଯୋଜନାରେ ପ୍ରତ୍ୟେକ ରାଜ୍ୟ ମାନଙ୍କୁ ୭୫ ହଜାର କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯିବା ନେଇ ବଜେଟ-୨୦୨୪ ଅଧିବେଶନରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

Get real time updates directly on you device, subscribe now.