24 ବେଳକୁ ଆଉ ଏକ ଲଘୁଚାପ ସମ୍ଭାବନା ! ଏହି ଜିଲ୍ଲାରେ ପ୍ରବଳ ବର୍ଷିବ…

ଝାଡ଼ଖଣ୍ଡ ଓ ସଂଲଗ୍ନବର୍ତ୍ତୀ ଅଞ୍ଚଳରେ ସୁଦୃଶ୍ୟ ଲଘୁଚାପ ଏବେ ଦକ୍ଷିଣ ବିହାରରେ ସକ୍ରିୟ ରହିଛି। ଆସନ୍ତା 24ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଦୁର୍ବଳ ହେବାର ସମ୍ଭାବନା ରହିଛି।

ଭୁବନେଶ୍ବର: ଝାଡ଼ଖଣ୍ଡ ଓ ସଂଲଗ୍ନବର୍ତ୍ତୀ ଅଞ୍ଚଳରେ ସୁଦୃଶ୍ୟ ଲଘୁଚାପ ଏବେ ଦକ୍ଷିଣ ବିହାରରେ ସକ୍ରିୟ ରହିଛି। ଆସନ୍ତା 24ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଦୁର୍ବଳ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର ମୟୂରଭଞ୍ଜ ଏବଂ କେନ୍ଦୁଝରରେ ଅତି ପ୍ରବଳ ବର୍ଷା ହୋଇଥିବା ବେଳେ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ହୋଇଛି।

ଖରସ୍ରୋତା ସୁବର୍ଣ୍ଣରେଖା ନଦୀର ଉପର ମୁଣ୍ଡ ଫେକଘାଟ, ଘାଟଶିଳା, ଜାମସେଦପୁର, ଜାମଶୋଳା ଘାଟ ଆଦି ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଫଳେ ଗୁରୁବାର ରାତିରୁ ସୁବର୍ଣ୍ଣରେଖା ନଦୀର ତଳିଆ ଅଞ୍ଚଳ କୁହାଯାଉଥିବା ଉତ୍ତର ବାଲେଶ୍ବର ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସୁବର୍ଣ୍ଣରେଖାରେ ଏହା ଚଳିତ ବର୍ଷର ପ୍ରଥମ ବନ୍ୟା ବୋଲି କୁହାଯାଇଛି। ବନ୍ୟା ପରିସ୍ଥିତି ପାଇଁ ଜଳେଶ୍ୱର, ଭୋଗରାଇ, ବସ୍ତା ଓ ବାଲିଆପାଳ ବ୍ଲକର ନଦୀକୂଳିଆ ଅଞ୍ଚଳର ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି।

ଶୁକ୍ରବାର ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଥିବା ବେଳେ ଆସନ୍ତା ତିନିଦିନ ପର୍ଯ୍ୟନ୍ତ କେତେକ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଜିଲାକୁ ବଜ୍ରପାତ ସହ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଉପରୋକ୍ତ ଜିଲାଗୁଡ଼ିକ ମଧ୍ୟରୁ କିଛି ସ୍ଥାନରେ ଘଣ୍ଟା ପ୍ରତି 30ରୁ 40କି.ମି ବେଗରେ ପବନ ବହିବାର ଆଶଙ୍କା ରହିଛି।

ଆସନ୍ତା 24 ତାରିଖ ବେଳକୁ ବଙ୍ଗୋପସାଗରରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି, ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଆସନ୍ତା 22 କିମ୍ବା 23ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଅଧିକ ଘନୀଭୂତ ହୋଇ ଲଘୁଚାପ ରୂପ ନେଇପାରେ। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଭଦ୍ରକ ଏବଂ ସୁନ୍ଦରଗଡ଼ ଜିଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ।