fbpx

ପୁଣି ଥରେ ବିଜେପିକୁ ଲାଗିବ ଝଟକା, ମୁକୁଲଙ୍କ ପରେ ଟିଏମସିକୁ ଫେରିବେ ରାଜୀବ ବାନାର୍ଜୀ

କୋଲକାତା: ନିର୍ବାଚନ ସରିଥିଲେ ମଧ୍ୟ ପଶ୍ଚିମବଙ୍ଗ ରାଜନୀତିରେ ଉଷ୍ମତା ଭରି ରହିଛି। ରାଜ୍ୟରେ ଏବେ ନେତାଙ୍କ ଘର ବାହୁଡା ପର୍ବ ଆରମ୍ଭ ହୋଇ ଯାଇଛି। ଯେଉଁ ନେତା ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିଲେ ଏବେ ସେହି ନେତା ମମତାଙ୍କ ଶରଣରେ ଯିବାକୁ ଚାହୁଁଛନ୍ତି। ନେତାମାନେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଦଳରେ ଫେରାଇ ନେବାକୁ ଅନୁରୋଧ ମଧ୍ୟ କରୁଛନ୍ତି। ଗତକାଲି ମୁକୁଲ ରୟ ବିଜେପି ଛାଡ଼ି ଟିଏମସିରେ ମିଶିଥିବା ବେଳେ ଆଜି ଆଉ ଜଣେ ନେତା ରାଜୀବ ବାନାର୍ଜୀ ଟିଏମସିରେ ମିଶିବାକୁ ଯାଉଛନ୍ତି। ଏଥିପାଇଁ ଶନିବାର ରାଜୀବ ଟିଏମସିର ରାଜ୍ୟ ସଚିବ କୁନାଲ ଘୋଷଙ୍କର କୋଲକାତା ସ୍ଥିତ ବାସଭବନରେ ପହଞ୍ଚିଛନ୍ତି। ସେଠାରେ ଦୁଇ ନେତାଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ। ଏହାକୁ ଦୃଷ୍ଟି ରଖି ରାଜୀବ ପୁଣିଥରେ ଟିଏମ୍ସିକୁ ଫେରିବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି।
ଟିଏମସି ସରକାରରେ ମନ୍ତ୍ରୀ ଥିଲେ ରାଜୀବ ବାନାର୍ଜୀ। ହେଲେ ନିର୍ବାଚନ ପୂର୍ବରୁ ଟିଏମସି ଛାଡ଼ି ସେ ବିଜେପିରେ ସାମିଲ ହୋଇଥିଲେ। ବିଜେପି ଟିକେଟରୁ ଦୋମଜୁର ବିଧାନସଭା ଆସନରୁ ନିର୍ବାଚନ ହାରିଯାଇଥିଲେ। ପରାଜୟର ସ୍ୱାଦ ଚାଖିବା ପରେ ପୁଣିଥରେ ସେ ଟିଏମସିକୁ ଫେରିବାକୁ ଆଗଭର। ଗୋଟିଏ ଦିନ ପୂର୍ବେ ବିଜେପିରେ ସାମିଲ ମୁକୁଲ ରୟ କହିଥିଲେ, ପଶ୍ଚିମବଙ୍ଗରେ ଯେଉଁ ସ୍ଥିତି ଲାଗି ରହିଛି, ଏମିତିରେ କୌଣସି ନେତା ବିଜେପିରେ ରହି ପାରିବେ ନାହିଁ।
ସୂଚନାଯାଗ୍ୟ, ଗତକାଲି ବିଜେପି ଛାଡି ଟିଏମସିକୁ ଫେରିଥିଲେ ମୁକୁଲ ରୟ। ତାଙ୍କୁ ବିଜେପି ରାଷ୍ଟ୍ରୀୟ ଉପ ସଭାପତି ପଦରେ ନିଯୁକ୍ତ କରିଥିଲା। ମୁକୁଲ ବିଧାନସଭା ନିର୍ବାଚନ ଲଢି ମଧ୍ୟ ବିଜୟୀ ହୋଇଥିଲେ। କିନ୍ତୁ ଶୁଭେନ୍ଦୁ ଅଧିକାରୀଙ୍କ ଆଗମନ ପରେ ବିଜେପିରେ ତାଙ୍କର ପତିଆରା ହ୍ରାସ ପାଉଥିବା ମୁକୁଲ ହୃଦବୋଧ କରିଥିଲେ। ପୁଣି ଶୁଭେନ୍ଦୁଙ୍କୁ ବିରୋଧୀ ଦଳ ନେତା କରିବାକୁ ମୁକୁଲ ସହଜେ ଗ୍ରହଣ କରିପାରିନଥିଲେ। କାରଣ ସେ ଚାହୁଁଥିଲେ ବିଜେପି ତାଙ୍କୁ ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ଦାୟିତ୍ଵ ଦେଉ। ମୁକୁଲ ବିଜେପି ଛାଡିବା ପରେ ତାଙ୍କ ପୁଅ ଶୁଭ୍ରାଂଶୁ ରୟ ମଧ୍ୟ ଟିଏମସିକୁ ଫେରିଥିଲେ।

Get real time updates directly on you device, subscribe now.