fbpx

ପାକିସ୍ତାନରେ ପୁଣି ଆତଙ୍କୀ ଆକ୍ରମଣ, ନାଭାଲ ଏୟାର ବେସକୁ ଟାର୍ଗେଟ

ଇସଲାମାବାଦ: ପାକିସ୍ତାନ ଉପରେ ହେଉଥିବା କ୍ରମାଗତ ଆକ୍ରମଣ ଥମିବାର ନାଁ ଧରୁନି । ନିକଟରେ ବାଲୁଚିସ୍ତାନର ଗ୍ୱାଦର ପୋର୍ଟ(Gwadar Port) ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ବର୍ତ୍ତମାନ ବାଲୁଚିସ୍ତାନର ତୁର୍ବତରେ ସ୍ଥିତ ପାକିସ୍ତାନର ଦ୍ୱିତୀୟ ବଡ଼ ନାଭାଲ ଏୟାର ଷ୍ଟେସନ PNS Siddique ଉପରେ ଆକ୍ରମଣ ହୋଇଛି । ଏହାର ନିକଟବର୍ତ୍ତୀ ଅଞ୍ଚଳରେ ବିସ୍ଫୋରଣ ହେବାର ଖବର ସାମ୍ନାକୁ ଆସିଛି । ତେବେ ବାଲୁଚିସ୍ତାନ ଲିବରେସନ ଆର୍ମି(BLA)ର Majeed Brigade ଏହି ଆକ୍ରମଣ କରିଥିବା ଦାବି କରିଛନ୍ତି ।

ସୂଚନାରୁ ପ୍ରକାଶ ସୋମବାର ବିଳମ୍ବିତ ରାତିରେ ଆତଙ୍କୀ ସଂଗଠନ ବାଲୁଚିସ୍ତାନ ଲିବରେସନ ଆର୍ମିର 4 ଜଣ ସଦସ୍ୟ ଏୟାର ଷ୍ଟେସନ ମଧ୍ୟରେ ପ୍ରବେଶ କରି ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ବେଳେ ପାକିସ୍ତାନ ସୁରକ୍ଷାକର୍ମୀଙ୍କ ଦ୍ୱାରା ଏହାର ଜବାବ ଦିଆଯାଇଛି । ଉଭୟ ପକ୍ଷ ମଧ୍ୟରେ କିଛି ସମୟ ଧରି ଗୁଳି ବିନିମୟ ହୋଇଥିଲା । ଏୟାର ଷ୍ଟେସନ ମଧ୍ୟରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ସମସ୍ତ ୪ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିବା ନେଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ କୁହାଯାଇଛି ।ବି.ଏଲ.ଏ ମଜିଦ ବିଗ୍ରେଡର ଆତଙ୍କବାଦୀମାନେ ଏୟାର ବେସରେ ପ୍ରବେଶ କରିବା ସହ ବିସ୍ଫୋରଣ କରିଛନ୍ତି । ଏଥିସହ ଆଖିବୁଜା ଗୁଳି ଚାଳନା ମଧ୍ୟ କରାଯାଇଛି । ଏହି ଆକ୍ରମଣରେ ମୃତାହତ ନେଇ କୌଣସି ସୂଚନା ମିଳି ନଥିବା ବେଳେ ଏଥିପାଇଁ ବେଲୁଚିସ୍ତାନ ଲିବରେସନ ଆର୍ମୀ ନିଜକୁ ଦାୟୀ କରିଛି । ବେଲୁଚିସ୍ତାନରେ ଚୀନର ନିବେଶକୁ ବିରୋଧ କରି ଆସୁଛି ଏହି ସଂଗଠନ । ଯାହାକୁ ନେଇ ପାକିସ୍ତାନ ଉପରେ ବାରମ୍ବାର ଆକ୍ରମଣ କରାଯାଉଛି । ବାଲୁଚିସ୍ତାନ ଲିବରେସନ ଆର୍ମି ସଂଗଠନକୁ ପାକିସ୍ତାନ, ୟୁକେ ଓ ଆମେରିକା ପକ୍ଷରୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରାଯାଇଛି । ଏହାପୂର୍ବରୁ ମାର୍ଚ୍ଚ 20 ତାରିଖରେ ପାକିସ୍ତାନର ବାଲୁଚିସ୍ତାନରେ ଥିବା ଗ୍ୱାଦର ବନ୍ଦରରେ ଏହି ଆତଙ୍କୀ ସଂଗଠନ ଆକ୍ରମଣ କରିଥିଲା । ବାଲୁଚି ଆତଙ୍କବାଦୀମାନେ ବନ୍ଦରରେ ଆଖିବୁଜା ଗୁଳିମାଡ ସହ ବୋମା ବିସ୍ଫୋରଣ କରିଥିଲେ । ଏହାର ଜବାବ ଦେଇଥିଲା ପାକିସ୍ତାନ ସୁରକ୍ଷାବଳ । ସୁରକ୍ଷାକର୍ମୀଙ୍କ ଜବାବୀ କାର୍ଯ୍ୟାନୁଷ୍ଠାନରେ ୮ ଜଣ ଆତଙ୍କବାଦୀ ନିହତ ହୋଇଥିଲେ ।

Get real time updates directly on you device, subscribe now.