ନୂଆଦିଲ୍ଲୀ: ସୁରକ୍ଷା ସଂସ୍ଥାକୁ ମିଳିଛି ବଡ଼ ସଫଳତା । ଜାତୀୟ ସୁରକ୍ଷା କର୍ମୀ(ଏନଏସଜି) ଦ୍ୱାରା ଜମ୍ମୁ ଏୟାର ବେସଠାରେ ଆଣ୍ଟି-ଡ୍ରୋନ ସିଷ୍ଟମ ନିୟୋଜିତ କରାଯାଇଛି । ଏହି ସିଷ୍ଟମ ଦ୍ୱାରା ତିନି କିଲୋମିଟର ଦୂରରୁ ମଧ୍ୟ ଡ୍ରୋନର ଗତିବିଧିକୁ ଲକ୍ଷ୍ୟ କରିହେବ ଏବଂ ଏହା ସତର୍କ ମଧ୍ୟ କରାଇବ ।
ଏହି ଆଣ୍ଟି-ଡ୍ରୋନ ସିଷ୍ଟମ ଜୁଲାଇ ୧୩ରେ ଏକ ଡ୍ରୋନକୁ ଧରିବା ସହ ସେନାକୁ ସତର୍କ କରାଇଥିଲା । ତେବେ ଏହା ପରେ ଡ୍ରୋନ ଶୀଘ୍ର ଗାଏବ ହୋଇଯାଇଥିବା ନେଇ ସୂତ୍ରରୁ ପ୍ରକାଶ । ଜମ୍ମୁ ସେକ୍ଟରଠାରେ ତିନି ସପ୍ତାହ ତଳେ ହୋଇଥିବା ଡ୍ରୋନ ଆଟାକ ପରେ ସୁରକ୍ଷା ଦୃଷ୍ଟିରୁ ଏହି ସିଷ୍ଟମ ନିୟୋଜିତ କରାଯାଇଛି ।
ଜୁନ ୨୭ ତାରିଖରେ ଜମ୍ମୁ ଏୟାର ବେସ ଉପରେ ଲୋ-ଫ୍ଲାଇଙ୍ଗ ଡ୍ରୋନ ଦୁଇଟି ଆଇଡି ଫିଙ୍ଗିଥିଲା । ଏୟାରପୋର୍ଟରେ ଥିବା ହେଲିକପ୍ଟରକୁ ଏହି ଡ୍ରୋନ ଟାର୍ଗେଟ କରିଥିଲା । ସୌଭାଗ୍ୟବସତଃ ଏହି ଆକ୍ରମଣରେ ୨ ଆଇଏଏଫ ଯବାନ ସାମାନ୍ୟ ଆହତ ହୋଇଥିଲେ । ଏହା ପରେ ଜୁନ ୨୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଚ୍ଚ ସ୍ତରୀୟ ବୈଠକ ଡାକଇ ଡ୍ରୋନ ଆକ୍ରମଣ ଉପରେ ଆଲୋଚନା କରାଇଥିଲେ ।
ଆଇଡି ଯୋଗୁଁ ଜମ୍ମୁ ଏୟାରପୋର୍ଟରେ ଆଇଏଏଫର ବିଲ୍ଡିଂର ଛାତ ଭାଙ୍ଗିଯାଇଥିଲା । ଏହି ଆଇଡିରେ ଏକ କିଲୋଗ୍ରାମର ଆରଡିଏକ୍ସ ଏବଂ ଅନ୍ୟ କେମିକାଲର ଏକ ମିଶ୍ରଣ ରହିଥିଲା । ଭୂମିରେ ପଡ଼ିଥିବା ଅନ୍ୟ ଆଇଡିରେ ଏକ କେଜିର ଆରଡିଏକ୍ସ ରହିଥିଲା । ଜୁନ ୨୯ରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ତଦନ୍ତ କରି କହିଥିଲା ଯେ ଏହା ପାକିସ୍ତାନୀ ଆତଙ୍କବାଦୀଙ୍କ କାମ ।