fbpx

କାହାର ହେବେ ଅନୁଭବ ମହାନ୍ତି? ଲୋକସଭା ନା ବିଧାନସଭାରୁ ନିର୍ବାଚନ ଲଢିବେ କେନ୍ଦ୍ରାପଡ଼ା ସାଂସଦ?

ଓଡ଼ିଶା ଭାସ୍କର: ବିଜୁ ଜନତା ଦଳ ସହିତ ଅନେକ ଦିନର ସମ୍ପର୍କ ତୁଟାଇ ବିଜେପିରେ ସାମିଲ ହୋଇଛନ୍ତି ଓଲିଉଡ ଷ୍ଟାର ଅନୁଭବ ମହାନ୍ତି । ବିଜେଡିରୁ ଇସ୍ତଫା ଦେବା ପରେ ଦିଲ୍ଲୀ ମୁଖ୍ୟାଳୟରେ ପଦ୍ମ ଧରିଛନ୍ତି ଅନୁଭବ । କିନ୍ତୁ ନିର୍ବାଚନରେ ଅନୁଭବଙ୍କ ପଦବୀକୁ ନେଇ ଏବେ ବି ଚର୍ଚ୍ଚା ଓ ଆଶଙ୍କା ଲାଗି ରହିଛି । ୨୦୨୪ ସାଧାରଣ ନିର୍ବାଚନରେ କେଉଁ ପଦବୀରେ ଏବଂ କେଉଁ ଆସନରୁ ଲଢିବେ, ରାଜନୀତି ଜଗତରେ ତାହା ଏବେ ବି ପ୍ରଶ୍ନବାଚୀ । ଏମିତି କି ଅନୁଭବ ନିର୍ବାଚନ ଲଢିବେ କି ନାହିଁ, ତାହାକୁ ନେଇ ମଧ୍ୟ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି । ରାଜ୍ୟ ରାଜନୀତିରେ ଏବେ ଅନୁଭବ ପ୍ରସଙ୍ଗ ଖୁବ ଚର୍ଚ୍ଚାରେ ରହିଛି ।

ବିଜେପି ଓଡ଼ିଶା ପାଇଁ ନିଜର ସମସ୍ତ ଲୋକସଭା ଆସନରେ ପ୍ରାର୍ଥୀ ଚୟନ କରି ସାରିଛି । ଏହାବ୍ୟତୀତ ୧୧୨ଟି ବିଧାନସଭା ଆସନରେ ମଧ୍ୟ ପ୍ରାର୍ଥୀ ଦେଇଛି ଭାରତୀୟ ଜନତା ପାର୍ଟି । କିନ୍ତୁ ଉଭୟ ତାଲିକାରେ ଗୋଟିଏ ଚିହ୍ନା ଚେହେରା ବାଦ୍ ପଡ଼ିଛି, ଅନୁଭବ ମହାନ୍ତି । ୨୧ଟି ଲୋକସଭା ଏବଂ ୧୧୨ଟି ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ଘୋଷଣା କରିସାରିଛି । କେନ୍ଦ୍ରାପଡ଼ା ସାଂସଦ ଅନୁଭବଙ୍କ ପାଇଁ କୌଣସି ଲୋକସଭା ଆସନ ଏବେ ଉପଲବ୍ଧ ନାହିଁ । ବିଜେପି ତରଫରୁ ଅନୁଭବଙ୍କୁ ୨ଟି ଲୋକସଭା ଆସନ କେନ୍ଦ୍ରପଡ଼ା ଏବଂ କଟକ ମଧ୍ୟରୁ ଗୋଟିଏ ଆସନରୁ ଟିକେଟ ମିଳିପାରେ ବୋଲି ଆଲୋଚନା ହେଉଥିଲା । କିନ୍ତୁ ଉଭୟ ଆସନ ଏବେ ବିଜେପି ଅନ୍ୟ ନାମୀଦାମୀ ପ୍ରାର୍ଥୀଙ୍କୁ ଦେଇସାରିଛି । ଅନୁଭବଙ୍କ ନିଜ ଲୋକସଭା ମଣ୍ଡଳୀ କେନ୍ଦ୍ରପଡ଼ା ପାଇଁ ବିଜେପି ବୈଜୟନ୍ତ ପଣ୍ଡାଙ୍କ ନାମ ଘୋଷଣା କରିଥିବା ବେଳେ କଟକ ପାଇଁ ଭର୍ତ୍ତୃହରି ମହତାବଙ୍କୁ ନିର୍ବାଚନ ଲଢିବାକୁ ଟିକେଟ ଦେଇଛି । ତେଣୁ ଅନୁଭବଙ୍କୁ ଉଭୟ ଆସନର ଦ୍ୱାର ବନ୍ଦ ହୋଇଯାଇଛି ।

ବର୍ତ୍ତମାନ ଚର୍ଚ୍ଚ ହେଉଛି ଯେ, ଅନୁଭବଙ୍କୁ ଟିକେଟ ଦେବା ପାଇଁ ବିଜେପି କୌଣସି ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିପାରେ । କୌଣସି ଆସନରୁ ଜଣେ ପ୍ରାର୍ଥୀଙ୍କୁ ହଟାଇ ଅନୁଭବଙ୍କୁ ଟିକେଟ ଦେଇପାରେ ଭାରତୀୟ ଜନତା ପାର୍ଟି । ଯାହାର ସମ୍ଭାବନା ମଧ୍ୟ ଖୁବ କମ୍ ବୋଲି କୁହାଯାଇପାରେ । ନଚେତ୍ ଅନୁଭବଙ୍କୁ ବିଧାନସଭା ପ୍ରାର୍ଥୀ ଭାବରେ ଟିକେଟ ଦେବ ବିଜେପି । ପ୍ରଥମ ପର୍ଯ୍ୟାୟ ତାଲିକାରେ ସିଦ୍ଧାନ୍ତ ମହାପାତ୍ର ଏବଂ ଆକାଶ ଦାସନାୟକଙ୍କୁ ବିଭିନ୍ନ ବିଧାନସଭା ଆସନରୁ ଟିକେଟ ଦିଆଯାଇଛି । ତେଣୁ ଅନୁଭବଙ୍କୁ ମଧ୍ୟ ବିଧାନସଭାରୁ ନିର୍ବାଚନ ଲଢିବାକୁ ପଡ଼ିପାରେ । ତେବେ କଟକର ବାରବାଟୀ କିମ୍ବା ସାଲେପୁର ବିଧାନସଭା ଆସନରୁ ନିର୍ବାଚନ ଲଢିବା ପାଇଁ ମିଳିପାରେ ଟିକେଟ । ଏହାବ୍ୟତୀତ ଶ୍ରୀତମ ଦାସ ମଧ୍ୟ ଏହି ତାଲିକାରେ ରହିଛନ୍ତି । ତେଣୁ ଏବେ ଆଲୋଚନା ହେଉଛି ଅନୁଭବ ଏବଂ ଶ୍ରୀତମଙ୍କୁ କେଉଁ ଆସନରୁ ଟିକେଟ ଦେବ ବିଜେପି? ଲୋକସଭା ନା ବିଧାନସଭାରୁ ନିର୍ବାଚନ ଲଢିବେ ଅନୁଭବ ମହାନ୍ତି?

Get real time updates directly on you device, subscribe now.