fbpx

ଚୀନକୁ ବଡ ଝଟକା, ଚୀନ କମ୍ପାନିର ଚିପ୍ସ ବ୍ୟବହାର କରିବ ନାହିଁ ଆପଲ୍

ନୂଆଦିଲ୍ଲୀ: ଦୁନିଆର ଖ୍ୟାତାନାମା ଟେକ୍ କମ୍ପାନି ଆପଲ୍ ଚୀନକୁ ଆଉ ଏକ ବଡ ଝଟକା ଦେଇଛି। ଆପଲ ନିଜର ମୋବାଇଲ ଫୋନ ଏବଂ ଅନ୍ୟ ବୈଦ୍ୟୁତିକ ଉପକରଣରେ ଚୀନର ୟାଙ୍ଗଜୀ ମେମୋରୀ ଟେକ୍ନୋଲୋଜି କମ୍ପାନିର ମେମୋରୀ ଚିପ୍ସର ବ୍ୟବହାର ଉପରେ ରୋକ୍ ଲଗାଇଛି। ନିକ୍କେଇ ଏସିଆକୁ ଏ ବାବଦରେ ସୂଚିତ କରାଯାଇଛି। ଆପଲ୍ ଏମିତି ନିଷ୍ପତ୍ତି ସେହି ସମୟରେ ନେଇଛି ଯେଉଁ ସମୟରେ ଚୀନ ଟେକ୍ନୋଲୋଜି ସେକ୍ଟର ବିରୋଧରେ ଆମେରିକା ରପ୍ତାନୀ ଉପରେ ରୋକ୍ ଲଗାଇଛି।

ସାଧାରଣତଃ ଆପଲ୍ ଆଇଫୋନରେ ଚୀନର ମେମୋରୀ ଉପଯୋଗ କରାଯାଇଥାଏ। କିନ୍ତୁ କମ୍ପାନି ଏବେ ଚୀନ ଚିପ୍ସ ଉପରେ ରୋକ୍ ଲଗାଇବାକୁ ନିଷ୍ପତ୍ତି ନେଇଛି। ସ୍ମାର୍ଟଫୋନ ଏବଂ କମ୍ପ୍ୟୁଟରଠୁ ନେଇ ସର୍ଭର ପର୍ଯ୍ୟନ୍ତ ସବୁଥିରେ ଉପଯୋଗ କରାଯାଉଥିବା ଫ୍ଲାସ ମେମୋରୀ ଏକ ପ୍ରମୁଖ ଉପକରଣ। YMTC’S 128 ଲେୟାର ଚିପ୍ସ ଚୀନ ଚିପ୍ ନିର୍ମାଣକାରୀ କମ୍ପାନି ଦ୍ଵାରା ନିର୍ମିତି ସବୁଠୁ ଆଡଭାନ୍ସ ଚିପ୍ ଅଟେ। ତଥାପି ଚୀନର ଏହି ଚିପ୍ସ ସାମସଙ୍ଗ ଏବଂ ମାଇକ୍ରୋନ ପରି କମ୍ପାନିର ଚିପ୍ସଠୁ ଦୁଇ ପିଢି ପଛରେ ରହିଛି।

ଏହା ପୂର୍ବରୁ ଆପଲ ଚଳିତ ବର୍ଷ ଆରମ୍ଭରେ ଚୀନ ସରକାରଙ୍କ ଦ୍ଵାର ବିତ୍ତ ପୋଷିତ YMTC କମ୍ପାନିର ଚିପ୍ସ ଉପଯୋଗ କରିବାକୁ ନିଷ୍ପତ୍ତି ନେଇଥିଲା। କାରଣ ଅନ୍ୟ ଚିପ୍ସ ତୁଳନାରେ ଏହା ୨୦ ପ୍ରତିଶତ ଶସ୍ତା। ତେବେ ବଢୁଥିବା କୂଟନୈତିକ ଚାପ ଏବଂ ଆମେରିକାର ନୀତି ଯୋଗୁଁ ଆପଲକୁ ବାଧ୍ୟ ହୋଇ ଏମିତି ନିଷ୍ପତ୍ତି ନେବାକୁ ପଡିଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଚଳିତ ବର୍ଷ ଆରମ୍ଭରେ ଆପଲ୍ ଭାରତରେ ଆଇଫୋନ ୧୩ର ଉତ୍ପାଦନ ଆରମ୍ଭ କରି ଚୀନକୁ ଝଟକା ଦେଇଥିଲା। ଆଉ ଏବେ ଆଇପ୍ୟାଡ ଟ୍ୟାବଲେଟକୁ ଏଥିରେ ଯୋଡିବାକୁ ଯୋଜନା କରୁଛି। ଭାରତରେ ଅଟୋ ମୋବାଇଲ ବଜାର ବଢୁଥିବା ଚୀନ ପକ୍ଷେ ନିଶ୍ଚିତ ଭାବେ ଚିନ୍ତାଜନକ ବିଷୟ।

Get real time updates directly on you device, subscribe now.