fbpx

୩୨୬୬କୋଟି ଟଙ୍କାର ୧୧ଟି ଶିଳ୍ପ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ, ସୃଷ୍ଟି ହେବ ୯ହଜାର ୧୪୬ଟି ନିଯୁକ୍ତି

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକକ ବାତାୟନ ଅନୁମୋଦନ କମିଟି ବୈଠକରେ ପ୍ରାୟ ୩ହଜାର ୨୬୬ କୋଟି ଟଙ୍କାର ୧୧ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏହାଦ୍ୱାରା ୯ହଜାର ୧୪୬ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଏଥିରେ ଖାଦ୍ୟ ପ୍ରକ୍ରିୟାକରଣ, କୃଷି ପ୍ରକ୍ରିୟାକରଣ, ପ୍ଲାଷ୍ଟିକ, ବୟନପୋଷାକ, ଆଇଟି ଏବଂ ଅକ୍ଷୟ ଶକ୍ତିଭଳି ବିଭିନ୍ନ ଶିଳ୍ପରେ ପୁଞ୍ଜିନିବେଶ ପାଇଁ ଅନୁମୋଦନ ମିଳିଛି ।

ଏହିସବୁ ପ୍ରକଳ୍ପ ଗୁଡ଼ିକ ବାଲେଶ୍ୱର, ବଲାଙ୍ଗୀର, କଳାହାଣ୍ଡି, ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା କରାଯିବ । ଗୋଟିଏ ବହୁରାଷ୍ଟ୍ରୀୟ କମ୍ପାନୀ ୮୯୦ କୋଟିରୁ ଅଧିକ ଟଙ୍କା ବିନିଯୋଗରେ ଏକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‍ ସ୍ଥାପନ କରିବ । ଏହାଦ୍ୱାରା ୮୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିବ । ସେହିପରି ଏକ ଶିଶୁ ପୋଷାକ ନିର୍ମାତା କମ୍ପାନୀ ୨୦୦ କୋଟି ଟଙ୍କା ବିନିଯୋଗରେ ଗୋଟିଏ ସୋଲାର ପାୱାରପ୍ଲାଣ୍ଟ ସହିତ ସମନ୍ୱିତ ପୋଷାକ ଉତ୍ପାଦନ କାରଖାନା ସ୍ଥାପନ କରିବ ବୋଲି ଜଣାପଡିଛି ।

ନେସଲ ଇଣ୍ଡିଆ ଲିମିଟେଡ୍ କମ୍ପାନୀ ୮୯୦କୋଟି ଟଙ୍କା ବିନିଯୋଗ କରି ଖୋର୍ଦ୍ଧାରେ ଏକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରିବ । ଏହାଦ୍ୱାରା ୮୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ । ଆଜି ଏହି ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି । ସେହିପରି କଲରଟୋନ୍ ଗାର୍ମେଣ୍ଟସ ପ୍ରାଇଭେଟ୍ ଲମିଟେଡ୍ ୨୦୦କୋଟି ଟଙ୍କା ନିବେଶ କରି ୧.୨ ମେଗାୱଟ୍ ରୁଫ୍ କ୍ୟାପଟିଭ ସୋଲାର ପାୱାର ପ୍ଲାଣ୍ଟ ସମେତ ଏକ ଇଣ୍ଟିଗ୍ରେଟେଡ୍ ପୋଷାକ ଉତ୍ପାଦନ କାରଖାନା ଖୋର୍ଦ୍ଧାରେ ସ୍ଥାପନ କରିବ । ଯାହାଦ୍ୱାରା ୪୮୨୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ଏହି ସଂସ୍ଥା ଭାରତର ଦ୍ୱିତୀୟ ବୃହତ୍ତମ ବେବିୱେୟାର । ହିମାଦ୍ରି ସ୍ପେଶାଲିଷ୍ଟ କେମିକାଲ ଲିମିଟେଡ୍ ଓଡ଼ିଶାରେ ନିଜର ପ୍ରଥମ ରାସାୟନିକ ୟୁନିଟ୍ ଯାଜପୁରରେ ସ୍ଥାପନ କରିବ ଓ ଏଥିପାଇଁ କମ୍ପାନୀ ୯୮୦କୋଟି ଟଙ୍କା ନିବେଶ କରିବ ଓ ଏହା ଦ୍ୱାରା ୧୪୦୦ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ ।

ସେହିପରି ଆଇଡିଭିବି ରିସାଇକ୍ଲିଂ ଅପରେସନ୍ ପ୍ରାଇଭେଟ୍ ଲିମିଟେଡ୍ ୩୧୮କୋଟି ଟଙ୍କା ବ୍ୟୟରେ ଖୋର୍ଦ୍ଧାରେ ଏକ ପ୍ଲାଷ୍ଟିକ କ୍ଷେତ୍ରରେ ପ୍ରକଳ୍ପ ନିର୍ମାଣ କରିବ । ଏହାଦ୍ୱାରା ୨୪୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ । ପୂର୍ବ ପ୍ୟାକେଜିଂ ପ୍ରାଇଭେଟ୍ ଲିମିଟେଡ୍ ୧୫୨.୪୮କୋଟି ଟଙ୍କା ବ୍ୟୟରେ ଖୋର୍ଦ୍ଧାରେ ପ୍ଲାଷ୍ଟିକ ପ୍ରକଳ୍ପ ନିର୍ମାଣ କରିବ ଓ ୧୩୩ଜଣଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦେବ । ଆରଡିବି ରାସାୟନ୍ସ ଲିଃ ୫୯.୮୪କୋଟି ଟଙ୍କା ବ୍ୟୟରେ ବାଲେଶ୍ୱରରେ ପ୍ଲାଷ୍ଟିକ ପ୍ରକଳ୍ପ ନିର୍ମାଣ କରିବ ଓ ୩୯୧ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

Get real time updates directly on you device, subscribe now.