fbpx

ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ରାଜ୍ୟରେ ଚହଳ ପକାଇଥିବା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଏକ ନୂଆ ଅପଡେଟ୍ ଆସିଛି । ପୂର୍ବରୁ ବେଆଇନ ଅର୍ଥ କାରବାର ମାମଲାରେ ନାଗ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଗିରଫ ହୋଇଥିଲେ । ତେବେ ଆଜି ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି । ଜଗବନ୍ଧୁଙ୍କ ନାମରେ ଖଣ୍ଡଗିରି ଥାନାରେ ଜଣେ ଯୁବତୀ ଅଭିଯୋଗ ଦାୟର କରିଥିଲେ ।

ଶ୍ରଦ୍ଧାଞ୍ଜଳି ନାମକ ଜଣେ ପୀଡ଼ିତା ଜଗବନ୍ଧୁଙ୍କ ନାମରେ ରାଜଧାନୀ ଭୁବେନଶ୍ୱର ସ୍ଥିତ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ । ଉକ୍ତ ମାମଲାରେ ହାଇକୋର୍ଟ ଜଗବନ୍ଧୁଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ତେବେ ଜଗବନ୍ଧୁଙ୍କ ବିରୋଧରେ ୩ଟି ମାମଲା ରହିଥିବା ବେଳେ ଗୋଟିଏ ମାମଲାରେ ତାଙ୍କୁ ଆଶ୍ୱସ୍ତି ମିଳିଛି । ତାଙ୍କ ନାମରେ ନୟାପଲ୍ଲୀ ଥାନାରେ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ଏପରି ଦୁଇଟି ମାମଲା ରହିଛି ।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ଅକ୍ଟୋବର ମାସ ୭ ତାରିଖରେ ଅର୍ଚ୍ଚନା ଗିରଫ ହୋଇଥିବା ବେଳେ ୧୭ ତାରିଖରେ ତାଙ୍କର ଜାମିନକୁ ଏସଡିଜେଏମ୍ କୋର୍ଟ ନାମଞ୍ଜୁର କରିଦେଇଥିଲେ । ସେହିପରି ୨୧ ତାରିଖରେ ଭୁବନେଶ୍ୱରର ସତ୍ୟବିହାର ସ୍ଥିତ ବାସଭବନରୁ ପୋଲିସ ଜଗବନ୍ଧୁଙ୍କୁ ଗିରଫ କରିଥିଲା । ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟ ଗଠନ ପଛରେ ଜଗବନ୍ଧୁ ମାଷ୍ଟରମାଇଣ୍ଡ ରହିଥିଲେ । କେଉଁ ଉପାୟରେ ଅର୍ଥ ଆସିବ, କାହାକୁ କେମିତି ଫସାଯିବ, ସେସବୁର ପ୍ରି-ପ୍ଲାନ କରୁଥିଲେ ଜଗବନ୍ଧୁ । ଅର୍ଚ୍ଚନା ଗିରଫ ହେବା ପରେ କିଛିଦିନ ପାଇଁ ଜଗବନ୍ଧୁ ଫେରାର ରହିଥିଲେ । ଏହି ମାମଲାରେ ରାଜ୍ୟର ବହୁ ବଡ଼ବଡ଼ିଆଙ୍କ ହାତ ରହିଥିବା ନେଇ ବେଶ୍ ଚର୍ଚ୍ଚା ହୋଇଥିଲା ।

Get real time updates directly on you device, subscribe now.