ଫଣା ଦେଖାଇଲେ ଅର୍ଚ୍ଚନା ନାଗ, ବିଜେଡି ଓ ପୋଲିସ ବିରୋଧରେ ଓଗାଳିଲେ ବିଷ
ଜେଲ୍ ପରେଡ ବାହାନାରେ ପୋଲିସ ମୋ ପାଖକୁ ଜେଲକୁ ଯାଉଥିଲେ। ମୋତେ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା ଉଦ୍ୟମ କରିଥିଲେ।
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ହନିଟ୍ରାପ କୁଇନ୍ ଅର୍ଚ୍ଚନା ନାଗ ବିଜେଡି ବିରୋଧରେ ବୋମା ଫୁଟାଇଛନ୍ତି। ବିଜେଡିର ବହୁ ବଡ଼ ବଡ଼ ନେତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ପ୍ରେସମିଟ୍ କରି ତାଙ୍କ ଗିରଫ ପଛର ଗୁମର ଖୋଲିଛନ୍ତି।
ଅର୍ଚ୍ଚନା ନାଗ କହିଛନ୍ତି ତାଙ୍କୁ ପଛରୁ ଛୁରୀ ମାରିଥିଲେ ବିଜେଡି ନେତା। ତାଙ୍କ ଗିରଫଦାରି ପଛରେ ବଡ଼ ଷଡ଼ଯନ୍ତ୍ର କରିଥିଲା ବିଜେଡି। ନୂଆ ସରକାରଙ୍କ ଅଭିଯୋଗ ପ୍ରକୋଷ୍ଠରେ ଗତକାଲି ନ୍ୟାୟ ପାଇଁ ଚିଠି ଲେଖିଥିବା ବେଳେ ଆଜି ବିଜେଡି ବିରୋଧରେ ବର୍ଷିଛନ୍ତି ଅର୍ଚ୍ଚନା ନାଗ।
ବୋମା ଫୁଟାଇଲେ ଅର୍ଚ୍ଚନା ନାଗ: ପ୍ରେସମିଟ୍ କରି ବିଜେଡି ବିରୋଧରେ ବିଷ ଓଗାଳିବା ସହ ବିଜେଡିର ବଡ଼ ବଡ଼ ନେତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି।
ବିଜେଡି ନେତା ବବି ଦାସ, ମାନସ ମଙ୍ଗରାଜ, ଅମରେଶ ଜେନାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଅର୍ଚ୍ଚନା। କେବଳ ସେତିକି ନୁହେଁ ପୋଲିସ ଅଧିକାରୀଙ୍କ ନାଁ ନେଇ ମଧ୍ୟ ଟାର୍ଗେଟ୍ କରିଛନ୍ତି।
ଜେଲକୁ ଯାଉଥିଲେ ପୋଲିସ: ଅର୍ଚ୍ଚନାଙ୍କ କହିବା କଥା, ତତକାଳୀନ ଡିସିପି ପ୍ରତୀକ ସିଂ ଓ ଏସିପି ପ୍ରକାଶ ପାଲ ମଧ୍ୟ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି। ହିମାଂଶୁ ସାହୁ, ତତକାଳୀନ ବାଲିଅନ୍ତା IIC ଅନୁପ କାନୁନଗୋଙ୍କ ସମ୍ପୃକ୍ତି ନେଇ ମଧ୍ୟ ମୁହଁ ଖୋଲିଲେ ଶ୍ରୀମତି ନାଗ।
ଏହାସହ ଅର୍ଚ୍ଚନା ଅଭିଯୋଗ ଆଣିଛନ୍ତି ଜେଲ୍ ପରେଡ ବାହାନାରେ ପୋଲିସ ମୋ ପାଖକୁ ଜେଲକୁ ଯାଉଥିଲେ। ମୋତେ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା ଉଦ୍ୟମ କରିଥିଲେ। ମାତ୍ର କିଛି ଅଣ୍ଡର ଟ୍ରାଏଲ ପ୍ରିଜନରଙ୍କ ସହଯୋଗରୁ ବଞ୍ଚିଗଲି।
ଜେଲରେ ଅକଥନୀୟ ନିର୍ଯ୍ୟାତନା ଦିଆଯାଉଥିଲା। ଜେଲରେ ବିଷ ଦେଇ ମାରିବାକୁ ଚେଷ୍ଟା କରାଯାଉଥିଲା। ରାଜ୍ୟ ଛାଡ଼ି ଚାଲିଯିବାକୁ ଚାପ ପକାଯାଉଥିଲା। ପାଗେଳି ବୋଲି ସ୍ୱୀକାର କରିବାକୁ ବାଧ୍ୟ କରାଯାଉଥିଲା।
ହାର୍ଡିକ୍ସ ନଷ୍ଟ କରିଦେଇଛନ୍ତି: ଏହାସହ ସେ କହିଛନ୍ତି ଯଦି ଖଣ୍ଡଗିରି ଥାନାରେ ମାମଲା ଥିଲା, ତେବେ ବାଲିଅନ୍ତା ପୋଲିସ ନେଲା କାହିଁକି? ମୋ ଘରର ସିସିଟିଭି ହାର୍ଡିସ୍କକୁ ନଷ୍ଟ କରି ଦିଆଯାଇଛି।
ଯଦି ମୋଠୁ ଜବତ ହେଲା ସବୁ ସ୍ୱିଚ୍ ଅଫ୍ କରିଦିଆଯାଇଥିଲା। ମୁଁ ଯେଉଁ ଅଭିଯୋଗ କରୁଛି ପ୍ରମାଣ ଆଧାରରେ କହୁଛି। ଅଭିଯୋଗକାରିଣୀ ମୋତେ ଏହା କହିବାରୁ ଅଡ଼ିଓ ମୋ ପାଖରେ ଅଛି। ବିଜେଡି ତାଙ୍କୁ ଟଙ୍କା ଦିଆଇ କୁହାଉଥିଲା, ଏବେ ଦେଉନାହାନ୍ତି କହୁଛି।
ମାତ୍ର ମୋର ଆଶଙ୍କା ଏବେବି ବିଜେଡି ତାଙ୍କୁ ଟଙ୍କା ଦେଉଛି। ଜେଲରଙ୍କୁ ମଧ୍ୟ ଟଙ୍କା ଦେଇ କିଣି ଦେଇଥିଲେ, ଏହାର ପ୍ରମାଣ ରହିଛି। ହେଲେ ଏନେଇ ବିଜେଡି ନେତା କିମ୍ୱା ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।