fbpx

କୋପା ଆମେରିକା ୨୦୨୪: ଆର୍ଜେଣ୍ଟିନା-କାନାଡ଼ା ଓ କଲମ୍ବିଆ-ଉରୁଗୁଏ ମଧ୍ୟରେ ହେବ ସେମିଫାଇନାଲ ମୁକାବିଲା

ନୂଆଦିଲ୍ଲୀ: ଆଜି ଖେଳାଯାଇଥିବା କୋପା ଆମେରିକା କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ମ୍ୟାଚରେ କଲମ୍ବିଆ ଏକତରଫା ଭାବେ ବିଜୟ ହାସଲ କରିଛି । ପାନାମାକୁ ୫-୦ ଗୋଲ ବ୍ୟବଧାନରେ ଶୋଚନୀୟ ଭାବେ ପରାସ୍ତ କରିଛି କଲମ୍ବିଆ । ଏହି ବିଜୟ ଫଳରେ କୋପା ଆମେରିକା ୨୦୨୪ ସେମିଫାଇନାଲରେ ପ୍ରବେଶ କରିଛି କଲମ୍ବିଆ । ଆରିଜୋନାର ଗ୍ଲେଣ୍ଡାଲେ ଷ୍ଟେଟ ଫାର୍ମ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ କଲମ୍ବିଆର ଆଧିପତ୍ୟ ଦେଖିବାକୁ ମିଳିଥିଲା । ଏହା ପୂର୍ବରୁ ଆର୍ଜେଣ୍ଟିନା ଓ କାନାଡ଼ା କୋପା ଆମେରିକା ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଥିଲେ ।

ସେହିପରି କ୍ୱାର୍ଟର ଫାଇନାଲର ଅନ୍ୟ ଏକ ମ୍ୟାଚରେ ବ୍ରାଜିଲକୁ ୪-୨ ପେନାଲ୍ଟୀ ଶୁଟଆଉଟରେ ପରାସ୍ତ କରି କୋପା ଆମେରିକା ୨୦୨୪ ସେମିରେ ପ୍ରବେଶ କରିଛି ଉରୁଗୁଏ । ୯୦ ମିନିଟର ଖେଳ ପରେ ଦୁଇ ଟିମ୍ ପକ୍ଷରୁ କେହି ଗୋଲ ସ୍କୋର କରିପାରି ନଥିଲେ । ତା’ପରେ ପେନାଲ୍ଟୀ ଶୁଟଆଉଟର ସହାୟତା ନିଆଯାଇଥିଲା । ପେନାଲ୍ଟୀ ଶୁଟଆଉଟରେ ଉରୁଗୁଏ ୪-୨ରେ ବିଜୟୀ ହୋଇ ସେମିରେ ପ୍ରବେଶ କରିଥିଲା ।

କୋପା ଆମେରିକା ସେମିଫାଇନାଲ ଜୁଲାଇ ୯ ଓ ୧୦ରେ ଖେଳାଯିବ । ଏହାପରେ ୧୪ରେ ଫ୍ଲୋରିଡ଼ାର ମିଆମୀ ଗାର୍ଡେନ୍ସ ସ୍ଥିତ ହାର୍ଡ ରକ ଷ୍ଟାଡିୟମରେ ଗ୍ରାଣ୍ଡ ଫିନାଲେ ଖେଳାଯିବ । ୧୬ଟି ଟିମଙ୍କୁ ନେଇ ଜୁନ୍ ୨୦ରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିବା ବେଳେ ଏବେ ସେମିଫାଇନାଲ ପାଇଁ ୪ଟି ଟିମ୍ ଯୋଗ୍ୟତା ଅର୍ଜନ କରିଛନ୍ତି । ଜୁଲାଇ ୯ରେ ଆର୍ଜେଣ୍ଟିନା-କାନାଡ଼ା ଓ ଜୁଲାଇ ୧୦ରେ କଲମ୍ବିଆ ଓ ଉରୁଗୁଏ ମଧ୍ୟରେ ସେମି ମୁକାବିଲା ହେବ ।

Get real time updates directly on you device, subscribe now.