ଓଡ଼ିଶାକୁ ହରାଇଲେ ଅର୍ଜୁନ ତେନ୍ଦୁଲକର: ପ୍ରଥମ ମ୍ୟାଚରେ ଟିମକୁ ଦେଲେ ବିଜୟ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ବ୍ୟାଟ୍ସମ୍ୟାନ ତଥା କ୍ରିକେଟର ଭଗବାନ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ନେଇ ଆସିଛି ଏକ ବଡ଼ ଖବର । ବିଜୟ ହଜାରେ ଟ୍ରେଫି ୨୦୨୪-୨୫ର ପ୍ରଥମ ଦିନରେ ଅର୍ଜୁନ ଶାନଦାର ପ୍ରଦର୍ଶନ କରିବା ସହ ଦଳକୁ ବିଜୟୀ କରାଇଛନ୍ତି । ଓଡ଼ିଶା ବିପକ୍ଷରେ ଖେଳାଯାଯାଇଥିବା ମୁକାବିଲାରେ ଅର୍ଜୁନ ସବୁଠାରୁ ସଫଳ ବୋଲର ସାବ୍ୟସ୍ତ ହୋଇଛନ୍ତି । ଏହା ପୂର୍ବରୁ ସେ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ସମ୍ପୂର୍ଣ୍ଣ ଭାବେ ଫ୍ଲାପ୍ ହୋଇଥିଲେ । ଅର୍ଜୁନଙ୍କ ପ୍ରଦର୍ଶନ ବଳରେ ହିଁ ଗୋଆ ପ୍ରତିପକ୍ଷ ଓଡ଼ିଶାକୁ ପରାସ୍ତ କରିବାକୁ ସକ୍ଷମ ହୋଇ ପାରିଥିଲା ।

ଅର୍ଜୁନଙ୍କ ଘାତକ ବୋଲିଂ ବଳରେ ବିଜୟ ହଜାରେ ଟ୍ରଫି ୨୦୨୪-୨୫ରେ ଗୋଆ ବିଜୟରୁ ହିଁ ଶୁଭାରମ୍ଭ କରିଛି । ଜୟପୁର ଡ. ସୋନୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଗୋଆ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୪ ୱିକେଟ ହରାଇ ୩୭୧ ରନ୍ ସଂଗ୍ରହ କରିଥିଲା । ଈଶାନ ଗାଡେକର ସର୍ବାଧିକ ୯୩ ରନର ପାଳି ଖେଳିଥିଲେ । ସେହିପରି ଅଧିନାୟକ ଦର୍ଶନ ମିଶାଲ ୭୯ ରନ, ସୁୟଶ ପ୍ରଭୁଦେସାଈ ୭୪ ରନ୍ ଓ ସ୍ନେହଲ କୌଥଙ୍କର ୬୭ ରନ୍ ସଂଗ୍ରହ କରିଥିଲେ । ଏହି ଇନିଂସରେ ଅର୍ଜୁନଙ୍କୁ ବ୍ୟାଟିଂ କରିବାକୁ ସୁଯୋଗ ମିଳିନଥିଲେ ହେଁ ସେ ବୋଲିଂରେ କମାଲ କରିଥିଲେ । ଅର୍ଜୁନ ୧୦ ଓଭର ବୋଲିଂ କରି ୬.୧୦ ଇକୋନମି ରେଟରେ ୬୧ ରନ ଦେଇ ୩ଟି ୱିକେଟ ଅକ୍ତିଆର କରିଥିଲେ । ସେ କାତ୍ତିକ ବିଶ୍ୱାଲ, ଅଭିଷେକ ରାଉତ ଓ ରାଜେଶ ମୋହନ୍ତୀଙ୍କୁ ନିଜର ଶିକାର ବନାଇଥିଲେ । ଅର୍ଜୁନଙ୍କ ବ୍ୟତୀତ ଶୁଭମ ତାରୀ ଓ ମୋହିତ ରେଡକର ମଧ୍ୟ ୨ଟି ଲେଖାଏଁ ୱିକେଟ ନେଇ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।