(Video) ନବ ଦାସ ହତ୍ୟା ମାମଲା: ଜେଲ ଗଲେ ବହିଷ୍କୃତ ASI ଗୋପାଳ ଦାସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଏଏସଆଇ ଗୋପାଳ ଦାସଙ୍କୁ ଗତକାଲି କଡ଼ା ସୁରକ୍ଷା ବଳୟ ମଧ୍ୟରେ ଜେଏମଏଫସି କୋର୍ଟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ହାଜର କରାଯାଇଥିଲା । ତେବେ ଝାରସୁଗୁଡ଼ା ଜେଏମଏଫସିଙ୍କ ଆବାସିକ କୋର୍ଟରେ ହାଜର ହେବା ପରେ ଗୋପାଳଙ୍କୁ ଝାରସୁଗୁଡ଼ା ଉପକାରାଗାରକୁ ପଠାଇ ଦିଆଯାଇଛି । ଏଥିସହିତ ଗୋପାଳଙ୍କୁ ୭ ଦିନିକିଆ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିବ ବୋଲି ଜଣାପଡ଼ିଛି ।

କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିବା ଗୋପାଳଙ୍କୁ ଗତକାଲି ଚାକିରିରୁ ବରଖାସ୍ତ କରିଥିଲେ ଝାରସୁଗୁଡ଼ା ଏସପି । ଗୋପାଳଙ୍କଠାରୁ ଜବତ ହୋଇଥିବା ପିସ୍ତଲକୁ ବାଲିଷ୍ଟିକ ପରୀକ୍ଷା ପାଇଁ ଲ୍ୟାବକୁ ପଠାଯିବ । ତାଙ୍କଠାରୁ ୯ଏମଏମ ପିସ୍ତଲ, ୩ଟି ଜୀବନ୍ତ ଗୁଳି ଜବତ ହୋଇଥିଲା । ଅନ୍ୟପକ୍ଷରେ ନବଙ୍କ ରକ୍ତଭିଜା ପୋଷାକ, ମେଡିକାଲ ରେକର୍ଡକୁ ଜବତ କରାଯାଇଛି । ଏଥିସହିତ ପୋଷ୍ଟମର୍ଟମ କରିଥିବା ଡାକ୍ତରୀ ଟିମ୍ ସହ ଆଲୋଚନା କରାଯାଇ ନବଙ୍କ ଭିସେରା ନମୂନା ସଂରକ୍ଷିତ କରି ରଖାଯାଇଛି ।

ଗତ ୨୯ ତାରିଖରେ ବ୍ରଜରାଜନଗରଠାରେ ଏକ ଦଳୀୟ କାର୍ୟ୍ୟକ୍ରମକୁ ଯୋଗଦେବାକୁ ଯାଇଥିବା ସମୟରେ ଅଚାନକ ନବଙ୍କ ଉପରକୁ ଗଳିମାଡ଼ କରିଥିଲେ ଗୋପାଳ । ଜଣେ ରାଜନେତାଙ୍କୁ ଜଣେ କର୍ତ୍ତବ୍ୟରତ ପୋଲିସ ଅଧିକାରୀ ଗୁଳି କରି ହତ୍ୟା କରିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହା ମଧ୍ୟରେ ଗୁଳିକାଣ୍ଡ କରି ହତ୍ୟା କରିଥିବା ନେଇ ଗୋପାଳ ସ୍ୱୀକାର କରିସାରିଛନ୍ତି ।