ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଦ୍ୱାରା ପରିଚାଳିତ ସହକାରୀ ପରିସଂଖ୍ୟାନ ଅଧିକାରୀ (ଏଏସଓ) ଓ ପରିସଂଖ୍ୟାନ ସହାୟକ (ଏସଏ) ପଦ ପାଇଁ ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଏହି ଦୁଇ ପଦର ବିଜ୍ଞପ୍ତିରେ କିଛି ନୂଆ ପଏଣ୍ଟ ଯୋଡ଼ା ଯାଇଛି । ମୁଖ୍ୟ ଲିଖିତ ପରୀକ୍ଷାର ଟେକ୍ନିକାଲ ପେପରର ସିଲାବସରେ ପରିବର୍ତ୍ତନ କରାଯାଇଛି । ଏନେଇ ଓଏସଏସସି ତରଫରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ । ୱେବସାଇଟରେ ଏହି ଦୁଇ ପଦର ପରିସଂଖ୍ୟାନ, ଅର୍ଥନୀତି ଓ ଗଣିତ ଆଦି ଟେକ୍ନିକାଲ ବିଷୟର ସିଲାବସ୍ ଜାରି କରାଯାଇଛି ।
ସୂଚନାଯୋଗ୍ୟ ଯେ, ସହକାରୀ ପରିସଂଖ୍ୟାନ ଅଧିକାରୀ ଓ ପରିସଂଖ୍ୟାନ ସହାୟକ ପଦରେ ୧୭୩ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବେ ରାଜ୍ୟ ସରକାର । ୧୬୯ଟି ସହକାରୀ ପରିସଂଖ୍ୟାନ ଅଧିକାରୀ (ଏଏସଓ) ଓ ୪ଟି ପରିସଂଖ୍ୟାନ ସହାୟକ (ଏସଏ) ପଦ ଖାଲି ରହିଛି । ପ୍ଲାନିଂ ଓ କନଭରଜେନ୍ସ ବିଭାଗ ଅଧିନରେ ଅର୍ଥନୀତି ଓ ପରିସଂଖ୍ୟ।।ନ ନିର୍ଦ୍ଦେଶାଳୟରେ ସହକାରୀ ପରିସଂଖ୍ୟାନ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ । ସେହିପରି ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅଧିନରେ ଶ୍ରମ ଆୟୋଗ କାର୍ଯ୍ୟାଳୟରେ ପରିସଂଖ୍ୟାନ ସହାୟକଙ୍କୁ ନିଯୁକ୍ତି ଦିଆଯିବ ।
ନଭେମ୍ବର ୨୯ରୁ ଡିସେମ୍ବର ୨୮ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ ପ୍ରକ୍ରିୟା ଜାରି ରହିବ । ଡିସେମ୍ବର ୩୧ ଅନଲାଇନ୍ ଆପ୍ଲିକେସନ ଫର୍ମ ସବମିସନର ଅନ୍ତିମ ତାରିଖ ରହିଥିବା ବେଳେ ଜାନୁଆରୀ ୨ ଅନଲାଇନ୍ ଆପ୍ଲିକେସନ ଫର୍ମ ସଂଶୋଧନର ଅନ୍ତିମ ତାରିଖ ରହିଛି । ଅଣସଂରକ୍ଷିତ, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି), ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ବର୍ଗର ପ୍ରାଥୀଙ୍କ ପାଇଁ ଏଥିରେ ପଦ ସଂରକ୍ଷିତ ରହିଛି । ପ୍ରିଲିମିନାରୀ, ମୁଖ୍ୟ ଲିଖିତ ପରୀକ୍ଷା ପ୍ରମାଣପତ୍ର ଯାଞ୍ଚ ଆଦି ପର୍ଯ୍ୟାୟ ଜରିଆରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ ।