fbpx

ଆସିଷ୍ଟାଣ୍ଟ ପ୍ରଫେସର (ଷ୍ଟେଜ-I) ପଦର ଅନଲାଇନ୍ ଆବେଦନ ଅବଧି ବୃଦ୍ଧି: ସୂଚନା ଜାରି କଲା OPSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଷ୍ଟାଣ୍ଟ ପ୍ରଫେସର (ଷ୍ଟେଜ-୧) ପଦକୁ ନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ପୂର୍ବ ବିଜ୍ଞାପନକୁ ନେଇ ଏକ କରିଜେଣ୍ଡମ୍ ଜାରି କରାଯାଇଛି । ମାର୍ଚ୍ଚ ୧୨ରୁ ଏପ୍ରିଲ ୧୬ ମଧ୍ୟରେ ଆବେଦନ କରାଯିବା ପାଇଁ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ବେଳେ ଏବେ ଉକ୍ତ ଅବଧିକୁ ବୃଦ୍ଧି କରାଯାଇଛି । କିଛି ବୈଷୟିକ କାରଣରୁ ଅନଲାଇନ୍ ଆବେଦନ ଅବଧିକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅନ୍ୟ ସମସ୍ତ ନିୟମ ପୂର୍ବ ମୁତାବକ ଅପରିବର୍ତ୍ତିତ ରହିବ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ଥିବା ସରକାରୀ ଡିଗ୍ରୀ କଲେଜମାନଙ୍କରେ ଓଡ଼ିଶା ଶିକ୍ଷା ସେବା (କଲେଜ ବ୍ରାଞ୍ଚ)ର ଗ୍ରୁପ-୧ ପଦରେ ପ୍ରାର୍ଥୀଙ୍କୁ ବିଭିନ୍ନ ବିଷୟରେ ସହକାରୀ ପ୍ରଫେସରଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ମୋଟ ୩୮୫ଟି ପଦ ଖାଲି ରହିଥିବା ବେଳେ ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି), ଅଣସଂରକ୍ଷିତ ଆଦି ବିଭିନ୍ନ ବର୍ଗର ପ୍ରାର୍ଥୀଙ୍କ ପାଇଁ ପଦ ସଂରକ୍ଷିତ ରହିଛି ।

ପ୍ରାର୍ଥୀଙ୍କୁ କେମିଷ୍ଟ୍ରି, କମର୍ସ, କମ୍ପ୍ୟୁଟର ସାଇନ୍ସ, ଏଜୁକେସନ, ଅର୍ଥନୀତି, ଓଡ଼ିଆ, ଫିଜିକ୍ସ, ସାଇକୋଲୋଜି, ସୋସିଓଲୋଜି, ରାଜନୀତି ବିଜ୍ଞାନ, ଇତିହାସ, ଭୂଗୋଳ, ହୋମ ସାଇନ୍ତସ, ଜିଓଲୋଜି, ଇଂରାଜୀ ଆଦି ୧୯ଟି ବିଷୟରେ ସହକାରୀ ପ୍ରଫେସର ପଦରେ ନିଯୁକ୍ତି ଦିଆଯିବ । ଆବେଦନର ଅନ୍ତିମ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୧ରୁ ୪୫ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ସହିତ ୫୫ ପ୍ରତିଶତ ମାର୍କ ରଖିଥିବେ । ଏଥିସହିତ ପ୍ରାର୍ଥୀ ନ୍ୟାସନାଲ ଏଲିଜିବିଲିଟି ଟେଷ୍ଟ (ନେଟ) ପାସ୍ କରିଥିବା ଆବଶ୍ୟକ ।

Get real time updates directly on you device, subscribe now.