ନୂଆବର୍ଷରେ ସାଧାରଣ ଲୋକଙ୍କୁ ଝଟକା: ଜାନୁଆରୀ ୧ରୁ ମହଙ୍ଗା ହୋଇଯିବ ଏଟିଏମରୁ ଟଙ୍କା ଉଠାଣ ଓ ଅନ୍ୟାନ୍ୟ ସେବା

ନୂଆଦିଲ୍ଲୀ: ନୂଆବର୍ଷ ନ ଆସୁଣୁ ସାଧାରଣ ଜନତାଙ୍କୁ ଘାରିଲାଣି ଦରଦାମ୍ ବୃଦ୍ଧି ଚିନ୍ତା । କାରଣ ନୂଆ ବର୍ଷରୁ ଅନେକ କିଛି ସେବା ମହଙ୍ଗା ହେବାକୁ ଯାଉଛି । ବଡ଼ବଡ଼ିଆଙ୍କୁ କୌଣସି ଚିନ୍ତା ନଥିବା ବେଳେ ଏହି ଦରଦାମ୍ ବୃଦ୍ଧି ଗରିବ ତଥା ମଧ୍ୟବିତ୍ତଙ୍କୁ ଚିନ୍ତାରେ ପକାଇଛି । ତେବେ ନୂତନ ବର୍ଷରୁ ବ୍ୟାଙ୍କ ସେବା ମହଙ୍ଗା ହେବାକୁ ଯାଉଛି । ବ୍ୟାଙ୍କ ସମ୍ପର୍କିତ ବିଭିନ୍ନ ସେବାର ଦର ବଢ଼ିବ । ଜାନୁଆରୀ ୧ ତାରିଖରୁ ଏଟିଏମ୍ ରୁ ଟଙ୍କା ଉଠାଣରେ ଅଧିକ ଶୁଳ୍କ ଲାଗିବ । ଏନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସମସ୍ତ ବ୍ୟାଙ୍କ୍ କୁ ଅନୁମତି ମିଳିସାରିଛି । ଏହି ନିର୍ଦ୍ଦେଶ ଅନେକ ଆଗରୁ ମିଳିଥିଲେ ସୁଦ୍ଧା ନୁତନ ବର୍ଷରୁ ଏହା ପ୍ରଭାବୀ ରୂପରେ ଲାଗୁ କରାଯିବ ।

ଆରବିଆଇ ଅନୁଯାୟୀ, ପ୍ରତ୍ୟେକ ବ୍ୟାଙ୍କ ଗ୍ରାହକଙ୍କୁ ନଗଦ ଏବଂ ଅନ୍ୟାନ୍ୟ ଆର୍ଥିକ ସେବା ପାଇଁ ପ୍ରତିମାସରେ ଏକ ନିଶୁଳ୍କ ସୀମା ସ୍ଥିର କରିଥାନ୍ତି । ଆଉ ଏହି ସାମୀ ଠାରୁ ଅଧିକ ଥର ବ୍ୟବହାର କଲେ ବ୍ୟାଙ୍କ ଗୁଡ଼ିକ ଶୁଳ୍କ ଆଦାୟ କରିଥାନ୍ତି । ରିଜର୍ଭ ବ୍ୟାଙ୍କ ଅନୁସାରେ, ଅଧିକ ଅଦଳବଦଳ ଚାର୍ଜ ଏବଂ ମୂଲ୍ୟ ବୃଦ୍ଧି ହେତୁ ବ୍ୟାଙ୍କଗୁଡିକୁ ଏଟିଏମ୍ ରୁ ଟଙ୍କା ଉଠାଣ ଶୁଳ୍କ ବୃଦ୍ଧି କରିବାକୁ ଅନୁମତି ଦିଆଯାଇଥାଏ। ବର୍ତ୍ତମାନ ଠାରୁ ଆକ୍ସିସ୍ ବ୍ୟାଙ୍କ୍, ଏଚଡିଏଫସି ସମେତ ଅନ୍ୟାନ୍ୟ ସରକାରୀ ଓ ଘରୋଇ ବ୍ୟାଙ୍କ ଗୁଡ଼ିକରୁ ଟଙ୍କା ଉଠାଣ କରିବା ଦ୍ୱାରା ଅଧିକ ଶୁଳ୍କ ଦେବାକୁ ହେବ ।

ବର୍ତ୍ତମାନ ବ୍ୟାଙ୍କ ପ୍ରତିମାସରେ ସର୍ବାଧିକ ୮ ଥର ଏଟିଏମ୍ ରୁ ଟଙ୍କା ଉଠାଣ ପାଇଁ ଅନୁମତି ଦେଇଥାଏ । ଏଥିରେ ଆର୍ଥିକ ଓ ଅଣ-ଆର୍ଥିକ ସେବା ଉଭୟ ସାମିଲ ରହିଛି । ଯେଉଁ ବ୍ୟାଙ୍କରେ ଗ୍ରାହକଙ୍କ ଖାତା ରହିଛି ସେହି ବ୍ୟାଙ୍କର ଏଟିଏମ୍ ରୁ ସର୍ବାଧିକ ୫ ଥର ଟଙ୍କା ଉଠାଯାଇପାରିବ । ବର୍ତ୍ତମାନ ଏଟିଏମ୍ ରୁ ଟଙ୍କା ଉଠାଣ ପାଇଁ ୨୦ ଟଙ୍କା ଶୁଳ୍କ ନିଆଯାଉଛି କିନ୍ତୁ ନୁତନ ବର୍ଷରୁ ଏହି ଚାର୍ଜକୁ ବଢ଼ାଇ ୨୧ ଟଙ୍କା କରିଦିଆଯିବ । ସେହିପରି ଯଦି ଆପଣ ଅନ୍ୟ କୌଣସି ବ୍ୟାଙ୍କ ର ଏଟିଏମ୍ ରୁ ଟଙ୍କା ଉଠାଉଛନ୍ତି ତେବେ ଆପଣଙ୍କ ଠାରୁ ପୂର୍ବରୁ ୧୫ ଟଙ୍କା ନିଆଯାଉଥିଲା କିନ୍ତୁ ଏହାକୁ ଅଗଷ୍ଟ ମାସରୁ ହିଁ ବଢ଼ାଇ ୧୭ ଟଙ୍କା କରିଦିଆଯାଇଛି ।