fbpx
BJD SKY
BJD SKY

ଫିକା ପଡ଼ିଲା ଅଷ୍ଟ୍ରେଲିଆର ବୋଲିଂ: ଘାତକ ବ୍ୟାଟିଂ କରି ୪୦୦ ରନର ଟାର୍ଗେଟ ଦେଲା ଟିମ ଇଣ୍ଡିଆ

BJD

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଅଷ୍ଟ୍ରେଲିଆ ଉପରେ ଭାରୀ ପଡ଼ିଛି ଭାରତର ବ୍ୟାଟିଂ ଅର୍ଡର । ଅଷ୍ଟ୍ରେଲିଆର ଖତରନାକ ବୋଲିଂ ବିଭାଗକୁ ଧରାଶାୟୀ କରି ଦେଇଛନ୍ତି ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ । ପ୍ରଥମରୁ ଓପନର ଋତୁରାଜ ଗାଏକ୍ୱାଡଙ୍କୁ ହରାଇବା ପରେ ଭାରତ ଅଷ୍ଟ୍ରେଲିଆ ବିରୋଧରେ ଆକ୍ରମଣ ଆରମ୍ଭ କରିଥିଲା । ତେବେ ଦୀର୍ଘ ଦିନରୁ ଦିନିକିଆରେ ଫେଲ ମାରୁଥିବା ସୂର୍ଯ୍ୟକୁମାର ଯାଦବ ବର୍ତ୍ତମାନ ଏହି ଫର୍ମାଟରେ ମଧ୍ୟ ନିଜର କମାଲ ଦେଖାଇଛନ୍ତି । ଟି-୨୦ର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଏବେ ଦିନିକିଆରେ ଅଷ୍ଟ୍ରେଲିଆ ବୋଲରଙ୍କ ପାଇଁ ଦୁଃସ୍ୱପ୍ନ ପାଲଟିଛନ୍ତି ।

ଟସ୍ ଜିତି ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ, ଯାହା ଦଳ ପାଇଁ ମହଙ୍ଗା ପଡ଼ିଛି । ଦମଦାର ବ୍ୟାଟିଂର ପ୍ରଦର୍ଶନ କରି ଭାରତ ଅଷ୍ଟ୍ରେଲିଆକୁ ଏକ ବିଶାଳ ସ୍କୋରର ଲକ୍ଷ୍ୟ ଦେଇଛି । ନିର୍ଦ୍ଧାରିତ ୫୦ ଓଭରରେ ୪୦୦ରୁ ଅଧିକ ରନ୍ କରି ଅଷ୍ଟ୍ରେଲିଆର ବୋଲିଂ ଡିପାର୍ଟମେଣ୍ଟକୁ କମଜୋର ବୋଲି ଦର୍ଶାଇଛନ୍ତି । ଗିଲ୍ ଏବଂ ଶ୍ରେୟସଙ୍କ ଶତକରେ ଭାଙ୍ଗି ପଡ଼ିଥିବା ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା ଦେଇଛନ୍ତି ଟି-୨୦ ସୁପରଷ୍ଟାର ସୂର୍ଯ୍ୟକୁମାର ଯାଦବ । ଟି-୨୦ରେ ନିଜକୁ ପ୍ରମାଣିତ କରି ସାରିଥିବା ସୂର୍ଯ୍ୟକୁମାର ବାରମ୍ବାର ଦିନିକିଆରେ ଫେଲ ମାରୁଥିଲେ । କିନ୍ତୁ ଆଜି ତାଙ୍କର ପ୍ରକୃତ ରୂପ ଦେଖିଛି ଅଷ୍ଟ୍ରେଲିଆ ଦଳ ।

ମିଷ୍ଟର-୩୬୦ ଭାବରେ ପରିଚୟ ପାଇଥିବା ସୂର୍ଯ୍ୟକୁମାର ଆରମ୍ଭରୁ ହିଁ ପଡ଼ିଆର ଚତୁର୍ଦିଗରେ ବଡ଼ ବଡ଼ ସଟ୍ ଖେଳିଛନ୍ତି । କ୍ୟାମରନ୍ ଗ୍ରୀନଙ୍କ ଗୋଟିଏ ଓଭରରେ ସେ ଲଗାତାର ୪ଟି ଛକା ମାରି ବିଶ୍ୱକପ ପୂର୍ବରୁ ଚେତାବନୀ ଦେଇଛନ୍ତି । ତେବେ ତାଙ୍କର ଏହି ବିସ୍ଫୋରକ ଇନିଂସରେ ୬ଟି ଲେଖାଏଁ ଛକା ଏବଂ ଚୌକା ସହ ସେ ମାତ୍ର ୩୭ ବଲରୁ ୭୨ ରନ ସଂଗ୍ରହ କରିଛନ୍ତି । ଏହି ପାଳି ସହିତ ସେ ବିଶ୍ୱକପ ପାଇଁ ମଧ୍ୟ ନିଜକୁ ଏକ ଦାବିଦାର ଭାବରେ ପ୍ରମାଣିତ କରିଛନ୍ତି । ତେବେ ଶ୍ରେୟସ ଆୟରଙ୍କ ଶତକ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ପାଳି ଏବେ ଚୟନ କମିଟି ପାଇଁ ଚିନ୍ତାର ବିଷୟ ପାଲଟିଯାଇଛି ।

ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ହେବା ପରେ ଚତୁର୍ଥ ଓଭରରେ ହିଁ ଋତୁରାଜ(୮)ଙ୍କୁ ହରାଇଥିଲା ଟିମ ଇଣ୍ଡିଆ । ଏହାପରେ ଶୁଭମନ ଗିଲ୍ ଏବଂ ଶ୍ରେୟସ ଆୟର ଭାରତ ପାଇଁ ଏକ ବିରାଟ ପାର୍ଟନରସିପ କରିଥିଲେ । ଉଭୟ ଭାରତର ପାଳି ସମ୍ଭାଳିବା ସହ ଭାରତ ପାଇଁ ଦମଦାର ଶତକ ହାସଲ କରିଛନ୍ତି । ତେବେ ଗିଲ ଦିନିକିଆରେ ଷଷ୍ଠ ଶତକ ହାସଲ କରିଥିବା ବେଳେ ଶ୍ରେୟସ ଆୟର ଶତକ ସହ ବିଶ୍ୱକପ ପାଇଁ ନିଜକୁ ପ୍ରମାଣିତ କରିଛନ୍ତି । ଏହା ପରେ ରାହୁଲ ଏବଂ ସୂର୍ଯ୍ୟକୁମାର ଯାଦବ ଅର୍ଦ୍ଧଶତକ ହାସଲ କରିଛନ୍ତି । ଏହାସହିତ ଇଶାନ କିଶାନ ଏବଂ ଜାଡେଜାଙ୍କ ଦ୍ରୁତ ପାଳିରେ ଭାରତ ଅଷ୍ଟ୍ରେଲିଆକୁ ୪୦୦ ରନର ଟାର୍ଗେଟ ଦେଇଛି । ଏହି ମ୍ୟାଚରେ ଶୁଭମନ ଗିଲ ୧୦୪ ରନ୍ କରି ଆଉଟ ହୋଇଥିବା ବେଳେ ଶ୍ରେୟସ ଆୟର ଦିନିକିଆରେ କମବ୍ୟାକ କରି ୧୦୫ରନର ପାଳି ଖେଳିଛନ୍ତି । ଏହାପରେ ଅଧିନାୟକ କେ.ଏଲ ରାହୁଲ ୫୨ ଏବଂ ଇଶାନ କିଶାନ ମାତ୍ର ୩୧ ରନ୍ କରି ପାଭିଲିୟନ ଫେରିଛନ୍ତି ।

Get real time updates directly on you device, subscribe now.