ନୂଆଦିଲ୍ଲୀ: ଆକ୍ସିସ ବ୍ୟାଙ୍କ୍ ଗ୍ରାହକଙ୍କ ପାଇଁ ଝଟକା । ବ୍ୟାଙ୍କ ଏହାର ସର୍ବନିମ୍ନ ବାଲାନ୍ସ ଚାର୍ଜରେ ବୃଦ୍ଧି କରିଛି । ଏଣିକି ଆକ୍ସିସ ବ୍ୟାଙ୍କ ଖାତାରେ ସର୍ବନିମ୍ନ ବାଲାନ୍ସ ନରିଖିଲେ ଏଥିପାଇଁ ଅଧିକ ଚାର୍ଜ ଦେବାକୁ ପଡ଼ିବ । ଏହି ସମ୍ବନ୍ଧରେ ଆକ୍ସିସ ବ୍ୟାଙକ୍ ନିଜ ଗ୍ରାହକଙ୍କୁ ଏସଏମଏସ ମାଧ୍ୟରେ ସୂଚନା ଦେଇଛି । ମେସେଜରେ ୧ ଜୁନ୍ ଠାରୁ ନୂଆ ନିୟମ ଲାଗୁ ହେବାନେଇ କୁହାଯାଇଛି । ସେଭିଙ୍ଗ୍ସ ଏବଂ ସାଲାରୀ ଆକାଉଣ୍ଟରେ ବ୍ୟାଙ୍କିଂ ଏବଂ ନନ୍ ବ୍ୟାଙ୍କିଂ ସେବା ଚାର୍ଜ ବଢ଼ାଯାଇଛି । ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ନଥିଲେ ଏଣିକି ଚାର୍ଜ ଲଗାଯିବ ।
ନୂଆ ନିୟମ ଅନୂଯାୟୀ ସହର ଏବଂ ଗ୍ରାମୀଣ ଅଞ୍ଚଳରେ ଆକ୍ସିସ ବ୍ୟାଙ୍କ୍ ଖାତାରେ ସର୍ବନିମ୍ନ ବାଲାନ୍ସକୁ ୧୫ ହଜାର ଟଙ୍କା ବଢ଼ାଇ ୨୫ ହଜାର କରାଯାଇଛି । ଆକାଉଣ୍ଟରେ ଯଦି ଏହି ବାଲାନ୍ସ ରହୁନାହିଁ ତେବେ ଏଥିପାଇଁ ଅତିରିକ୍ତି ଚାର୍ଜ ନିଆଯିବ । ମେଟ୍ରୋ ସହରରେ ସର୍ବନିମ୍ନ ବାଲାନ୍ସ ଉପରେ ୫୦୦ ଟଙ୍କା ବଦଳରେ ୬୦୦ ଟଙ୍କା ଚାର୍ଜ ଦେବାକୁ ପଡ଼ିବ ଏବଂ ସହରାଞ୍ଚଳରେ ୩୦୦ ଟଙ୍କା ଏବଂ ଗ୍ରାମାଞ୍ଚଳରେ ୨୫୦ ଟଙ୍କା ଚାର୍ଜ ପଡ଼ିବ ।
ସେହିପରି ଅଟୋ ଡେବିଟ୍ ଫେଲ୍ ହେଲେ ୨୦୦ ଟଙ୍କା ବଦଳରେ ୨୫୦ ଟଙ୍କା ଚାର୍ଜ କରାଯିବ । ଚେକ୍ ବୁକ୍ ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଯିଦ ଅତିରିକ୍ତ ଚେକ୍ ନେଉଥିଲେ ୨.୫୦ ଟଙ୍କା ଚାର୍ଜ କରାଯାଉଥିବାବେଳେ ଏବେ ଏହାକୁ ୪ ଟଙ୍କା କରାଯାଇଛି । ସେହିପରି ଏନଏସିଏଚ ଫିସ୍ ମଧ୍ୟ ୫୦୦ ଟଙ୍କାଙ୍କୁ ବୃଦ୍ଧି କରାଯାଇଛି ଯାହା ୧ ଜୁଲାଇ ଠାରୁ ଲାଗୁ ହେବ ।