fbpx

ରାତିର ଅନ୍ଧାରରେ ଅଲକାଏଦା ନେତାକୁ ସବୁଦିନ ପାଇଁ ଶୁଆଇଦେଲା ଆମେରିକା: ଏପରି କଲା ‘The End’

ୱାଶିଂଟନ: ଆତଙ୍କବାଦୀ ସଙ୍ଗଠନ ଅଲକାଏଦା ନେତା ଆୟମାନ ଅଲ ଜୱାହିରିଙ୍କୁ ନିହତ କରିଛି ଆମେରିକା । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଦାବି କରିଛନ୍ତି ଯେ, ଜୁଲାଇ ୩୧ ରେ କାବୁଲରେ ହୋଇଥିବା ଏୟାର ଷ୍ଟ୍ରାଇକରେ ଜାୱାହିରୀଙ୍କର ମୃତ୍ୟୁ ଘଟିଛି । ବିଶ୍ୱରେ ଆତଙ୍କ ଖେଳାଇ ଆସିଥିବା ଅଲ କାଏଦା ଆତଙ୍କବାଦି ସଂଗଠନର ପ୍ରତିଷ୍ଠାତା ଓସାମା ବିନ ଲାଦେନ ୨୦୧୧ରେ ଆମେରିକାର ଆକ୍ରମଣରେ ନିହତ ହେବା ପରେ ଅଲକାଏଦା ସଂଗଠନ ପାଇଁ ଏହା ଏକ ଝଟକା ଥିଲା । ସେହି ଦିନଠାରୁ ଆୟମାନ ଅଲ ଜୱାହିରି ଅଲକାଏଦା ସଂଗଠନକୁ ମଜବୁତ କରିବାରେ ଅଣ୍ଟା ଭିଡିଥିଲା । ଏହା ଜଣାପଡିବା ପରେ ଆମେରିକା ପକ୍ଷରୁ ତାଙ୍କ ଠିକଣା ଖୋଜା ଯାଇଥିଲା ।

ସିଏନ୍ଏନ୍ ଅନୁଯାୟୀ ଜାୱାହିରୀ ତାଙ୍କ ପରିବାରକୁ ଭେଟିବା ପାଇଁ କାବୁଲରେ ଆଶ୍ରୟ ନେଇଥିଲେ । ଜୋ ବାଇଡେନ୍ କହିଛନ୍ତି ଯେ, ଅଲ କାଏଦା ମୁଖ୍ୟଙ୍କୁ ହତ୍ୟା କରିବା ପାଇଁ ଦୁଇଟି ହେଲଫାୟାର ମିସାଇଲ ବ୍ୟବହାର କରାଯାଇଥିଲା । ଜୁଲାଇ ୩୧ ରେ ରାତି ୯:୪୮ ରେ ଡ୍ରୋନ୍ ଷ୍ଟ୍ରାଇକ୍ କରାଯାଇଥିଲା । ଅନ୍ୟପଟେ ଆୟମାନକୁ ଧରାଇଦେଲେ ବା ତା’ ବିଷୟରେ ସୂଚନା ଦେଲେ ୨୫ ମିଲିୟନ ଆମେରିକୀୟ ଡଲାର ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଥିଲା ।

ସେ ଆଫଗାନିସ୍ତାନରେ ଥିବା ତଥା ସେଠାରେ ରହି ଅଲକାଏଦା ସଂଗଠନକୁ ମଜବୁତ କରୁଥିବା ଜଣାପଡିବା ପରେ ଆମେରିକା ପକ୍ଷରୁ ଅଲକାଏଦାର ଆତଙ୍କବାଦିମାନଙ୍କୁ ଦମନ ପାଇଁ ରବିବାରଠାରୁ ଆଫଗାନିସ୍ତାନର ରାଜଧାନୀ କାବୁଲର ସେରପୁର ଅଞ୍ଚଳରେ ଡ୍ରୋନ ଷ୍ଟ୍ରାଇକ ଅଭିଯାନ ଆରମ୍ଭ କରାଯାଇଥିଲା, ଯାହାର ନେତୃତ୍ୱ ନେଇଥିଲା ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି ।

ତାଲିବାନ ମୁଖପାତ୍ର ଜବୁଲ୍ଲା ମୁଜାହିଦ୍ କହିଛନ୍ତି ଯେ, ଜୁଲାଇ ୩୧ ରେ କାବୁଲ ସହରର ଶେରପୁର ଅଞ୍ଚଳରେ ଥିବା ଏକ ଆବାସିକ ଘରେ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା । ଏହି ଘଟଣା ପ୍ରଥମେ ଅସ୍ପଷ୍ଟ ଥିଲା ବୋଲି ସେ କହିଛନ୍ତି, କିନ୍ତୁ ଇସଲାମିକ୍ ଏମିରେଟ୍ ର ସୁରକ୍ଷା ଏବଂ ଗୁପ୍ତଚର ସେବା ଏହି ଘଟଣାର ଅନୁସନ୍ଧାନ କରିଥିଲେ । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଏହି ଆକ୍ରମଣ ଆମେରିକାର ଡ୍ରୋନ୍ ଦ୍ୱାରା କରାଯାଇଥିଲା । ମୁଜାହିଦ୍ କହିଛନ୍ତି ଯେ, ଆମେ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରୁଛୁ ଏବଂ ଏହାକୁ ଆନ୍ତର୍ଜାତୀୟ ନୀତି ଏବଂ ଦୋହା ଚୁକ୍ତିନାମାର ସ୍ପଷ୍ଟ ଉଲ୍ଲଂଘନ ବୋଲି କହୁଛୁ ।

Get real time updates directly on you device, subscribe now.