ନୂଆଦିଲ୍ଲୀ : ଆୟୁଷ୍ମାନ ଯୋଜନାକୁ ନେଇ ଆସିଲା ବଡ଼ ଖବର । ଖୁବ ଶୀଘ୍ର ରାଜ୍ୟରେ ଆୟୁଷ୍ମାନ ଯୋଜନାର 3.0ର ଶୁଭାରମ୍ଭ ହେବ। ପ୍ରଧାନମନ୍ତ୍ରୀ ମୋଦି ଜଲଦି ଓଡ଼ିଶାରେ ଏହାର ଶୁଭାରମ୍ଭ କରିବେ । ଅକ୍ଟୋବର ୨୯ରେ ରାଜ୍ୟରେ ଆୟୁଷ୍ମାନ ଯୋଜନାର ୩.୦ର ଶୁଭାରମ୍ଭ ହେବ । ଭିସିରେ ଯୋଡ଼ି ହୋଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏ ନେଇ ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।
୭୦ ବର୍ଷରୁ ଅଧିକ ସବୁ ନାଗରିକଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ କରିବାକୁ କିଛି ଦିନ ପୂର୍ବରୁ ନିଷ୍ପତ୍ତି ନେଇଥିଲେ ମୋଦି ସରକାର। ଯେଉଁଥିରେ ବରିଷ୍ଠ ନାଗରିକଙ୍କ ଆୟକୁ ନେଇ କୌଣସି ପ୍ରତିବନ୍ଧକ ରଖିନାହାନ୍ତି ସରକାର। ଫଳରେ ଦେଶର ୬ କୋଟି ବରିଷ୍ଠ ନାଗରିକ ଉପକୃତ ହେବେ ବୋଲି କହିଥିଲା କେନ୍ଦ୍ର । ଯୋଜନାରେ ସମସ୍ତ ବରିଷ୍ଠ ନାଗରିକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳିବ।
ସେହିକ୍ରମରେ ରାଜ୍ୟରେ ୭୦ ବର୍ଷରୁ ଅଧିକ ବୟସ୍କ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବେ। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ମୁଖମନ୍ତ୍ରୀ ଯୋଜନା ଅଧୀନରେ ଏକ ସ୍ୱାସ୍ଥ୍ୟ କଭର ବୀମା ପରି । ଏହା ଅଧୀନରେ ଏହି ଯୋଜନା ପାଇଁ ଯୋଗ୍ୟ ଲୋକଙ୍କୁ ଆୟୁଷ୍ମାନ କାର୍ଡ ଦିଆଯାଏ । ଏହି ଯୋଜନା ଅଧୀନରେ ଆୟୁଷ୍ମାନ କାର୍ଡଧାରୀମାନେ ତାଲିକା ଭୁକ୍ତ ଡାକ୍ତରଖାନା ଗୁଡ଼ିକରେ ମାଗଣା ଚିକିତ୍ସା ପାଆନ୍ତି । ଏହି କାର୍ଡ ହିତାଧିକାରୀଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା କଭର ଯୋଗାଇଥାଏ ।
ପରିବାରରେ ଯଦି କେହି ଅକ୍ଷମ ସଦସ୍ୟ ଥାନ୍ତି କିମ୍ବା ଯଦି ଆପଣଙ୍କ ଘର ଚାଳ-ଛପରର ହୋଇଥାଏ । ଆପଣ ଯଦି ଜଣେ ଦିନ ମଜୁରିଆ ହୋଇଥାନ୍ତି ଅଥବା ଆପଣ ଯଦି ଜଣେ ଭୂମିହୀନ ବ୍ୟକ୍ତି ହୋଇଥାନ୍ତି । ଯେକୌଣସି ଅନୁସୂଚିତ ଜାତି କିମ୍ବା ଜନଜାତିର ହୋଇଥାନ୍ତି ଅବା ଜଣେ ଗ୍ରାମାଞ୍ଚଳର ବାସିନ୍ଦା କିମ୍ବା ଆଦିବାସୀ ହୋଇଥାନ୍ତି ତେବେ ଆପଣ ଏହି ଯୋଜନା ପାଇଁ ଯୋଗ୍ୟ ।
ଯଦି ଆପଣ ଉପରୋକ୍ତ ସ୍କିମ୍ ପାଇଁ ଯୋଗ୍ୟ ଅଟନ୍ତି ତେବେ ଆପଣ ଆୟୁଷ୍ମାନ କାର୍ଡ ତିଆରି କରିପାରିବେ । ଏଥିପାଇଁ ଆପଣଙ୍କୁ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯିବାକୁ ପଡିବ । ଏଥିପାଇଁ ଡକ୍ୟୁମେଣ୍ଟ ଭାବରେ ଆବାସିକ ପ୍ରମାଣପତ୍ର, ଆଧାର କାର୍ଡ ଏବଂ ରାସନ କାର୍ଡ ଆବଶ୍ୟକ ହେବ । ଆପଣଙ୍କୁ ଏକ ମୋବାଇଲ୍ ନମ୍ବର ମଧ୍ୟ ଆବଶ୍ୟକ ହେବ, ଯାହା ସହିତ ଆପଣଙ୍କର କାର୍ଡ ଲିଙ୍କ୍ ହୋଇ ପାରିବ । ପୂର୍ବରୁ ରାଜ୍ୟ ସରକାର ଆୟୁଷ୍ମାନ ଭାରତ ଯୋଜନା ସହ ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓଡ଼ିଶାରେ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି କହିଥିଲେ ।