ଭୁବନେଶ୍ୱର- ଘସିପୁରା ବିଧାୟକ ବଦ୍ରୀ ପାତ୍ର ପୁଣି ମୁହଁ ଖୋଲିବା ସହ ନବୀନଙ୍କ ଭୁଲ ନିଷ୍ପତ୍ତି ଓ ପଦକ୍ଷେପକୁ ପରୋକ୍ଷରେ ଦାୟୀ କରିଛନ୍ତି । ବଦ୍ରୀ କହିଛନ୍ତି, ଧାର କରି ନେତା ଆଣିବା ଦଳ ପାଇଁ ମହଙ୍ଗା ପଡିଛି । ରାତିରେ ନେତାଙ୍କୁ ଆମଦାନୀ କରି ସକାଳୁ ପ୍ରାର୍ଥୀ କରିବା ଦଳର ଅଧୋଗତିର କାରଣ ହୋଇଛି ବୋଲି କହିଛନ୍ତି ବଦ୍ରୀ । ଏଥିସହ ବିଜେପି ଏବେ ଯାହା କରୁଛି ତାକୁ ମଧ୍ୟ ଭୁଲ କହିଛନ୍ତି ବଦ୍ରୀ ।
ଆଜି ପୁଣି ବିଷ ଉଗାଳିଛନ୍ତି ଘସିପୁରା ବିଧାୟକ ତଥା ବିଜେଡିର ପୁରୁଣା ତଥା ବରିଷ୍ଠ ନେତା ବଦ୍ରା ପାତ୍ର । ସେ କହିଛନ୍ତି ଅନ୍ୟ ଦଳରୁ ଧାର ଆଣି ଆମେ ଭୁଲ କରିଛୁ । ଅତୀତରେ ଅନେକ ଭୁଲ କରିଛୁ । ବିଜେପିରୁ ଟିକେଟ ପାଇଥିଲା କିଛି ପ୍ରାର୍ଥୀଙ୍କୁ ଆମ ଦଳ ନେଲା । ସେମାନେ ଏବେ ଆମ ସାଂସଦଙ୍କୁ ନେଉଛନ୍ତି । ଆଦର୍ଶଗତ ପ୍ରଭେଦ ପାଇଁ ଦଳକୁ ବହୁ ମୂଲ୍ୟ ଦେବାକୁ ହେଉଥିବା କହିଛନ୍ତି ବଦ୍ରୀ । ଏଥିସହ ଏବେ ବିଜେପି ତାଙ୍କ ଦଳର ନେତା, ମୁଖ୍ୟତଃ ସାଂସଦଙ୍କୁ ନେଉଥିବାରୁ ଏହାକୁ ଭୁଲ କହିଛନ୍ତି ବଦ୍ରୀ
ବଦ୍ରୀ ପାତ୍ର ଆଜି ଦେଇଥିବା ବୟାନ ନବୀନଙ୍କ ଉଦ୍ଦେଶ୍ୟରେ ଥିବା ପରି ମନେ ହେଉଛି । କାରଣ ନିର୍ବାଚନ ପୂର୍ବରୁ ଖାଲି ବିଜେପି ନୁହେଁ, କଂଗ୍ରେସରୁ ମଧ୍ୟ ବହୁ ନେତାଙ୍କୁ ବିଜେଡି ବିଭିନ୍ନ ପ୍ରଲୋଭନ ଦେଇ ନିଜ ଦଳରେ ସାମିଲ କରିଥିଲା । ଏମିତି କି ଟିକେଟ ହାତେଇ ସାରିଥିବା ପ୍ରାର୍ଥୀ ମଧ୍ୟ କ୍ଷମତା ଲୋଭରେ ବିଜେଡିର ପ୍ରଲୋଭନରେ ନିଜ ଦଳ ସହ ବିଶ୍ୱାସଘାତକତା କରିଥିଲେ । ଯାହା ଅନେକ ସ୍ଥାନରେ ବିଜେପି ଓ କଂଗ୍ରେସକୁ ମୂଳପୋଛ କରିବା ପରି ହୋଇଥିଲା ମଧ୍ୟ ।
ହେଲେ ଦଳର ନିର୍ବାଚନ ପରିଚାଳନାରେ ଥିବା ନେତାଙ୍କ ଅଦୂରଦର୍ଶିତା ପାଇଁ ଆଜିର ସ୍ଥିତି ସୃଷ୍ଟି ହୋଇଥିବା ବଦ୍ରୀଙ୍କ କଥାରୁ ସ୍ପଷ୍ଟ ହୋଇଛି । ସେ କହିଛନ୍ତି ନେତାଙ୍କ ନୀତି, ଆଦର୍ଶର କଥା । ବିଜେପି କଟ୍ଟର ହିନ୍ଦୁତ୍ୱବାଦ ଉପରେ ପର୍ଯ୍ୟବେଷିତ ଦଳ । ସେମାନଙ୍କ ନୀତି ଆଦର୍ଶ ମଧ୍ୟ ଭିନ୍ନ । ଏମିତି ରାତାରାତି କୌଣସି ବ୍ୟକ୍ତିର ଆଦର୍ଶ ବା ଚିନ୍ତାଧାରାରେ ପରିବର୍ତ୍ତନ ହୁଏ ନାହିଁ । ତେଣୁ ବିଜେଡି ଯାହା କରିଥିଲା, ଏହା ସମ୍ପୂଣ୍ଣ ର୍ ରୂପେ ଭୁଲ ଥିଲା । ଏହି ନିଷ୍ପତ୍ତି ବୁମେରାଂ ସାବ୍ୟସ୍ତ ହୋଇଥିବା କହିଛନ୍ତି ବଦ୍ରୀ ।
ଏଥିସହ ଧାର କରି ନେତାଙ୍କୁ ଆଣିବା ଭୁଲ ହୋଇଛି, ଯାହାର ପ୍ରତିଶୋଧ ବିଜେପି ତାର ସାଂସଦଙ୍କୁ ନେଇ ପୁରା କରୁଥିବା ବଦ୍ରୀଙ୍କ କଥାରୁ ସ୍ପଷ୍ଟ ହେଉଛି । ତେଣୁ ରାଜନୀତିରେ ଆଦର୍ଶଗତ ପ୍ରଭେଦ ଥିବା ନେତାଙ୍କୁ ନେବା ଦଳ ପାଇଁ ଶୁଭ ନୁହେଁ । ଏହି କାମର ପରିଣାମ ଆଗରୁ ବିଜେଡି ଭୋଗିଛି । ଏବେ ବିଜେପି ସେହି ବାଟରେ ଥିବାରୁ ସେହି କାମରୁ ବାଦ ପଡିବାକୁ ପ୍ରତ୍ୟକ୍ଷରେ ନ ହେଲେ ମଧ୍ୟ ପରୋକ୍ଷରେ କହିଛନ୍ତି ବଦ୍ରୀପାତ୍ର ।