ପୁରୀ: ଧାଡ଼ି ପହଣ୍ଡିରେ ଆସୁଛନ୍ତି ପ୍ରଭୁ ଜଗନ୍ନାଥ । ଝୁଲୁ ଝୁଲି ଆସୁଛନ୍ତି କାଳିଆ ସାଆନ୍ତ । ନନ୍ଦିଘୋଷ ରଥରେ ବିଜେ ହେବେ ଠାକୁର । ରତ୍ନବେଦୀ ବାହୁଡିବେ ମହାବାହୁ । ଦେବୀ ସୁଭଦ୍ରାଙ୍କ ପରେ ଟାହିଆ ହଲାଇ ହଲାଇ ଆସୁଛନ୍ତି ବ୍ରହ୍ମାଣ୍ଡ ଗୋସାଇଁ କାଳିଆ ସାଆନ୍ତ । ଧାଡି ପହଣ୍ଡିରେ ଗୁଣ୍ଡିଚା ମନ୍ଦିରରୁ ବାହାରି ଆସିଲେ କାଳିଆ ଠାକୁର । ଶରଧାବାଲିରେ ଭକ୍ତିମୟ ପରିବେଶ ।
ତେବେ ଆଡ଼ପମଣ୍ଡପରେ ସରିଯାଇଛି ଦାରୁଦିଅଁଙ୍କ ଲୀଳାଖେଳା । ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ଫେରିବେ ମହାପ୍ରଭୁ । ଆଜି ପବିତ୍ର ବାହୁଡା ଯାତ୍ରା । ସାଆନ୍ତଙ୍କୁ ନେଇ ଶ୍ରୀମନ୍ଦିର ଫେରିବାକୁ ଅପେକ୍ଷାରେ ନନ୍ଦିଘୋଷ । ଜନ୍ମବେଦୀର ମୋହ ତୁଟାଇ ଫେରିବେ ମଣିମା । ଫେରିବା ବାଟରେ ମାଉସୀ ମା’ ହାତରୁ ଖାଇବେ ପୋଡପିଠା ।
ଏପଟେ ଶରଧା ବାଲିରେ ଝିପି ଝିପି ବର୍ଷା । ଝିପି ଝିପି ବର୍ଷାରେ ଭକ୍ତଙ୍କ ମହାପ୍ରଭୁଙ୍କ ପ୍ରତି ବଢ଼ି ଚାଲିଛି ଆବେଗ ଆଉ ଉତ୍କଣ୍ଠା । ରଥ ଟାଣିବାକୁ ଭକ୍ତ ଉତ୍ସାହିତ । ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଅ ।