fbpx

ଅଭିନେତ୍ରୀ ଅମିଷା ପଟେଲ୍‌ଙ୍କ ନାଁରେ ୱାରେଣ୍ଟ, ଏକ ଠକେଇ ମାମଲାର ଶୁଣାଣି ପାଇଁ ନିର୍ଦ୍ଧାରିତ ତାରିଖରେ କୋର୍ଟରେ ହୋଇନଥିଲେ ହାଜର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅମିଷା ପଟେଲ୍‌ ପୁଣି ଥରେ ଚର୍ଚ୍ଚାରେ । ଅଭିନେତ୍ରୀଙ୍କ ବିରୋଧରେ ମୁରାଦାବାଦର ଏକ ଅଦାଲତ ୱାରେଣ୍ଟ ଜାରି କରିଛନ୍ତି । ନିର୍ଦ୍ଧାରିତ ତାରିଖରେ ହାଜର ନ ହେବାରୁ କୋର୍ଟ ଅମିଷାଙ୍କ ବିରୋଧରେ ଏହି ୱାରେଣ୍ଟ ଜାରି କରିଛନ୍ତି । ଏବେ ଅମିଷାଙ୍କୁ ଅଗଷ୍ଟ ୨୦ରେ ହାଜର ହେବାକୁ କୁହାଯାଇଛି । ମୁରାଦାବାଦର ଏକ ଇଭେଣ୍ଟ କମ୍ପାନୀ ଅମିଷା ପଟେଲ୍‌ ଏବଂ ସହଯୋଗୀଙ୍କ ଉପରେ ୧୧ ଲକ୍ଷ ଟଙ୍କା ନେଇ କାର୍ଯ୍ୟକ୍ରମକୁ ନଆସିବାର ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ, ପବନ ବର୍ମା ଡ୍ରିମ ଭିଜନ ନାମରେ ମୁରାଦାବାଦରେ ଏକ ଇଭେଣ୍ଟ କମ୍ପାନୀ ଚଳାଉଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ଅମିଷାଙ୍କୁ ୨୦୧୭ ନଭେମ୍ବର ୧୬ରେ ଏକ ବିବାହ ସମାରୋହରେ ଡ୍ୟାନ୍ସ କରିବାର ଥିଲା । ଏଥିାଇଁ ସେ ୧୧ ଲକ୍ଷ ଟଙ୍କା ଆଡଭାନ୍ସ ନେଇଥିଲେ । ଅଭିନେତ୍ରୀ ଦିଲ୍ଲୀ ପର୍ଯ୍ୟନ୍ତ ଆସିଲେ । ପୁଣି ଦିଲ୍ଲୀରୁ ମୁରାଦାବାଦ ଅଧିକ ଦୂର କହି ଆହୁରି ୨ ଲକ୍ଷ ଟଙ୍କା ଦାବି କରିଥିଲେ । ଇଭେଣ୍ଟ କମ୍ପାନୀ ଦୁଇ ଲକ୍ଷ ଟଙ୍କା ନଦେବାରୁ ଅମିଷା କିଛି ନଜଣାଇ ଫେରି ଯାଇଥିଲେ ।

ଇଭେଣ୍ଟ କମ୍ପାନୀ ଅଭିଯୋଗ କରିଛନ୍ତି ଯେ, ଅମିଷା ଏ ପର୍ଯ୍ୟନ୍ତ ଅଗ୍ରୀମ ବାବଦରେ ନେଇଥିବା ୧୧ ଲକ୍ଷ ଟଙ୍କା ବି ଫେରାଇ ନାହାନ୍ତି । ଡ୍ରିମ ଭିଜନ କମ୍ପାନୀର ମାଲିକ ପବନ କଲ୍ୟାଣଙ୍କ ପକ୍ଷରୁ ଅଦାଲତରେ ଅମିଷା ପଟେଲ୍‌ ଏବଂ ସହଯୋଗୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଏହା ଉପରେ ଶୁଣାଣି କରି କୋର୍ଟ ୨୦୨୨ ଅଗଷ୍ଟ ୨୦ରେ ହାଜର ହେବା ପାଇଁ ଅମିଷାଙ୍କ ସହିତ ୪ ଜଣଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛନ୍ତି । ଅଭିଯୋଗମାନେ ହେଉଛନ୍ତି, ଅମିଷା ପଟେଲ୍‌, ସୁରେଶ କୁମାର, ରାଜକୁମାର ଗୋସ୍ୱାମୀ, ଅହମ୍ମଦ ଶରିଫ । ଅମିଷା ପଟେଲ୍‌ଙ୍କ ଉପରେ ମୁରାଦାବାଦର ଅଦାଲତରେ ଧାରା ୧୨୦ ବି, ୪୦୬, ୫୦୪, ୪୨୦ ଏବଂ ୫୦୬ ଆଇପିସି ଆଧାରରେ ଶୁଣାଣି କରାଯାଇଛି । ଏବେ ଦେଖିବା ବାକି ରହିଲା ଯେ, ଅଭିନେତ୍ରୀ ଅଗଷ୍ଟ ୨୦ରେ କୋର୍ଟରେ ହାଜର ହେଉଛନ୍ତି କି ନାହିଁ ।

Get real time updates directly on you device, subscribe now.