ଶବ୍ଦ ଶୁଣିବା ମାତ୍ରେ ପହଁଞ୍ଚି ଥିଲେ ବାଲେଶ୍ୱରର ‘ରିୟଲ ହିରୋ’, ବଗି ଭିତରେ ପହଁଞ୍ଚି ବଞ୍ଚାଇଥିଲେ ଶହ ଶହ ଜୀବନ

ବାଲେଶ୍ୱର : ଓଡ଼ିଶାର ବାଲେଶ୍ୱରରେ ହୋଇଥିବା ରେଳ ଦୁର୍ଘଟଣାର ଦୃଶ୍ୟ ହୃଦୟଥରା ଥିଲା । ଦୁର୍ଘଟଣାର ଶବ୍ଦ ଶୁଣି ଯାତ୍ରୀଙ୍କୁ ସାହାଯ୍ୟ ପାଇଁ ତିନି ଯୁବକ ସେଠାକୁ ଯାଇଥିଲେ । ବ୍ରହ୍ମପୁରର ବାସିନ୍ଦା ୩୮ ବର୍ଷିୟ ଟୁୁକୁନା ଦାସ ଦୁର୍ଘଟଣା ସ୍ଥାନରୁ ଅଳ୍ପ ଦୂରରେ ରହି ମନ୍ଦିରର ମରାମତି କାର୍ଯ୍ୟ କରୁଥିଲେ । ଠିକ୍ ସେହି ସମୟରେ ସେ ରେଳ ଦୁର୍ଘଟଣାର ଶବ୍ଦ ଶୁଣିବାକୁ ପାଇଥିଲେ । ଏହା ଶୁଣି ସେ ଦୌଡି ଯାଇ ଦେଖିଲା ବେଳକୁ ୩ଟି ରେଳ ମୁହାଁମୁହିଁ ହୋଇ ଦୂର୍ଘଟଣାଗ୍ରସ୍ତ ହୋଇଥିଲା ।

ସେ କହିଥିଲେ ଯେ ଏହା ଥିଲା ଏକ ଭୟାନକ ଦୂର୍ଘଟଣା । ଚାରିଆଡ଼େ ଆହତ ଯାତ୍ରୀ ମାନଙ୍କ ଚିତ୍କାରର ଶବ୍ଦ ଶୁଣାଯାଉଥିଲା । ଏହା ଶୁଣି ସେ ବଗି ଭିତରକୁ ପ୍ରବେଶ କରି ଦେଖିଥିଲେ ଯେ ୬୦ଟି ଶବ ପଡ଼ିଥିଲା ଓ ଅନ୍ୟ ମାନେ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ । ସେ ଏହା ଦେଖି ଆହତ ମାନଙ୍କୁ ରେଳରୁ ବାହାରକୁ ଆଣିଥିଲେ ଏବଂ ଚିକିତ୍ସା ପାଇଁ ହସ୍ପିଟାଲକୁ ନେଇଥିଲେ ।

ଆଖପାଖରେ ରହୁଥିବା କେତେକ ସ୍ଥାନୀୟ ଲୋକ ମଧ୍ୟ ଏଥିରେ ସାହାଯ୍ୟ କରିଥିଲେ । ଆଲୋକ ନାମକ ଜଣେ ବ୍ୟକ୍ତି ତାଙ୍କ ୩ଜଣ ସାଙ୍ଗ ସହିତ ସେହି ସମୟରେ ଦୂର୍ଘଟଣା ସ୍ଥଳ ଠାରୁ କିଛି ଦୂରରେ ଉପସ୍ଥିତ ଥିଲେ । ଭୟଙ୍କର ଶବ୍ଦ ଶୁଣିବାରୁ ସେମାନେ ଘଟଣା ସ୍ଥଳରେ ପହଁଞ୍ଚି ଆହତଙ୍କୁ ବାହାରକୁ ଆଣିବାରେ ସାହାଯ୍ୟ କରିଥିଲେ ଏବଂ ୧୫୦ରୁ ଅଧିକ ଲୋକଙ୍କ ଶବକୁ ବାହାରକୁ ଆଣିଥିଲେ । ଏହା ବ୍ୟତିତ ସେମାନେ କହିଥିଲେ ଯେ ବଗୀ ଭିତରେ ଚାରିଆଡ଼େ କଟା ହାତ, କଟି ଯାଇଥିବା ଗୋଡ଼ ସହିତ କଟି ଯାଇଥିବା ମୁଣ୍ଡ ମଧ୍ୟ ଦେଖାଯାଉଥିଲା ଏବଂ ମାଂସର ଛୋଟ ଛୋଟ ଖଣ୍ଡ ଜୋତା ଓ ଚପଲରେ ଲାଗିଯାଉଥିଲା । ଏହାପରେ ମଧ୍ୟ ସେମାନେ ତୁରନ୍ତ ସାହାଯ୍ୟ କାମରେ ଲାଗିପଡ଼ିଥିଲେ ।