ଯାଜପୁରରେ ଭୋଜି ମନା: କଲେରା ଚିହ୍ନଟ ପରେ ପ୍ରଶାସନର ପରାମର୍ଶ
ଯାଜପୁରରେ ସାମୁହିକ ସମାବେଶ ବେଳେ ଭୋଜି ବାରଣ । ଯାଜପୁରରେ କଲେରା ଚିହ୍ନଟ ପରେ ଜିଲ୍ଲା ପ୍ରଶାସନର ପରାମର୍ଶ ।
ଯାଜପୁର: ଜିଲ୍ଲାରେ ରଜପର୍ବ ବେଳେ ଭୋଜି ମନା । ରଜପର୍ବ ସାମୁହିକ ସମାବେଶ ବେଳେ ଭୋଜି ବାରଣ । ଯାଜପୁରରେ କଲେରା ଚିହ୍ନଟ ପରେ ଜିଲ୍ଲା ପ୍ରଶାସନର ପରାମର୍ଶ ।
ଘରେ ରନ୍ଧାଯାଇଥିବା ଗରମ ଖାଦ୍ୟ ଖାଇବେ ଏବଂ ଫୁଟା ଓ ଫିଲଟର କରାଯାଇଥିବା ପାଣି ପିଇବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲା ପ୍ରଶାସନ । ଏପରିକି ନଦୀ, ନାଳ ପୋଖରୀ ପାଣିରେ ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟ କରିବାକୁ ମନା କରାଯାଇଛି ।
ପ୍ରକାଶଥାଉକି, ଯାଜପୁରରେ 5 ଦିନ ହେଲା ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । କଲେରା ରୋଗୀ ଚିହ୍ନଟ ହେବା ପରେ ଭୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁନାହାନ୍ତି ବର୍ହିବିଭାଗ ରୋଗୀ । ଏବେ ମୁଖ୍ୟ ଚିକିତ୍ସାଳୟରେ କେବଳ ଡାଇରିଆ ରୋଗୀ ଅଧିକ ମାତ୍ରାରେ ଚିକିତ୍ସିତ ହେଉଛନ୍ତି । ଭୟରେ ଅନ୍ୟ ରୋଗୀମାନେ ଆସୁନାହାନ୍ତି । ଟିକେଟ କେନ୍ଦ୍ର ମଧ୍ୟ ଖାଁ ଖାଁ ଦେଖିବାକୁ ମିଳିଛି ।
ଗତକାଲି 41 ଝାଡ଼ା ନମୁନା ପରୀକ୍ଷାରେ 8ଟିରେ କଲେରା ଚିହ୍ନଟ ହୋଇଥିଲା । ଯାଜପୁର ଜିଲ୍ଲାରୁ ଆହୁରି 2ଶହ ନମୁନା ଯାଇଛି । ବ୍ୟାସନଗର, ବଡ଼ଚଣା ଓ ଧର୍ମଶାଳା ମେଡିକାଲରେ ଏହି ରୋଗୀ ମାନେ ଚିକିତ୍ସାଧୀନ ଅଛନ୍ତି । ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସମୀକ୍ଷା କରିଥିଲେ । ରୋଗ ନିରାକରଣ କାର୍ଯ୍ୟକ୍ରମ ବ୍ୟାପକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।
ଘରକୁ ଘର ସର୍ଭେ କରି ଆରମ୍ଭରୁ ରୋଗ ଚିହ୍ନଟ କରିବା, ସରକାରୀ ଡାକ୍ତରଖାନାରେ ବେଡ୍ ସଂଖ୍ୟା ବୃଦ୍ଧି, ଉପଯୁକ୍ତ ଚିକିତ୍ସା, ହସ୍ପିଟାଲରେ ଆବଶ୍ୟକ ମେଡିସିନ୍ ଓ ସାଲାଇନ୍ ମହଜୁଦ୍ ରଖିବା ଉପରେ ଗୁରୁତ୍ବାରୋପ କରିଛନ୍ତି ମୁଖ୍ୟ ଶାସନ ସଚିବ ।