କଇଁଛ ପିଠିରେ ଜଗନ୍ନାଥଙ୍କ ଚିତ୍ର ଆଙ୍କି ଅଡ଼ୁଆରେ ୟୁଟ୍ୟୁବର, 2 ଯୁବକ ଗିରଫ
କଇଁଛ ପିଠିରେ ଜଗନ୍ନାଥଙ୍କ ଚିତ୍ର ଆଙ୍କି ସୋସିଆଲ ମିଡିଆରେ ଭିଡିଓ ଅପଲୋଡ କରିବା ପଡ଼ିଲା ମହଙ୍ଗା । ଦୁଇ ଯୁବକଙ୍କୁ ଗିରଫ କଲା ପୋଲିସ ।
ବରଗଡ: ଆଜି କାଲି ଭିୟୁଜ ନିଶାରେ ୟୁଟ୍ୟୁବର । ଅଧିକ ଭିୟୁଜ ପାଇଁ ଜଗନ୍ନାଥଙ୍କୁ ବି ଛାଡିଲେନି । କଇଁଛ ପିଠିରେ ଜଗନ୍ନାଥଙ୍କ ଚିତ୍ର ଆଙ୍କି ସୋସିଆଲ ମିଡିଆରେ ଭିଡିଓ ଅପଲୋଡ କରିବା ପଡ଼ିଲା ମହଙ୍ଗା । ଦୁଇ ଯୁବକଙ୍କୁ ଗିରଫ କଲା ପୋଲିସ । ଭିଡିଓ ଭାଇରାଲ ହେବା ପରେ ବିବାଦରେ ବରଗଡ଼ ଜିଲ୍ଲା ବିଜେପୁରର ୟୁଟ୍ଯୁବର ଅଶୋକ ମେହେର । ତାଙ୍କ ନାମରେ ରାଜ୍ୟର ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନ୍ଙ୍କ ନିକଟରେ ଅଭିଯୋଗ ହୋଇଛି । ଏହି ଘଟଣାରେ ଅବିନାଶ ବଗର୍ତ୍ତି ଓ ଅଶୋକ ମେହେର ନାମକ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି ବରଗଡ଼ ବନ ବିଭାଗ ।
କଇଁଛ ପିଠିରେ ଜଗନ୍ନାଥ ଆଙ୍କିଲେ ୟୁଟ୍ୟୁବର:
ୟୁଟ୍ୟୁବର ଅଶୋକ ମେହେର ଇଣ୍ଡିଆନ୍ ଫ୍ଲାପ୍ ସେଲ୍ କଇଁଛ ପିଠିରେ ରଙ୍ଗ ଓ ତୂଳୀରେ ଶ୍ରୀଜଗନ୍ନାଥଙ୍କ ଚିତ୍ର ଆଙ୍କି ଏକ ପୋଖରୀରେ ଛାଡୁଥିବାର ଦୃଶ୍ୟ ଭିଡିଓ ନିଜ ଫେସବୁକ ଆକାଉଣ୍ଟରେ ସେୟାର କରିଥିଲେ । ଏହାକୁ ଦେଖିବା ପରେ ଭୁବନେଶ୍ୱର ସ୍ନେକ୍ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ରାଜ୍ୟର ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନ୍ଙ୍କ ନିକଟରେ ଅଭିଯୋଗ କରିଥିଲେ । ଏପରି କରିବା ବନ୍ୟପ୍ରାଣୀ ସୁରକ୍ଷା ଆଇନର ଖୋଲା ଉଲ୍ଲଂଘନ ବୋଲି ସୁଭେନ୍ଦୁ ମଲ୍ଲିକ ଅଭିଯୋଗ କରିଥିଲେ ।
ଏହା ପରେ ବିଜେପୁର ଗ୍ରାମର 2 ଜଣ ଯୁବକ ଅବିନାଶ ବଗର୍ତ୍ତି ଓ ଅଶୋକ ମେହେରଙ୍କୁ ଗିରଫ କରିଛି ବରଗଡ଼ ବନ ବିଭାଗ ।
ଇଣ୍ଡିଆନ୍ ଫ୍ଲାପ୍ ସେଲ୍ କଇଁଛ ବନ୍ୟପ୍ରାଣୀ ଆଇନରେ ସିଡ୍ୟୁଲ 1 ତାଲିକାରେ ସଂରକ୍ଷିତ ଅଟେ । ଏହି ତାଲିକାରେ ସଂରକ୍ଷିତ ଜୀବ ଜନ୍ତୁଙ୍କୁ ଧରିବା ଓ ତାଙ୍କ ପ୍ରତି କ୍ରୁରତା ପ୍ରଦର୍ଶନ କରିବା ଏକ ଅପରାଧ ଅଟେ ଏବଂ ଏପରି ଅପରାଧ ପାଇଁ 7 ବର୍ଷ ଯାଏଁ ଜେଲ ଦଣ୍ଡ , ଏକ ଲକ୍ଷ ଟଙ୍କା ଜୋରିମାନା କିମ୍ବା ଉଭୟ ଦଣ୍ଡର ପ୍ରାବଧାନ ଅଛି ।