ଓଡ଼ିଶା ଭାସ୍କର: ଯାଜପୁର ଜିଲ୍ଲାର ବରୀ ନିର୍ବାଚନ ମଣ୍ଡଳୀ ଏକ ଅଣ କଂଗ୍ରେସ ଗଡ଼ ଭାବେ ପରିଚିତ। ଅନ୍ୟ ଦଳ ଅପେକ୍ଷା ଏଠି କଂଗ୍ରେସର ସ୍ଥିତି ଦୁର୍ବଳରେ ରହି ଆସୁଛି। ତେବେ ରାଜ୍ୟ କଂଗ୍ରେସର ସ୍ଥିତି ଶୌଚନୀୟ ଥିବା ବେଳେ ବର୍ତ୍ତମାନ ଦଳକୁ ବରୀରେ ପ୍ରାର୍ଥୀ ପାଇଁ ଅଭାବୀ ରହିଛି। କାରଣ ୨୦୧୯ କଂଗ୍ରେସ ବିଧାନସଭା ପ୍ରାର୍ଥୀ ଉମେଶ ଜେନା ଦଳ ଛାଡି ବିଜେପିରେ ଯୋଗ ଦେବା ପରେ ଦଳରେ ନେତୃତ୍ୱ କମି ପଡିଯାଇଛି। ଅନ୍ୟପଟେ ଉମେଶ ପଦ୍ମ ଶିବିରରେ ଯୋଗ ଦେଇ ବିଜେପିର ଆଗାମୀ ବିଧାନସଭା ଆଶାୟୀ ପ୍ରାର୍ଥୀ ଭାବେ ଦଳର ନେତୃତ୍ୱ ନେଉଛନ୍ତି। କିନ୍ତୁ ଉମେଶଙ୍କ ବାଦ୍ ଏବେ ଦଳର ନେତୃତ୍ୱ ନେବା ପାଇଁ ବିଜେଡିର ପୂର୍ବତନ ମନ୍ତ୍ରୀ ତଥା ୪ ଥରର ବିଧାୟକ ଦେବାଶିଷ ନାୟକ ଆଗେଇ ଆସିଛନ୍ତି। ଆଜି ସେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି। ଫଳରେ ବରୀ ଆସନ ପାଇଁ ବିଜେପିର ଆଶାୟୀ ପ୍ରାର୍ଥୀଙ୍କ ତାଲିକା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି।
ବିଜେପି ନେତା ଉମେଶ ଜେନା, ଆଶୁତୋଷ ପରିଡା, ରତିକାନ୍ତ ରାଜବଂଶୀ, ମନୋଜ ମହାପାତ୍ରଙ୍କ ପରି ଅନେକ ଜଣ ଟିକେଟ ଆଶାୟୀ ଥିବା ବେଳେ ଏଥିରେ ଦେବାଶିଷଙ୍କ ନାମ ମଧ୍ୟ ଯୋଡି ହୋଇଛି। ତେବେ ଏଭଳି ପରିସ୍ଥିତିରେ ଦଳ କାହାକୁ ଟିକେଟ ଦେବ ତାହା ଏକ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ଅପରପକ୍ଷେ ଶାସକ ବିଜେଡିରେ ମଧ୍ୟ ସମାନ ପରିସ୍ଥିତି ଦେଖା ଦେଇଛି। ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିବା ବିଶ୍ୱରଞ୍ଜନ ମଲ୍ଲିକ ଓ ବରୀ ବିଧାୟିକା ସୁନନ୍ଦା ଦାସଙ୍କ ମଧ୍ୟରେ ଟିକେଟ ପାଇଁ ଟଣାଓଟରା ଲାଗି ରହିଛି। ଉଭୟେ ସମାନ୍ତରାଳ ଭାବେ ନିଜ ନିଜର ସଂଗଠନ ଗଢି ଦଳୀୟ କାର୍ୟ୍ୟକ୍ରମ ଜାରି ରଖିଛନ୍ତି। ତେଣୁ ୨ ଜଣଙ୍କ ମଧ୍ୟରୁ ବିଜେଡି କାହାକୁ ଟିକେଟ ଦେବ ତାହା ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ସେପଟେ ଏହି ୨ ଜଣଙ୍କୁ ଛାଡିବା ପରେ ଦଳୀୟ ଟିକେଟ ହାତେଇବା ପାଇଁ ଆଶାୟୀ ପ୍ରାର୍ଥୀଙ୍କ ଲମ୍ବା ଲାଇନ ଲାଗିଛି। ବିଶ୍ୱ, ସୁନନ୍ଦା, ସଂଜୀବ ଜେନା, ଅଶୋକ ସାମଲଙ୍କ ଭଳି ଏକାଧିକ ଆଶାୟୀ ପ୍ରାର୍ଥୀଙ୍କ ନାମ ରହିଛି। ଏଣୁ ଶାସକ ବିଜେଡି ନିଜର ବରୀ ଆସନ ସୁରକ୍ଷିତ ରଖିବା ପାଇଁ ଏମାନଙ୍କ ମଧ୍ୟରୁ କାହା ଉପରେ ଭରଷା କରିବ ତାହା କିଛି ଜଣା ପଡୁ ନାହିଁ। ତେବେ ଏହିପରି ବରୀ ରାଜନୀତି ଗୋଳିଆ ପରିସ୍ଥିତି ଭିତରେ ଗତି କରୁଥିବା ବେଳେ କେଉଁ ଦଳ ଚଳିତ ନିର୍ବାଚନରେ ସଫଳତା ହାସଲ କରିବ ତାହା କେବଳ ଆଗାମୀ ସମୟ ହିଁ କହିବ।